ଭାରତ-ଚୀନ ସୀମାରେ ଉତ୍ତେଜନା । ୫ ପ୍ରମୁଖ ଚୁକ୍ତି ବିଫଳ, ଜାଣନ୍ତୁ କେଉଁ ଚୁକ୍ତି ହେଲା ବିଫଳ
କନକ ବ୍ୟୁରୋ : ଭାରତ- ଚୀନ୍ ସୀମା ବିବାଦର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ୫ଟି ପ୍ରମୁଖ ଚୁକ୍ତି ସ୍ୱାକ୍ଷର ହେବା ସହ ଅନ୍ୟାନ୍ୟ କାର୍ଯ୍ୟପନ୍ଥା ମଧ୍ୟ ଗ୍ରହଣ ହୋଇଥିଲା। କିନ୍ତୁ ସବୁ ଚୁକ୍ତି ଓ କଥାବାର୍ତ୍ତା ବିଫଳ ହୋଇଛି। ବର୍ତ୍ତମାନ ଏଲ୍ଏସିରେ ଯେଉଁ ସ୍ଥିତି ଉପୁଜିଛି ତାହା ହେଉଛି ତା’ର ଜ୍ୱଳନ୍ତ ଉଦାହରଣ। କୂଟନୀତିଜ୍ଞ ଓ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଚୁକ୍ତିଗୁଡ଼ିକ ଅତି ମାତ୍ରାରେ ଚୀନ୍ ସପକ୍ଷରେ ଯାଉଛି ଏବଂ ଏଲ୍ଏସିରେ ଉତ୍ତେଜନା ହ୍ରାସ ପାଇଁ ଏହା କୌଣସି ସୁଫଳ ଦେଉନି। ସୀମାକୁ ନେଇ ଉଭୟ ଭାରତ ଏବଂ ଚୀନ୍ ଭିନ୍ନ ମତ ରଖୁଛନ୍ତି। ଫଳରେ ଉଭୟଙ୍କ ମଧ୍ୟରେ ସୀମା ବିବାଦ ଜଟିଳ ହେବାରେ ଲାଗିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ସୀମାରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ଏବଂ ଚୀନ୍ ୫ଟି ଚୁକ୍ତି ସ୍ୱାକ୍ଷର କରିଥିଲେ। ଏଲ୍ଏସିରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାପାଇଁ ୧୯୯୩ରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଏଲ୍ଏସି ସ୍ଥିତ ସାମରିକ କ୍ଷେତ୍ରରେ ବିଶ୍ୱାସକୁ ଅଧିକ ସୁଦୃଢ଼ କରିବା ପାଇଁ ୧୯୯୬ ସିବିଏମ୍ (କନ୍ଫିଡେନ୍ସ ବିଲ୍ଡିଙ୍ଗ୍ ମେଜର)ଚୁକ୍ତି ସଂପନ୍ନ ହୋଇଥିଲଶା। ଏଲ୍ଏସି ସ୍ଥିତ ସାମରିକ କ୍ଷେତ୍ରରେ ସିବିଏମ୍କୁ ବିସ୍ତୃତ ଭାବେ କାର୍ଯ୍ୟକାରୀ କରିବା ପାଇଁ ୨୦୦୫ରେ ପ୍ରୋଟକଲ୍ ପ୍ରସ୍ତୁତ ହୋଇଥିଲା।। ସେହିପରି ଅନ୍ୟ ୨ଟି ଚୁକ୍ତି ହେଉଛି ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗରେ ସହଭାଗିତା ଏବଂ ପରାମର୍ଶ ପାଇଁ ଏକ କାର୍ଯ୍ୟପ୍ରଣାଳୀ ସୃଷ୍ଟି କରିବାକୁ ୨୦୧୨ ଚୁକ୍ତି ଏବଂ ୨୦୧୩ ସୀମା ସୁରକ୍ଷା ସହଯୋଗ ଚୁକ୍ତି।
ଉପରୋକ୍ତ ୫ ଚୁକ୍ତି ବାଦ୍ ଭାରତ ଏବଂ ଚୀନ୍ର ରାଜନୈତିକ ପ୍ରତିନିଧିଙ୍କୁ ନେଇ ୧୯୮୦ ଦଶକରେ ଏକ ଜେଡବ୍ଲ୍ୟୁଜି (ଜଏଣ୍ଟ୍ ୱାର୍କିଂ ଗ୍ରୁପ୍) ଗଠନ ହୋଇଥିଲା। ଜେଡବ୍ଲ୍ୟୁଜି ବୈଠକ ଅନେକ ଥର ହୋଇଛି ଏବଂ କିନ୍ତୁ ସୀମା ବିବାଦ ପ୍ରସଙ୍ଗରେ ଏହା କୌଣସି ନିଷ୍କର୍ସରେ ପହଞ୍ଚି ପାରିନି। ତେବେ ଏହି ଜେଡବ୍ଲ୍ୟୁଜି ବାଦ୍ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଏକ ସ୍ବତନ୍ତ୍ର ପ୍ରତିନିଧି ମଧ୍ୟ ନିଯୁକ୍ତ ହୋଇଥିଲେ। ସୀମାରେ ଅଶାନ୍ତ ସ୍ଥିତିକୁ ଶାନ୍ତ କରିବା ପାଇଁ ଏହି ସ୍ୱତନ୍ତ୍ର ପ୍ରତିନିଧି ନିଯୁକ୍ତ ହୋଇଥିଲେ। ଏନ୍ଏସ୍ଏ ଅଜିତ ଡୋଭାଲ୍ ମଧ୍ୟ ସୀମା ବିବାଦର ସମାଧାନ ପାଇଁ ନିଜ ଆଡ଼ୁ ଆଲୋଚନା କରିଛନ୍ତି। କିନ୍ତୁ ସବୁଥିରେ ନିରାଶ ହେବାକୁ ପଡ଼ିଛି। ଚୀନ୍କୁ ତା’ର ଭାଷାରେ ହିଁ ଜବାବ ଦେବା ଦରକାର ବୋଲି ଏବେ ବରିଷ୍ଠ କୂଟନୀତିଜ୍ଞମାନେ ମତ ଦେଇଛନ୍ତି।