ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ବଢିଲା ଉତ୍ତେଜନା । ପୋଲାଣ୍ଡ ଉପରେ ରୁଷ ନୁହେଁ ୟୁକ୍ରେନ କରିଛି ମିସାଇଲ ମାଡ଼ ।

251

କନକ ବ୍ୟୁରୋ: ଋୁଷ-ୟୁକ୍ରେନ ଯୁଦ୍ଧ ଭିତରେ ପୁଣି ମୁଣ୍ଡ ଟେକିଛି ନୂଆ ବିବାଦ ।ପୋଲାଣ୍ଡ ଉପରେ ପଡିଥିବା ମିସାଇଲ ରୁଷ ନୁହେଁ ବରଂ ୟୁକ୍ରେନରୁ ଉତକ୍ଷେପଣ ହୋଇଥିବା ଜଣାପଡିଛି । ସବୁଠୁ ବଡ କଥା ଏହି ଦାବି କରିଛି ଆମେରିକା । ସେପଟେ ଘଟଣାକୁ ନେଇ ରୁଷ ରାଷ୍ଟ୍ରପତି ରକ୍ତମୁଖା ହେବା ସହ ପାଶ୍ଚାତ୍ୟ ଦେଶମାନଙ୍କ ଉପରେ ବର୍ଷିଛନ୍ତି ଆଉ କହିଛନ୍ତି ୩ୟ ବିଶ୍ୱଯୁଦ୍ଧ ପାଇଁ ରୁଷକୁ ଉସୁକାଯାଉଛି ।

ରୁଷ-ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଘମାଘୋଟ ଯୁଦ୍ଧ ଚାଲିଛି । କେତେବେଳେ ରୁଷ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ତ କେତେବେଳେ ବଳ ଜୁଟାଇ ରୁଷ ଉପରେ ପ୍ରତିଆକ୍ରମଣ କରୁଛି ୟୁକ୍ରେନ । ଦୁଇ ଦେଶର ଲଢେଇ ଯୋଗୁଁ ନାଟୋ ସଦସ୍ୟ ପୋଲାଣ୍ଡ ଉପରେ ମାଡ ହୋଇଛି ମିସାଇଲ । ଏହି ମିସାଇଲ ମାଡ଼ରେ ୨ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ପୋଲାଣ୍ଡ ସରକାର ସ୍ପଷ୍ଟ କରିଛନ୍ତି । ତେବେ ପୋଲାଣ୍ଡ ଉପରେ ରୁଷ ମିସାଇଲ ଆକ୍ରମଣ କରିଛି ବୋଲି ଖୁବ ଚର୍ଚ୍ଚା ହେଉଥିଲା । ହେଲେ ପୋଲାଣ୍ଡରେ ହୋଇଥିବା ମିସାଇଲ ମାଡ଼ ରୁଷ ନୁହେଁ ବରଂ ୟୁକ୍ରେନ ସେନା ତରଫରୁ ହୋଇଛି ବୋଲି ଆମେରିକାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରୁଷ ଆକ୍ରମଣର ଜବାବ ଦେବାକୁ ୟୁକ୍ରେନ ସେନା ଏହି ମିସାଇଲ ନିକ୍ଷେପ କରିଥିଲା । ହେଲେ ମିସାଇଲଟି ଭୁଲବଶତଃ ପୋଲାଣ୍ଡ ସୀମାରେ ପଡିଥିଲା ।

ପୋଲାଣ୍ଡ ଉପରେ ହୋଇଥିବା ମିସାଇଲ ଆକ୍ରମଣ ରୁଷ କରିଛି ବୋଲି ପ୍ରଥମେ ଖୁବ ଚର୍ଚ୍ଚା ହୋଇଥିଲା । ହେଲେ ଏହି ଅଭିଯୋଗକୁ ରୁଷ ଖଣ୍ଡନ କରିଥିଲା । ପୋଲାଣ୍ଡ ଉପରେ କୈଣସି ମିସାଇଲ୍ ଆକ୍ରମଣ କରିନାହିଁ ବୋଲି କହିଛି ରୁଷ । ସେପଟେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ମଧ୍ୟ ଏହି ଆକ୍ରମଣ ରୁଷ କରି ନଥାଇପାରେ ଏବଂ ଏନେଇ ଅଧିକ ଯାଂଚ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି ।

ପୋଲାଣ୍ଡରେ ହୋଇଥିବା ମିସାଇଲ ଆକ୍ରମଣ ଘଟଣାକୁ ନେଇ ଜି-୭ ନେତାମାନେ ଆଲୋଚନା କରିଛନ୍ତି । ଜି-୨୦ ବୈଠକରେ ଏହାକୁ ନେଇ ଆଲୋଚନା ହୋଇଛି । ମିସାଇଲ୍ ମାଡ ଘଟଣାର ସମ୍ପୂର୍ଣ୍ଣ ଯାଂଚ ପାଇଁ ସହଯୋଗ କରିବାକୁ ପୋଲାଣ୍ଡକୁ ପ୍ରସ୍ତାବ ଦିଆଯାଇଛି ।