କଟକ ସୁନା ଋଣ ସଂସ୍ଥାରୁ କୋଟି କୋଟି ଟଙ୍କାର ଲୁଟ ପରେ ବନ୍ଧକ ରଖିଥିବା ଲୋକଙ୍କ ମଧ୍ୟରେ ଭାଳେଣୀ । କେମିତି ଫେରିପାଇବେ ସୁନା ବଢ଼ିଲା ଚିନ୍ତା?

420

କନକ ବ୍ୟୁରୋ : କଟକ ନୟାସଡକ ଆଇଆଇଏଫଏଲ ସଂସ୍ଥାରୁ ପାୟ ୨୦ କୋଟି ଟଙ୍କାର ସୁନା ଗହଣା ଲୁଟ ହେବାକୁ ଦୁଇ ଦିନ ବିତିଲାଣି । ହେଲେ ଏପର୍ଯ୍ୟନ୍ତ ଲୁଟେରାଙ୍କ ସୁରାକ ପାଉନି ପୋଲିସ । ଏହାକୁ ନେଇ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଅନ୍ୟପଟେ ସୁନା ବନ୍ଧକ ରଖି ଟଙ୍କା ନେଇଥିବା ଗ୍ରାହକମାନେ ସେମାନଙ୍କ ସୁନା କେମିତି ଫେରି ପାଇବେ ତାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ।

ଜରୁରୀ ଆବଶ୍ୟକତା ପଡିବାରୁ ସୁନା ରଖି ଲୁଟ ହୋଇଥିବା ଆଇଆଇଏଫଏଲ ସଂସ୍ଥାରୁ ଋଣ ନେଇଥିଲେ ଏହି ବ୍ୟକ୍ତି । ପ୍ରାୟ ଦେଢ଼ ଶହ ଗ୍ରାମ ସୁନା ରଖି ମାତ୍ର ୩ ଲକ୍ଷ ଟଙ୍କା ନେଇଥିଲେ । ହେଲେ, ଏବେ ସେ ରଖିଥିବା ସୁନାକୁ ଲୁଟେରାମାନେ ଲୁଟି ନେଇଛନ୍ତି । ତେଣୁ ସେ ତାଙ୍କ ସୁନା ଆଉ ଫେରି ପାଇବେ କି ନାହିଁ ଆଶଙ୍କାରେ ଅଛନ୍ତି । ଏଥିପାଇଁ ସଂସ୍ଥାକୁ ଆସି ପଚାରି ବୁଝିଛନ୍ତି । କେବଳ ଏହି ବ୍ୟକ୍ତି ନୁହଁନ୍ତି ବନ୍ଧକ ରଖିଥିବା ଏକାଧିକ ଗ୍ରାହକ ସେମାନେ ରଖିଥିବା ସୁନା ବିଷୟରେ ବୁଝିବା ପାଇଁ କାର୍ଯ୍ୟାଳୟକୁ ଆସୁଛନ୍ତି । ହେଲେ, ସୁନା ଫେରି ପାଇବେ କି ତାକୁ ନେଇ ଆଶଙ୍କାରେ ରହିଛନ୍ତି ।

ଲୁଟ ହେବାର ଦୁଇ ଦିନ ପରେ ବି ଲୁଟେରାଙ୍କ ପାଖରେ ପହଁଚି ପାରିନି ପୋଲିସ । କେବଳ ତିନୋଟି ଟିମ୍ କରି ଛାନଭିନ କରୁଛି । ଦୁଇଟି ଟିମ୍ କଟକ ଭିତରେ ତଦନ୍ତ କରୁଥିବାବେଳେ ୨ଟି ଟିମ୍ କଟକ ବାହାରେ ତଦନ୍ତ କରୁଛନ୍ତି ।

ଆଉ ଏସବୁ ଭିତରେ ସାମନାକୁ ଆସିଛି ଲୁଟେରାମାନେ ରାସ୍ତାରେ ଯାଉଥିବାବେଳର ସିସିଟିଭି ଫୁଟେଜ୍ । ଏଥିରେ ଜଣାପଡୁଛି ଦୁଇ ଜଣ ଲୁଟେରା ବାଇକରେ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମୁଣ୍ଡରେ ହେଲମେଟ ଦେଇଥିବାବେଳେ ଅନ୍ୟ ଜଣେ ମୁଣ୍ଡରେ ମଙ୍କି କ୍ୟାପ ପିନ୍ଧିଛନ୍ତିି । ଆଉ ଏକ ଫଟୋରେ ଜଣେ ଲୁଟେରା ହାତରେ ଏକ ଭୁଜାଲି ଧରି ଚାଲି ଚାଲି ଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ଲୁଟେରାଙ୍କ ପାଖରେ ପହଁଚିପାରିନି ପୋଲିସ । ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ କାହିଁକି ଲୁଟେରାଙ୍କ ଧରି ପାରୁନି ସେ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ।