ଲଦାଖ-ସିକ୍କିମ ସୀମାରେ ଉତ୍ତେଜନା: ଭାରତୀୟ ଯବାନଙ୍କ ପାଟ୍ରୋଲିଂ ବିରୋଧ କଲେ ଡ୍ରାଗନ ସେନା; ବିଦେଶ ମନ୍ତ୍ରାଳୟ କହିଲା ଦେଶର ସୁରକ୍ଷା ସହ କରାଯିବନି ସାଲିସ୍

ସେପଟେ ଚୀନକୁ ଆମେରିକା ତୀବ୍ର ସମାଲୋଚନା

975

କନକ ବ୍ୟୁରୋ: ଲଦାଖ ଓ ସିକ୍କିମ୍ ସୀମାରେ ଭାରତୀୟ ଓ ଚୀନ୍ ସେନାଙ୍କ ଭିତରେ ବିବାଦକୁ ନେଇ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବେ ଆଗକୁ ଆସିଛି । ଭାରତ ସପକ୍ଷରେ ମତ ରଖିଛି ଆମେରିକା । ଆମେରିକା ରାଷ୍ଟ୍ରଦୂତ କହିଛନ୍ତି ସୀମାରେ ଏଭଳି ବିବାଦ ଚୀନ ପକ୍ଷରୁ ହିଁ ଆରମ୍ଭ ହୋଇଥାଏ । ଚୀନ ସେନା ହିଁ ସବୁବେଳେ ଭାରତୀୟ ସେନାଙ୍କୁ ଉସୁକାଇ ଥାଏ ।

ଗୋଟିଏ ପଟେ ସାରା ବିଶ୍ୱ କରୋନା ସହ ଲଢେଇ କରୁଛି । ଏପଟେ ଚୀନ କିନ୍ତୁ ନିଜ ଦୋଗଲାନୀତି ଛାଡୁନି । ଭାରତ-ଚୀନ ସୀମାରେ ପୁଣିଥରେ ଚୀନ ନିଜ ଗତିବିଧି ବଦଳାଇଛି । ଯାହାକୁ ନେଇ ଗତ କିଛିଦିନ ହେବ ଭାରତ-ଚୀନ ସୀମାରେ ଉଭୟ ଦେଶର ସେନାଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଲଦାଖ ଓ ସିକ୍କିମ୍ ସୀମାରେ ଦୁଇ ଦୁଇ ଥର ଭାରତୀୟ ଯବାନଙ୍କୁ ଟାର୍ଗେଟ କରିଛି ଡ୍ରାଗନ୍ ସେନା । ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଆମେରିକା ବେଦଶ ମନ୍ତ୍ରାଳୟରେ ଦକ୍ଷୀଣ ଓ ପଶ୍ଚିମ ଏସିଆ ବିଭାଗର ମୁଖ୍ୟ ଏଲିସ୍ ୱେଲ୍ସ କହିଛନ୍ତି – “ସୀମାରେ ଉପୁଜୁଥିବା ବିବାଦ ପଛରେ ଚୀନର ଉସ୍କାଇବା ନୀତି ରହିଛି । ଚୀନ ହିଁ ସୀମାରେ ବିବାଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରୁଛି ।”

ସେପଟେ ଭାରତ –ଚୀନ ସୀମାରେ ବିବାଦ ବଢି ବଢି ଚାଲିଛି । ସୀମାରେ ମୁହାଁମୁହିଁ ପରିସ୍ଥିତିରେ ଉଭୟ ଦେଶର ସେନା । ଭାରତୀୟ ସେନାର ଯୁକ୍ତି, ଗାଲବନ ଘାଟି ନିକଟରେ ଚୀନ ସେନା ଅସ୍ଥାୟୀ ଶିବିର ବନାଇବାକୁ ନେଇ ଏହି ବିବାଦ ଦାନା ବାନ୍ଧିଛି । ଯାହାକୁ ନେଇ ଲଦାଖ ସୀମାରେ ସେନା ସଂଖ୍ୟା ବଢାଇଛି ଭାରତ । କେବଳ ମେ ମାସରେ ସୀମାରେ ଅଲଗା ଅଲଗା ସ୍ଥାନରେ ଭାରତ- ଚୀନ, ଦୁଇ ଥର ମୁହାଁମୁହିଁ ହେବାର ଦୃଶ୍ୟ ସାମ୍ନାକୁ ଆସିଛି । ସୀମାରେ ପାଟ୍ରୋଲିଂ ସମୟରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଚୀନ ସେନା । ଏହି କଥାକୁ ସ୍ୱିକାର କରିଛନ୍ତି ଆର୍ମି ଚିଫ୍ ଜେନେରାଲ ଏମ୍ ଏମ୍ ନାରାଭାଣେ । ଭାରତ – ଚୀନ ବିବାଦକୁ ନେଇ ଏବେ ଭାରତ ସପକ୍ଷରେ ମନ୍ତବ୍ୟ ଦେଇଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଏବେ ଦେଖିବାକୁ ବାକି ରହିଲା ଆମେରିକାର ବୟାନ ଚୀନର ଆଭିମୁଖ୍ୟ ବଦଳାଇ ପାରୁଛି କି ନାହିଁ ।