ଲଦାଖରେ ଫିଙ୍ଗର -୪ରେ ବଢିଲା ଉତେଜନା : ଚୀନ ସୈନ୍ୟଙ୍କ ଏକାଠି ପରେ ଭାରତ ବି ବଢାଇଲା ସୈନ୍ୟବଳ; ଏଲଏସିକୁ  ଗଲା ବୋଫର୍ସ ତୋପ

468

କନକ ବ୍ୟୁରୋ : ଲଦାଖର ଏଲଏସିରେ ପୁଣି ଦେଖିବାକୁ ମିଳିଛି ଉତେଜନା । ମୁହାଁମୁହିଁ ସ୍ଥିତିରେ ଅଛନ୍ତି ଭାରତ ଓ ଚୀନ୍ ସେନା । ଲଦାଖର ଫିଙ୍ଗର ୪ ଅଂଚଳରେ ଚୀନ୍ ସୈନ୍ୟ ଠୁଳ କରିବା ପରେ ଏହାର ଜବାବରେ ଭାରତ ନେଇଛି ବଡ ପଦକ୍ଷେପ । ଚୀନ୍ ର ଅନୁପ୍ରବେଶକୁ ଜବାବ ଦେବାକୁ ଏଲଏସିକୁ ଭାରତ ପଠାଇଛି ବୋଫର୍ସ ତୋପ । ଲଦାଖ ଏଲଏସିର ଉଚ୍ଚଘାଟିରେ ୧୫୫ ଏମଏମ୍ ର ବୋଫର୍ସ ତୋପ ମୁତୟନ କରିବା ଭାରତର ଏକ ବଡ ପଦକ୍ଷେପ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ଆକଳନ କରିଛନ୍ତି । ଭାରତୀୟ ଜବାନ ଏବେ ଫିଙ୍ଗର ୪ ଯାଏଁ ପହଁଚି ଗଲେଣି । ସାମରିକ ଦୃଷ୍ଟି କୋଣରୁ ଏହି ଉଚ୍ଚ ଘାଟି ଉପରେ ଭାରତୀୟ ସୈନ୍ୟଙ୍କ ଦବଦବା ଚୀନର ଚିନ୍ତା ବଢାଇ ଦେଲାଣି । ଫିଙ୍ଗର ୪ ଏବଂ ପୂର୍ବ ଲଦାଖରେ ଥିବା ଉଚ୍ଚ ଘାଟି ଗୁଡିକରେ ଏବେ ଭାରତୀୟ ସୈନ୍ୟଙ୍କ କବଜା ରହିଛି । ଏପରି ସମୟରକେ ବୋଫର୍ସ ତୋପ ବି ପହଁଚିଗଲାଣି । ପାହାଡି ଯୁଦ୍ଧରେ ନିପୁଣ ଥିବା ଭାରତୀୟ ମାଉଁଟେନ୍ ୱାରିୟର ଟ୍ରୁପ୍ ଏଥର ଚୀନ ଅନୁପ୍ରବେଶ ରୋକି ଉଚିତ ଜବାବ ଦେବେ ବୋଲି ମନେ କରାଯାଉଛି । ବର୍ତମାନ ଏଲଏସିରେ ଭାରତର ପ୍ରାୟ ୪୦ ହଜାର ଜବାନ ମୁତୟନ ଅଛନ୍ତି । ଭାରତ ଇଂଟିଗ୍ରେଟେଡ୍ ରେସପନ୍ସ ନୀତି ଆପଣାଇଛି । ଅର୍ଥାତ୍ ଚୀନ୍ ଯେପରି ଭାଷା ବୁଝିବ ସେହି ଭାଷାରେ ଜବାବ ଦେବାକୁ ପ୍ରସୁତ ହେଉଛି ଭାରତ ।

ଭାରତ-ଚୀନ ମଧ୍ୟରେ ସୀମା ବିବାଦ ସମାଧାନ ନେଇ ମସ୍କୋରେ ହୋଇଛି ଆଲୋଚନା । ଭାରତ ଓ ଚୀନର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ୨ ଘଂଟାରୁ ଅଧିକ ସମୟ ଧରି ହୋଇଛି ଦ୍ୱିପାକ୍ଷିକ ଆଲୋଚନା । ଋଷ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ୍ଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ବୈଠକ ପରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଓ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ୱାଙ୍ଗ ୟୀ ଦ୍ୱିପାକ୍ଷିକ ଆଲୋଚନାକୁ ଆସିଥିଲେ । ଭାରତ ଚୀନ ମଧ୍ୟରେ ଦେଖା ଦେଇଥିବା ସୀମା ବିବାଦ ପରେ ପ୍ରଥମ ଥର ପାଇଁ ଭାରତ ଓ ଚୀନ୍ ବୈଦେଶିକ ମନ୍ତ୍ରୀ ସାମ୍ନାସାମ୍ନି ଗୋଟିଏ ଟେବୁଲରେ ଆଲୋଚନା କରିଛନ୍ତି । ପ୍ରାୟ ୨ ଘଂଟାରୁ ଅଧିକ ସମୟ ଧରି ଆଲୋଚନା ପରେ ଲଦାଖ ସୀମା ବିବାଦ ସମାଧାନ ନେଇ ୫ ସୂତ୍ରୀ ସହମତି ବାହାରିଛି । ଏନେଇ ସୂଚନା ଦେଇଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । 

  • ଦୁଇ ଦେଶ ଆଲୋଚନା ଜରିଆରେ ସମସ୍ୟା ସମାଧାନ କରିବେ 
  • ସୈନ୍ୟ ସ୍ତରୀୟ କଥାବାର୍ତା ସହ ସ୍ଥିତି ସାମାନ୍ୟ ପାଇଁ ପ୍ରୟାସ 
  • ଚୁକ୍ତି ଅନୁସାରେ ସୀମାରେ ଶାନ୍ତି ବଜାୟ ରଖିବାକୁ ପଦକ୍ଷେପ
  • ସୀମାକୁ ନେଇ ସ୍ୱତନ୍ତ୍ର ପ୍ରତିନିଧି ସ୍ତରୀୟ ଆଲୋଚନାକୁ ଗୁରୁତ୍ୱ
  • ସୀମାରେ ଶାନ୍ତି ଫେରିବା ପରେ ଦୁଇ ଦେଶ ସମ୍ପର୍କ ସୁଦୃଢ ପାଇଁ ପଦକ୍ଷେପ

ଲଦାଖ ସୀମାରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟ ଉଚିତ ଦୂରତା ରଖାଯିବ ଓ ଉତେଜନା ହ୍ରାସ କରାଯିବା ଉଚିତ୍ ବୋଲି ଆଲୋଚନାରେ ସହମତି ପ୍ରକାଶ ପାଇଥିବା ସୂଚନା ମିଳିଛି । ଏହି ଆଲୋଚନାରେ ଭାରତ ସ୍ପଷ୍ଟ କରିଛି ଦେଶର ଅଖଣ୍ଡତା ଓ ସୀମାରେ ଶାନ୍ତି ଓ ସୌହାର୍ଦ୍ୟ ବଜାୟ ରଖିବାକୁ ଭାରତ ସବୁବେଳେ ପ୍ରତିଶ୍ରୁତିବଦ୍ଧ । କିନ୍ତୁ ଚୀନ୍ ଏହାକୁ ମାନିବା ଜରୁରୀ ।