କନକ ବ୍ୟୁରୋ: ସମ୍ବଲପୁରରେ ଟୁରିଷ୍ଟ ବସ ଦୁର୍ଘଟଣାରେ ନାବାଳକ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ । ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡିଛି । ଲୋକେ ପୁଲିସ ଉପରକୁ ବି ଢେଲାମାଡ କରିଛନ୍ତି । ଗତକାଲି ସନ୍ଧ୍ୟାରେ ସମ୍ବଲପୁର ଫେଜର କ୍ଲବ ସାମ୍ନାରେ ଦୁର୍ଘଟଣା ଘଟିଥିଲା ।

ବସ ଧକ୍କାରେ ସ୍କୁଟି ଚାଳକ ନାବାଳକ ଦିଶାନ ନାୟକଙ୍କ ମୃତ୍ୟୁ ହୋଇଥିଲା । ବସଟି ମୟୁରଭଂଜରୁ ହୀରାକୁଦ ଆସିଥିଲା । ଆଉ ଫେରିବା ସମୟରେ ସ୍କୁଟିରେ ଯାଉଥିବା ଦିଶାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଦିଶାନଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସେଠାରେ ଉତେଜନା ଦେଖାଦେଇଥିଲା । ମୃତ ନାବାଳକ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଦିଶାନ ନାୟକ ବୋଲି ଜଣାପଡିଛି । ଉତ୍ୟକ୍ତ ଲୋକେ ଲକ୍ଷ୍ମୀ ଟକିଜ ଛକରେ ରାସ୍ତା ଅବରୋଧ କରିବା ସହ ଗାଡି ଉପରକୁ ପଥରମାଡ କରିଥିଲେ । ପୁଲିସ ଉତ୍ୟକ୍ତ ଲୋକଙ୍କୁ ଶାନ୍ତ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ପରିସ୍ଥିତି ଅଣାୟତ ହେବାରୁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡିଛି ।

ସମ୍ବଲପୁରରେ ସଡ଼କ ଦୁର୍ଘଟଣାରେ ନାବାଳକର ମୃତ୍ୟୁକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ । ଶୋକସନ୍ତପ୍ତ ପରିବାରକୁ ମା’ ସମଲେଶ୍ୱରୀ ଧର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି କହିଛନ୍ତି । ଘଟଣାସ୍ଥଳରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ବେଦନଶୀଳ ହୋଇ ପ୍ରୟାସ କରନ୍ତୁ । ସମ୍ବଲପୁର ଜନସାଧାରଣଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସେ ଅପିଲ କରିଛନ୍ତି ।