ବିହାର ନିର୍ବାଚନ ତାରିଖ ଘୋଷଣା ପରେ ଆସନ ବୁଝାମଣାକୁ ନେଇ ତେଜୁଛି କନ୍ଦଳ : ଏନଡିଏର ଚିତ୍ର ସ୍ପଷ୍ଟ ହୋଇନଥିବା ବେଳେ କଂଗ୍ରେସ ପାଇଁ ଆରଜେଡି ସ୍ପଷ୍ଟ କଲା ଆସନ ସଂଖ୍ୟା 

4,877
କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିସାରିଛନ୍ତି  । ଅକ୍ଟୋବର ୨୮ ରେ ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ଏହା ସହ ନଭେମ୍ବର ୩ ଓ ୭ ରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏବଂ ନଭେମ୍ବର ୧୦ ତାରିଖ ଦିନ ଫଳା ଫଳ ଘୋଷଣା କରାଯିବ । ଏନେଇ ଆସନ୍ତା କାଲି ଅର୍ଥାତ ୨୯ ତାରିଖରେ ବିହାରରେ ପହଂଚିବେ ନିର୍ବାଚନ ଆୟୋଗ । ମୁଖ୍ୟ ନିର୍ବାଚନ ଅଧିକାରୀ  ଓ ପୋଲିସ ଅଧିକାରୀ ମାନେ କାଲି ଏକ ମିଳିତ ବୈଠକରେ ବସିବେ ।
 ଅନ୍ୟପଟେ ବିହାର ନିର୍ବାଚନରେ ଦଳମତ ନିର୍ବିଶେଷରେ ଦୁଇ ଗୋଷ୍ଠି ମଧ୍ୟରେ ଲଢେଇ ହେବ ବୋଲି ସ୍ପଷ୍ଟ ହେବାରେ ଲାଗିଛି । ଏନଡିଏ ଓ ମହାମେଣ୍ଟ ଭିତରେ ଏହି ଲଢେଇ ହେବାକୁ ଯାଉଛି । ଏନଡିଏରେ ମୁଖ୍ୟ ଅଂଶିଦାର ଦଳ ବିଜେପି ଓ ଜେଡିୟୁ ଥିବା ବେଳେ ସେମାନଙ୍କର ସହଯୋଗୀ ଭାବେ ରାମ ବିଳାଶ ପାଶୱାନଙ୍କ ଏଲଜେପି ମଧ୍ୟ ଏହି ମେଣ୍ଟରେ ରହିପାରେ । ଅନ୍ୟପଟେ ମହାମେଣ୍ଟ କଥା ଉଠିଲେ କଂଗ୍ରେସ ଓ ଆରଜେଡି ହିଁ ଏହି ମେଣ୍ଟର ମୁଖ୍ୟ ଅଂଶିଦାର ଦଳ । ସେମାନଙ୍କ ସହିତ ସିପିଆଇ, ସିପିଆଇ (ଏମ୍) ସିପିଆଇ (ଏମ ଏଲ ଏ) ଭଳି ଛୋଟ ଛୋଟ ଦଳ ସାମିଲ ହେବା ଆଶା କରାଯାଉଛି ।
ନିର୍ବାଚନ ତାରିଖ ଘୋଷଣା ସରିଥିଲେ ବି ଏନଡିଏ ଭିତରେ କେଉଁ ଦଳ  କେତେ ଆସନରେ ଲଢିବ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ମହାମେଣ୍ଟରେ କଂଗ୍ରେସ ଓ ଆରଜେଡି ମଧ୍ୟରେ ଆସନ ବୁଝାମଣା ନେଇ କିଛିଟା ସ୍ପଷ୍ଟ ଚିତ୍ର ଆସିଛି । ସୂଚନା ମୁତାବକ ୨୪୩ ବିଶିଷ୍ଠ ବି÷ହାର ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୫୮ ଟି ଆସନରେ ପତିଦ୍ୱନ୍ଦିତା କରିବ ବୋଲି ଜଣା ପଡିଛି । ଅନ୍ୟପଟେ ଲୋକସଭା ଉପନିର୍ବାଚନ ହେବାକୁ ଥିବା ବାଲ୍ମିକନଗର ଆସନକୁ ଆରଜେଡି କଂଗ୍ରେସକୁ ଲଢିବାର ସୁଯୋଗ ଦେଇଛି । ସେପଟେ ମହାମେଣ୍ଟରେ ସାମିଲ ହେବା ନେଇ ଉପେନ୍ଦ୍ର କୁଶୱାହା କିଛି ସ୍ପଷ୍ଟ କରିନାହାନ୍ତି । ସେହି ଭଳି ବିହାରର ବାମଫ୍ରଣ୍ଟର ମୁଖ୍ୟ ଅଂଶିଦାର ଦଳ ସିପିଆଇ (ଏମଏଲଏ) କୁ ମହାମେଣ୍ଟ କେତେ ଆସନ ଛାଡିବ ସେନେଇ ବି କିଛି ଚିତ୍ର ସ୍ପଷ୍ଟ କରିନାହିଁ ଆରଜେଡି । କଂଗ୍ରେସ ନେତା ରାଜେଶ୍ୱର ରାଥୋଡ କହିଛନ୍ତି କି ଆରଜେଡି ମହାମେଣ୍ଟରେ ମୁଖ୍ୟ ଅଂଶିଦାର ଦଳ ରହିବ । ତାହାର ନିଷ୍ପତ୍ତି ଶୀର୍ଷ ନିଷ୍ପତ୍ତି ବୋଲି ରାଥୋର ମତବ୍ୟକ୍ତ କରିଥିବା ବେଳେ, ଜେଡିୟୁ ନେତା ସଂଜୟ ସିଂ କହିଛନ୍ତି କି ଆରଜେଡି ଯେତେ ଚେଷ୍ଟା କରିଲେ ବି ମହାମେଣ୍ଟ ଗଠନ ଅସମ୍ଭବ । ଯଦି ବି ମହାମେଣ୍ଟ ଗଠିତ ହୁଏ ତେବେ ତାହା ନିର୍ବାଚନ ପୂର୍ବରୁ ଭାଙ୍ଗିଯିବ ।

Comments are closed.