କନକ ବ୍ୟୁରୋ: ରାତି ଅଧରେ ଠାକୁର ଦର୍ଶନ । ପୁଲିସ-ସେବାୟତ ବିବାଦ ଯୋଗୁଁ ପ୍ରାୟ ୧୪ ଘଂଟା ପରେ ଶ୍ରୀମନ୍ଦିର ଖୋଲିଲା । ଏଭଳି ସ୍ଥିତିରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଦୂର ଦୂରାନ୍ତରରୁ ଆସିଥିବା ଭକ୍ତ ଶ୍ରୀମନ୍ଦିର ଦ୍ୱାର ଖୋଲିବାକୁ ଚାହିଁ ରହିଥିଲେ । ଗତକାଲି ସଂନ୍ଧ୍ୟା ୫ଟାରେ ଦ୍ୱାର ଖୋଲିବା ପରେ ନୀତିକାନ୍ତ ଆରମ୍ଭ ହୋଇଥିବା ବେଳେ ରାତି ଅଧଯାଏଁ ଠାକୁର ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଭୋର ସାଢ଼େ ୩ଟା ଯାଏଁ ଠାକୁର ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ସେବାୟତ ପୁଲିସ୍ ବିବାଦ ଯୋଗୁଁ ବେଶ ହଇରାଣ ହୋଇଛନ୍ତି ଶ୍ରଦ୍ଧାଳୁ । ଏମିତିକି ଗତକାଲି କିଛି ଭକ୍ତ ବଡଦାଣ୍ଡରେ କାନ୍ଦୁଥିବାରୁ ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଥିଲା । ହେଲେ ଏତେ ବଡ ବିବାଦ ପାଇଁ କାହାକୁ ଦାୟୀ କରାଯିବ । କାହିଁକି ସାଧାରଣ ଭକ୍ତ ଏଥିପାଇଁ ଅସୁବିଧାର ସମ୍ମୁଖିନ ହେବେ ।
ସୂଚନାଯୋଗ୍ୟ, ସମ୍ପ୍ରତି ପହିଲି ଭୋଗ ନୀତି ଚାଲିଥିବା ବେଳେ ସ୍ବାଭାବିକ ଭାବେ ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି ପାଇଁ ଛତିଶା ନିଯୋଗ ଓ ନୀତି ସବ୍ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ଆଜି ଶ୍ରୀମନ୍ଦିରରେ ଭୋର ୩ଟାରେ ଦ୍ବାର ଫିଟା ଯିବା କଥା। କିନ୍ତୁ ଗତକାଲି ସକାଳୁ ସେମିତି ଘଟିନଥିଲା। ଶ୍ରୀମନ୍ଦିର ବ୍ୟବସ୍ଥା ଅନୁଯାୟୀ ଭିତରଚ୍ଛୁ ସେବାୟତ ଦ୍ବାର ଫିଟା ନୀତି ସଂପନ୍ନ କରିବା କଥା। ମାତ୍ର ଗତକାଲିର ଗଣ୍ଡଗୋଳକୁ କେନ୍ଦ୍ରକରି ଗତକାଲି ସକାଳୁ ସେବାୟତ ଧାରଣାରେ ବସିଯାଇଥିଲେ। ତାଙ୍କୁ ସମର୍ଥନ କରି ଅନ୍ୟ ସେବାୟତମାନେ ବେହରଣ ଦ୍ବାର ଆଗରେ ଧାରଣାରେ ସାମିଲ ହୋଇଥିଲେ। ଫଳରେ ନୀତି ବିଭ୍ରାଟର ସବୁ ସୀମା ଟପିଯାଇଥିଲା।
ଅପରପକ୍ଷେ, ପରିସ୍ଥିତିରୁ ଫାଇଦା ଉଠାଇ ସେବକମାନେ ପୁରୁଣା ଦାବି ଉଠାଇଲେ। ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ନିଲମ୍ବନ, ପୁରୀ ଏସପିଙ୍କ ବଦଳି, ପୁରୀ ହିଂସାକାଣ୍ଡ ଘଟଣାରେ ସଂପୃକ୍ତ ସେବାୟତଙ୍କ ଉପରୁ ମାମଲା ପ୍ରତ୍ୟାହାର, ପାଳିଆ ପୁରସ୍କାର ଓ ପ୍ରାପ୍ୟ ପାଉଣା ଆଦି ସବୁ ସ୍ଥାନ ପାଇଲା ଏଥିରେ। ଏ ନେଇ ଜିଲ୍ଲାପାଳ, ଏସପି ଓ ଉପଜିଲ୍ଲାପାଳ ଆନ୍ଦୋଳନରତ ସେବାୟତଙ୍କ ସହ ଦୁଇ ଦୁଇ ଥର ଆଲୋଚନା କରିଥିଲେ ବି ବୈଠକ ସଫଳ ହୋଇନଥିଲା। ସେବକମାନେ ନିଜ ଜିଦରେ ଅଟଳ ରହି ଧାରଣା ଜାରି ରଖିଥିଲେ।
ପ୍ରଶାସନ ଦାବିଗୁଡ଼ିକୁ ଅଯୌକ୍ତିକ ଦର୍ଶାଇ ମାନିନଥିଲା। ଫଳରେ ଭୋର ୩ ଟାରୁ ଅପରାହ୍ନ ୫ଟା ପର୍ୟ୍ୟନ୍ତ ଠାକୁର ଅପୂଜା, ଅଖିଆ ରହିଥିଲେ। ବଡ଼ଦାଣ୍ଡରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିନପାରି ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଥିଲେ। ପୁଲିସ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିବାରୁ ଭକ୍ତ-ପୁଲିସଙ୍କ ମଧ୍ୟରେ ସାମାନ୍ୟ ଧସ୍ତାଧସ୍ତି ହୋଇଥିଲା। ଶେଷରେ ନିଜ ଆଡ଼ୁ ପରମ୍ପରା କ୍ଷୁଣ୍ଣ ଭୟରେ ସେବକ ଅପରାହ୍ନ ୫ଟାରେ ଦ୍ବାର ଫିଟାଇ ଦେଇଥିଲେ।
Follow Us
/kanak/media/post_attachments/wp-content/uploads/2018/12/vlcsnap-2018-12-29-09h08m47s994-300x220.png)
/kanak/media/post_attachments/wp-content/uploads/2018/12/vlcsnap-2018-12-29-09h11m32s322-300x220.png)
/kanak/media/post_attachments/wp-content/uploads/2018/12/vlcsnap-2018-12-29-09h11m40s291-300x220.png)