ଚିନ୍ତା ବଢାଉଛି ଓମିକ୍ରନର ଉପପ୍ରଜାତି ବିଏ-ଟୁ: ଆରଟିପିସିଆର ରିପୋର୍ଟକୁ ବି ଦେଇପାରେ ଚକମା, ବିଶେଷଜ୍ଞ କହିଲେ ଏମିତି କଥା

171

କନକ ବ୍ୟୁରୋ: ସାରା ବିଶ୍ୱରେ କରୋନାର କହର ଜାରି ରହିଛି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ୟୁରୋପ । ଅଧିକାଂଶ ୟୁରୋପୀୟ ଦେଶଗୁଡିକରେ କରୋନାର ନୂଆ ଭାରିଆଂଟ ଓମିକ୍ରନର ତାଣ୍ଡବ ଦେଖିବାକୁ ମିଳିଛି । ତେବେ ଏହା ଭିତରେ ଆସିଛି ଆଶ୍ୱସ୍ତିକର ଖବର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ୟୁରୋପରେ ବ୍ୟାପୁଥିବା ଓମିକ୍ରନ ଲହର ଶେଷ ହେବା ପରେ ୟୁରୋପରେ ମହାମାରୀର ଅବସାନ ଘଟିବ । ଡବ୍ଲ୍ୟଏଚଓର ୟୁରୋପ ସଂଗଠନ ନିର୍ଦ୍ଦେଶକ ହାନ୍ସ କ୍ଲଗ ସମ୍ବାଦ ସରବରାହ ସଂସ୍ଥା ଫ୍ରାନ୍ସ ପ୍ରେସରେ ଏକ ସାକ୍ଷାତକାର ଦେଇ ଏହା କହିଛନ୍ତି ।

ମାର୍ଚ୍ଚ ସୁଦ୍ଧା ଓମିକ୍ରନ ଭ୍ୟାରିଆଂଟ ୬୦ ପ୍ରତିଶତ ୟୁରୋପୀୟଙ୍କୁ ଆକ୍ରାନ୍ତ କରିପାରେ । ଏହା ପରେ ୟୁରୋପରୁ କରୋନା ମହାମାରୀର ଅବସାନ ଘଟିବ । ଓମିକ୍ରନ ଦ୍ରୁତ ସଂକ୍ରମଣର ଅବସାନ ଘଟିଲେ କିଛି ସପ୍ତାହ ଅଥବା ମାସ ପାଇଁ ବୈଶ୍ୱିକ ଇମ୍ୟୁନିଟି ଆସିବ । ଟିକା ଯୋଗୁଁ ଏହି ଇମ୍ୟୁନିଟି ବୃଦ୍ଧି ପାଉଛି । ଆମେରିକା ସରକାରଙ୍କ ମୁଖ୍ୟ ସ୍ୱାସ୍ଥ୍ୟ ପରାର୍ମଶଦାତା ଡାକ୍ତର ଆନ୍ଥୋନୀ ଫାଉସି ଓ ବିଶ୍ୱସ୍ଥାସ୍ଥ୍ୟସଂଗଠନର ଆଫ୍ରିକା ଆଂଚଳିକ କାର୍ଯ୍ୟାଳୟ ମଧ୍ୟ ସମାନ ଆଶା ବ୍ୟକ୍ତ କରିଛି ।

ସେପଟେ ଚିନ୍ତା ବଢାଉଛି ଗୁପ୍ତ ଓମିକ୍ରନ୍ । ବିଶ୍ୱବ୍ୟାପୀ ଏହା ବଡ଼ ଧରଣର କୋଭିଡ୍ ସଂକ୍ରମଣ ଲହର ଆଣିପାରେ । ଏପରିକି ଏହି ଭ୍ୟାରିଆଂଟ ଆରଟିପିସିଆର ଟେଷ୍ଟକୁ ବି ଚକ୍ମା ଦେଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ଚୋରା ଭ୍ୟାରିଆଂଟର ନାଁ ରହିିଛି ବିଏ.୨ । ବ୍ରିଟେନ୍ରେ ଏହା ପ୍ରଥମେ ଚିହ୍ନଟ ହୋଇଥିଲା । ବର୍ତମାନ ସୁଦ୍ଧା ଏହା ୪୦ରୁ ଅଧିକ ଦେଶକୁ ମାଡି ସାରିଲାଣି । ବର୍ତମାନ ୯୯ ପ୍ରତିଶତ ମାମଲାରେ ବିଏ.୧ ଭାରିଆଂଟ ରହିଛି । ଏହା ଡେଲ୍ଟା ଠାରୁ ଅଧିକ ସଂକ୍ରାମକ । କିନ୍ତୁ ଏହାଠାରୁ ଅଧିକ ଘାତକ ତଥା ସଂକ୍ରାମଣ ହେଉଛି ବିଏ.୨ ବା ଗୁପ୍ତ ଭ୍ୟାରିଆଂଟ ।

ବିଶ୍ୱ ସ୍ୱାସ୍ଥ୍ର ସଂଗଠନର କହିବା ଅନୁସାରେ, ବିଏ.୨ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି । ଜାନୁଆରୀ ୨୦ରେ ଡେନ୍ମାର୍କରେ ଚିହ୍ନଟ ହୋଇଥିବା ଅଧା ମାମଲାରେ ବିଏ.୨ ସବ୍ଷ୍ଟ୍ରେନ୍ ରହିଥିଲା । ବ୍ରିଟେନ୍, ଡେନ୍ମାର୍କ ବ୍ୟତୀତ ସ୍ୱିଡେନ୍, ନରୱେ ଓ ଭାରତରେ ଏହି ଭ୍ୟାରିଆଂଟ ଚିହ୍ନଟ କରାଗଲାଣି । ବିଏ.୧ରେ ରହୁଥିବା ମ୍ୟୁଟେସନ୍ଗୁଡ଼ିକ ବିଏ.୨ରେ ନଥିବାରୁ ପରୀକ୍ଷା ଦ୍ୱାରା ଏହାକୁ ଚିହ୍ନଟ କରିବା ମୁସ୍କିଲ ହୋଇପଡ଼ୁଛି । ତେଣୁ ଏହାକୁ ଚୋରା ବା ଗୁପ୍ତ ଓମିକ୍ରନ୍ ବୋଲି କୁହାଯାଉଛି ।

ନଜର ପକାନ୍ତୁ କେତେ ଭୟଙ୍କର ଓମିକ୍ରନ୍ର ଏହି ଚୋରା ଭ୍ୟାରଆଂଟ ।
– ଡେଲଟାଠୁ ଅଧିକ ଶୀଘ୍ର ବ୍ୟାପୁଛି ବିଏ.୨ ଭ୍ୟାରିଆଂଟ
– ନୂଆ ଭ୍ୟାରିଆଂଟ ପାଇଁ ବିଶ୍ୱରେ ତୃତୀୟ ଲହର ଲମ୍ବା ସମୟ ପାଇଁ ରହିପାରେ
– ଜାନୁଆରୀ ୨୩ ସୁଦ୍ଧା ବ୍ରିଟେନରେ ବିଏ.୨ ଦ୍ୱାରା ୪୨୬ ସଂକ୍ରମିତ ହୋଇଥିଲେ
– ଭ୍ୟାରିଆଂଟର ପ୍ରଥମ ନମୁନା ଫିଲିପାଇନ୍ସରୁ ସଂଗୃହୀତ ହୋଇଥିବା ବ୍ରିଟେନ୍ର ଦାବି
– ନଭେମ୍ବର ୧୭ରୁ ଗ୍ଲୋବାଲ ଇନସେନଟିଭ୍ ଅନ୍ ସେଆରିଂ ଅଲ୍ ଇନଫ୍ଲୁଏଂଜା ତଥ୍ୟ ଏକତ୍ରିତ କରୁଛି
– ଡେନମାର୍କରେ ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୪୫ ପ୍ରତିଶତ ବିଏ. ୨ ଦ୍ୱାରା ସଂକ୍ରମିତ
– ବିଏ.୨ ଆରଟିପିସିଆର ଟେଷ୍ଟକୁ ଚକମା ଦେବାର କ୍ଷମତା ରଖିଛି
– ରୋଗ ପ୍ରତିରୋଧକ ଶକ୍ତିକୁ ଅଧିକ ଦୁର୍ବଳ କରିପାରେ

ୟୁକେ ହେଲଥ ସିକ୍ୟୁରିଟି ଏଜେନ୍ସିର ନିର୍ଦ୍ଦେଶକ ଡକ୍ଟର ମୀରା ଚାନ୍ଦଙ୍କ ମତରେ ଓମିକ୍ରନ ଏଭଳି ଏକ ଭ୍ୟାରିଆଂଟ ଯିଏ ବାରମ୍ବାର ରୂପ ବଦଳାଉଛି ଓ ଆଗକୁ ମଧ୍ୟ ବଦଳାଇବ ।ତେଣୁ ଜେନୋମ ସିକ୍ୱେନ୍ସ ପରୀକ୍ଷା ଦ୍ୱାରା ଏହା କେତେ କ୍ଷତିକାର ନା ନୁହେଁ ଏହା ଉପରେ ନଜର ରଖାଯାଇଛି । ୪୦ଟି ଦେଶରେ ଏବେ ସୁଦ୍ଧା ଓମିକ୍ରନ ବିଏ-ୱାନ ବ୍ୟାପିଛି ।

ଯେତିକି ରୂପ ବଦଳାଇ ଓମିକ୍ରନର ଏହି ନୂଆ ଭାରିଆଂଟ ମାଡୁଛି ସେତିକି କଷ୍ଟ ହେଉଛି ଏହାକୁ ଚିହ୍ନିବା । ବିଶେଷଜ୍ଞଙ୍କ ମତରେ ଯେଉଁମାନେ ଓମିକ୍ରନ ବିଏ.୧ ଯେଉଁମାନେ ଆକ୍ରନ୍ତ ହୋଇଥିବେ ସେମାନଙ୍କୁ ବିଏ.୨ ବି ପୁଣି ଆକ୍ରମଣ କରିପାରେ ।ଏହା ଭିତରେ ମହାମାରୀର ଦୁଇ ଦୁଇଟି ଲହର ଏକାଠି ଆସିବା ଆଶଙ୍କା ବି ରହିଛି ।-