ଚୀନ- ଭାରତ ସୀମାରେ ଉତେଜନା ଜାରି । ଲଦାଖର ପୂର୍ବାଂଚଳରେ ଶକ୍ତି ବୃଦ୍ଧିକଲା ଭାରତୀୟ ସେନା : ଉଚ୍ଚସ୍ତରୀୟ ବୈଠକରେ ଅଧିକ ସ୍ୱତନ୍ତ୍ର ବାହିନୀ ମୁତୟନ ପାଇଁ ନିଷ୍ପତି

328

କନକ ବ୍ୟୁରୋ : ଚୀନର ଚାଲବାଜୀକୁ ବୁଝି ପାରିଛି ଭାରତ । ପହରା ନଥିବା ଅଂଚଳରେ ଅନୁପ୍ରବେଶ କରିବାକୁ ତିନି ଥର ଉଦ୍ୟମ କରି ବିଫଳ ହୋଇଛନ୍ତି ଚୀନ ସେନା । ସେପଟେ ଏହାକୁ ଦୃଷ୍ଟିରେ ରଖି ଲଦାଖର ପୂର୍ବାଂଚଳରେ ସେନା ମୁତୟନ ସଶକ୍ତ କରିଛି ଭାରତ । ଅନ୍ୟପଟେ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ସୀମାରେ ସୈନ୍ୟଙ୍କୁ ସତର୍କ କରାଇବା ସହ ସଂଖ୍ୟାରେ ବୃଦ୍ଧି କରାଇଛି । ପେଙ୍ଗଙ୍ଗ ହ୍ରଦର ଉତରରେ ଥିବା ଫିଙ୍ଗର-୨ ଓ ୩ରେ ଚୀନ ସେନାର ଗତିବିଧି ଉପରେ କଡା ନଜର ରଖିଛି ଭାରତୀୟ ସେନା ଏବଂ ଏହି ଉଚ୍ଚସ୍ଥାନ ଦଖଲ କରି ନେଇଛନ୍ତି । ମେ ମାସରୁ ଫିଙ୍ଗ-୪ ଓ ୫କୁ ଚୀନ ଆକ୍ତିଆର କରି ରଖିଥିବା ବେଳେ ଏହି ୮ କିଲୋମିଟର ଅଂଚଳ ଛାଡିବାରୁ ସେମାନେ ନାରାଜ । ଫଳରେ ସୀମାରେ ଉତେଜନା ବଢିଛି ।

ଅନ୍ୟପଟେ ଦ୍ୱିପାକ୍ଷୀକ ଆଲୋଚନାରେ ସେଭଳି କୌଣସି ଫଳାଫଳ ମିଳିପାରି ନାହିଁ । ଏପଟେ ଭାରତୀୟ ସେନା ମଧ୍ୟ ଚୀନ ସେନା ମାଡି ବସିଥିବା ଡେସପଙ୍ଗ ଦୌଲତ ବେଗ ଓଲ୍ଡିକୁ ହାତେଇବା ପାଇଁ ନଜର ରଖିଛି । ୧୯୬୨ରେ କରିଥିବା ଭୁଲକୁ ଭାରତ ଦୋହରାଇବାକୁ ଚାହେଁ ନାହିଁ ବୋଲି ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି । ଉଚ୍ଚ ସ୍ଥାନଗୁଡିକରେ ଭାରତୀୟ ସେନା ଡେରା ପକାଇ ସାରିଛନ୍ତି । ଏହାସହ ଏହି ଅଂଚଳରେ ଆଂଟି ଟ୍ୟାଙ୍କ ମିସାଇଲ୍ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ମୁତୟନ କରାଯାଇଛି ।

ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୂର୍ବ ଲଦାଖ ସ୍ଥିତି ନେଇ ବିସୃତ ସମୀକ୍ଷା କରିଛନ୍ତି । ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ ଜେନେରାଲ ବିପିନ ରାୱତ, ସେନା ମୁଖ୍ୟ ଏମ୍ ନାରଭାନେ, ଏୟାର ଚିଫ୍ ମାର୍ସଲ ଆରକେଏସ ଭଦୋରିଆ ଯୋଗ ଦେଇଥିଲେ । ପ୍ରାୟ ଦୁଇ ଘଂଟାର ବୈଠକରେ ଚୀନର କୌଣସି ଦୁଃସାହସିକ ପଦକ୍ଷେପକୁ ଭାରତୀୟ ସେନା ଉଚିତ ଜବାବ ଦେବେ ଏବଂ ଆକ୍ରମଣାତ୍ମକ ଆଭିମୁଖ୍ୟ ବଜାୟ ରଖିବେ ବୋଲି ମତ ପ୍ରକାଶ ପାଇଥିବା ଜଣାପଡିଛି । ଏହି ଅଂଚଳରେ ସ୍ୱତନ୍ତ୍ର ସୀମାନ୍ତ ବାହିନୀ ମୁତୟନ କରିବା ନେଇ ନିଷ୍ପତି ହୋଇଥିବା ସୂଚନା ମିଳିଛି । ଏହାସହ ଚୀନ ନିଜର ବାୟୁସେନାକୁ ଏହି ଅଂଚଳରେ ପ୍ରସ୍ତୁତ କରି ରଖିଥିବାରୁ ଭାରତୀୟ ବାୟୁସେନାକୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି ।