ରାଉରକେଲା ସୁପର ସ୍ପେଶାଲିଟି ହସ୍ପିଟାଲକୁ ନେଇ ଥମୁନି ବିବାଦ : ମେଡିକାଲ କଲେଜ କୁଆଡେ ଗଲା ବୋଲି ବିଜେଡି-ସିଟୁର ପ୍ରଶ୍ନ 

ହସ୍ପିଟାଲକୁ ଧସେଇ ପଶିଲେ, ଝାମେଲା କଲେ ବିଜେଡି ନେତା ଓ କର୍ମୀ; ସାଙ୍ଗରେ ଗଲେ ସିପିଆଇ ସମର୍ଥିତ ଶ୍ରମିକ ସାମ୍ମୁଖ୍ୟ ସିଟୁର କର୍ମୀ 

70

କନକ ବ୍ୟୁରୋ : ଇସ୍ପାତ ସ୍ନାତକୋତର ପ୍ରତିଷ୍ଠାନ ଓ ସୁପର ସ୍ପେଶାଲିଟି ହସ୍ପିଟାଲର ଲୋକାର୍ପଣ ପରେ ବି ଥମୁନି ବିବାଦ । ମେଡିକାଲ କଲେଜ ନଖୋଲିବା, ଆନୁଷଙ୍ଗିକ ବ୍ୟବସ୍ଥା ଓ ଡାକ୍ତର ନିଯୁକ୍ତି ହୋଇ ନଥିବାବେଳେ ଏହାକୁ ଲୋକାର୍ପଣ କରାଯାଇଥିବାରୁ ପ୍ରବଳ ବିରୋଧ କରିଛନ୍ତି ଦୁଇ ରାଜନୈତିକ ଦଳ ବିଜେଡି ଓ ସିପିଏମ । ଉଭୟ ଦଳର କିଛି ନେତା ଓ କର୍ମୀ ହସ୍ପିଟାଲ ଭିତରକୁ ଧସେଇ ପଶିବା ସହ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଏଣୁ ତେଣୁ ପ୍ରଶ୍ନ କରିଥିଲେ ।

ସୁପର ସ୍ପେଶାଲିଟି ହସ୍ପିଟାଲକୁ ଯାଉଥିବା ରୋଗୀଙ୍କଠାରୁ ୫୦୦ ଟଙ୍କା ପଞ୍ଜିକରଣ ଫି ଆଦାୟ କରାଯାଉଥିବାବେଳେ ସେମାନଙ୍କୁ ସେଲ ପରିଚାଳିତ ଆଇଜିଏଚକୁ କାହିଁକି ରେଫର କରାଯାଉଛି ବୋଲି ପ୍ରଶ୍ନ କରି ବିଜେଡି ଓ ସିଟୁ କର୍ମୀମାନେ ଆନ୍ଦୋଳନ କରିଥିଲେ । ଯେପର୍ଯ୍ୟନ୍ତ ଆବଶ୍ୟକ ଚିକିତ୍ସା ସୁବିଧା ନମିଳିଛି ଓ ଦୁଇଟିଯାକ ମେଡିକାଲ କଲେଜ ନଖୋଲିଛି ସେପର୍ଯ୍ୟନ୍ତ ସୁପର ସ୍ପେଶାଲିଟି ହସ୍ପିଟାଲର ଆଉଟଡୋରକୁ ବନ୍ଦ ରଖିବା ପାଇଁ ଦାବି କରିଥିଲେ ବିକ୍ଷୋଭକାରୀ । ଏହାକୁ ନେଇ ହସ୍ପିଟାଲ ପରିସରରେ ଉତେଜନା ପ୍ରକାଶ ପାଇଥିଲା ।

ଅନ୍ୟ ପକ୍ଷରେ ବିଜେଡି ଓ ସିପିଏମ ସମର୍ଥିତ ସିଟୁର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ବିଜେପି ଓ ବିଜେପି ସମର୍ଥିକ ଶ୍ରମିକ ସଂଗଠନ ଭାରତୀୟ ମଜଦୁର ସଂଘ । ଏଭଳି କାଣ୍ଡ କରିଥିବା ନେତା ଓ କର୍ମୀଙ୍କ ଗିରଫ ଦାବିରେ ବୀରମିତ୍ରପୁର ବିଜେପି ବିଧାୟକ ଶଙ୍କର ଓରାମଙ୍କ ନେତୃତ୍ୱରେ ଶତାଧିକ କର୍ମୀ ରାଉରକେଲା ସେକ୍ଟର ୧୯ ଥାନା ଘେରାଉ କରିଥିଲେ ।