କୋଟିଆକୁ ନେଇ ଆନ୍ଧ୍ର-ଓଡ଼ିଶା ଭିତରେ ଟଣାଓଟରା

ଗୁଲାବ ବାତ୍ୟାର କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରୁଛି କୋରାପୁଟ ଜିଲ୍ଲା ପ୍ରଶାସନ; ସମାନ ସ୍ଥାନର ରିପୋର୍ଟ ତାଙ୍କ ସରକାରଙ୍କୁ ଦେଇ ସାରିଲେଣି ଆନ୍ଧ୍ର ଅଧିକାରୀ

48

କନକ ବ୍ୟୁରୋ : କୋଟିଆକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ଲାଗି ରହିଛି ଟଣାଓଟରା । ଏହାରି ଭିତରେ ଗୁଲାବ ବାତ୍ୟାର କ୍ଷୟକ୍ଷତି ରିପୋର୍ଟକୁ ନେଇ ମଧ୍ୟ ଆରମ୍ଭ ହୋଇଛି କଳି । ବାତ୍ୟା ଗଲା ପରେ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀ ପହଂଚି କ୍ଷୟକ୍ଷତି ଆକଳନ କରିଛନ୍ତି । କୋରାପୁଟ ଜିଲ୍ଲା ପ୍ରଶାସନ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରୁଛନ୍ତି । ହେଲେ ଏହା ପୂର୍ବରୁ ଆନ୍ଧ୍ର ଅଧିକାରୀ ତାଙ୍କ ସରକାରଙ୍କୁ ରିପୋର୍ଟ ଦେଇ ସାରିଲେଣି ।

କିଏ ଓ କିପରି ବାତ୍ୟାରେ ପ୍ରଭାବିତ ହୋଇଥିବା କୋଟିଆବାସୀଙ୍କ ବିକାଶ କରିବ ତାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ନେଇ କୌଣସି ଅଧିକାରୀ ପ୍ରତିକ୍ରିୟା ରଖିନାହାନ୍ତି । ବାତ୍ୟାର ପ୍ରଭାବରେ କୋଟିଆର ଅନେକ ସ୍ଥାନରେ ବ୍ରିଜ୍ ଭାଙ୍ଗିଯିବା ସହ କେତେକ ଗାଁର ମାଟି ଘର ମଧ୍ୟ ଭାଙ୍ଗିଯାଇଛି । ସେପଟେ ରାଜ୍ୟ ସରକାର ନାମ ଫଳକ ମାଧ୍ୟମରେ ବିକାଶ କାମକୁ ଲୋକଙ୍କୁ ଜଣାଇବାକୁ ପ୍ରୟାସ କରୁଛନ୍ତି । ଏହାରି ଭିତରେ କୋଟିଆର ନେରେଡିୱାଲସାରେ ଲେଖାଯାଇଥିବା ଓଡ଼ିଆ ନାମଫଳକ ସହ ଅନ୍ୟ କେତେକ ଫଳକକୁ ଲିଭାଇ ତେଲଗୁ ଭାଷାରେ ଲେଖିଛି ଆନ୍ଧ୍ର । ଯାହାକୁ ନେଇ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି ।