କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ବଢିଲା ସାରା ବିଶ୍ୱର ଚିନ୍ତା । ୭୦ ପ୍ରତିଶତ ଅଧିକ ବେଗରେ ହୋଇପାରେ ସଂକ୍ରମଣ । ସେପଟେ ବ୍ରିଟେନ ସହ ବିମାନ ଚଳାଚଳ ବାତିଲ କଲା ଭାରତ 

456

କନକ ବ୍ୟୁରୋ : କରୋନା ଟିକାକୁ ନେଇ ଭଲ ଖବର ଆସୁଥିବା ବେଳେ ପୁଣି ଚିନ୍ତା ବଢ଼ାଇଛି କରୋନା ଭୂତାଣୁର ନୂଆ ଷ୍ଟ୍ରେନ । ଲଣ୍ଡନ ଓ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଚିହ୍ନଟ ହୋଇଥିବା କରୋନାର ନୂଆ ରୂପ କେବଳ ଇଂଲଣ୍ଡ ନୁହେଁ ପୂରା ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି ।

କୋଭିଡ୍-୧୯ ଭୂତାଣୁ ୧୭ ପ୍ରକାଣ ରୂପ ବଦଳାଇଥିବା ଏବେ ଏହି ନୂଆ ଷ୍ଟ୍ରେନ ସ୍ଥିତିକୁ ଅଣାୟତ କରିଛି । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କହିଛନ୍ତି କ୍ଷିପ୍ର ବେଗରେ ସଂକ୍ରମଣ ବଢ଼ାଉଥିବା ଏହି ନୂଆ ଷ୍ଟ୍ରେନ୍ ପାଖାପାଖି ୭୦ ପ୍ରତିଶତ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି । ଜଣେ ଆକ୍ରାନ୍ତଙ୍କ ଠାରୁ ଏହି ସଂକ୍ରମଣ ୦.୪ ପ୍ରତିଶତ ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି । ବ୍ରିଟେନ୍ରେ ପୂର୍ବରୁ ୧୦ ଜଣ ଆକ୍ରାନ୍ତ ହାରାହାରି ୯ ଜଣଙ୍କୁ ସଂକ୍ରମିତ କରୁଥିବା ବେଳେ ଏବେ ୧୦ ଜଣ ଆକ୍ରାନ୍ତ, ୧୨ରୁ ୧୩ ଜଣଙ୍କୁ ସଂକ୍ରମିତ କରୁଛନ୍ତି । ଅର୍ଥାତ୍ ଲକ୍ଷେ ଲୋକ ଯଦି ନୂଆ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୁଅନ୍ତି, ଚାହୁଁ ଚାହୁଁ ଏମାନେ ଆଉ ଲକ୍ଷେ ୩୦ ଜଣଙ୍କୁ ଆକ୍ରାନ୍ତ କରିଦେବେ ।

ଇଣ୍ଡନର ନୂଆ ଷ୍ଟ୍ରେନ୍ ଯୋଗୁଁ ସାରା ବିଶ୍ୱରେ ପୁଣି ଥରେ କରୋନାକୁ ନେଇ ଆତଙ୍କ ଖେଳିଯାଇଛି । ଇଟାଲି ଓ ଅନ୍ୟ ୟୁରୋପୀୟ ଦେଶରେ ମଧ୍ୟ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ରୋଗୀ ଚିହ୍ନଟ ହୋଇଛନ୍ତି । ଲଣ୍ଡନ ଓ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଶକ୍ତ ଲକ୍ଡାଉନ୍ ଘୋଷଣା ହୋଇଛି ।

ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ୟୁରୋପୀୟ ମହାଦେଶର ଅନେକ ରାଷ୍ଟ୍ର ବ୍ରିଟେନରୁ ଆସୁଥିବା ବିମାନ ସେବା ଉପରେ ରୋକ ଲଗାଇଛନ୍ତି । ଭାରତ ସରକାର ମଧ୍ୟ ବିମାନ ଚଳାଚଳକୁ ବାତିଲ କରିବା ପାଇଁ ନିଷ୍ପତି ନେଇଛନ୍ତି । ବ୍ରିଟେନକୁ ଯାଉଥିବା ଓ ଆସୁଥିବା ସମସ୍ତ ବିମାନକୁ ବାତିଲ କରିଛନ୍ତି ଭାରତ ସରକାର । ୨୨ ତାରିଖ ମଧ୍ୟରାତିରୁ ୩୧ ତାରିଖ ମଧ୍ୟରାତି ପର୍ଯ୍ୟନ୍ତ ବିମାନ ଚଳାଚଳ ଉପରେ କଟକଣା ଲାଗିଛି ।

ବ୍ରିଟେନରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ବାଧ୍ୟତାମୂଳକ ଆରଟିପିସିଆର ଟେଷ୍ଟ କରିବାକୁ କୁହାଯାଇଛି  । ବିମାନବନ୍ଦରରେ ହିଁ ହେବ ଯାତ୍ରୀଙ୍କ କରୋନା ଟେଷ୍ଟ । ଯେଉଁମାନେ ପଜିଟିଭ ଥିବେ ସେମାନେ ସଂଗରୋଧରେ ରହିବା ବାଧ୍ୟତାମୂଳକ । ନେଗେଟିଭ ଥିଲେ ୭ ଦିନ ପାଇଁ ଘରୋଇ ସଂଗରୋଧରେ ରହିବେ । ଏ ସଂପର୍କିତ ସମସ୍ତ ତଥ୍ୟ ବିମାନବନ୍ଦରରେ ଡିସପ୍ଲେ ମାଧ୍ୟମରେ ସୂଚାଇ ଦିଆଯିବ । ପ୍ରତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ବିମାନବନ୍ଦରରେ ହେଲ୍ପ-ଡେସ୍କର ବ୍ୟବସ୍ଥା କରାଯିବ । ବିମାନବନ୍ଦରରେ ହିଁ ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ କରାଯିବ ।

ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠାରୁ ଆରମ୍ଭ କରି କରୋନା ସଂପର୍କରେ ଗବେଷଣା କରୁଥିବା ଅନୁଷ୍ଠାନଗୁଡିକ ନୂଆ ଷ୍ଟ୍ରେନ ସଂପର୍କରେ ଗବେଷଣାକୁ ଜୋରଦାର କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି ଯେଉଁ ଟିକା ପ୍ରସ୍ତୁତ ହେଉଛି, ତାହା ଏଥିରେ କାମ କରିବ କି ନାହିଁ । ତେବେ ଅଧିକାଂଶ ବିଶେଷଜ୍ଞଙ୍କ ମତରେ ଟିକା ଏହି ନୂଆ ଷ୍ଟ୍ରେନ ବିରୋଧରେ ବି କାର୍ଯ୍ୟ କରିବ ।

ନୂଆ କରୋନା ଷ୍ଟ୍ରେନ୍କୁ ନେଇ ସାରା ବିଶ୍ୱରେ ହଲଚଲ ସୃଷ୍ଟି ହୋଇଥିବା ବେଳେ ଆମେରିକାର ନୂଆ ସର୍ଜନ ଜେନେରାଲ୍ ଡାକ୍ତର ବିବେକ ମୂର୍ତ୍ତି କହିଛନ୍ତି, ଏହି ନୂଆ ଷ୍ଟ୍ରେନ୍ ଅଧିକ ଭୟଙ୍କର ନୁହେଁ ।