ଜଳେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକରେ ନକଲି ଏମଭିଆଇଙ୍କ ଦୌରାତ୍ମ୍ୟ। ପର୍ଯ୍ୟଟକଙ୍କୁ ମାଡ ମାରି ଲୁଟି ନେଲେ ଟଙ୍କା ଆଉ ଗହଣା

343

କନକ ବ୍ୟୁରୋ: ନୂଆ ଟ୍ରାଫିକ ନିୟମର ସୁଯୋଗ ନେଇ ମାତିଲେଣି ନକଲି ଏମଭିଆଇ । ଏମିତି ଏକ ସାଙ୍ଘାତିକ ଖବର ଆସିଛି ବାଲେଶ୍ୱର ଜଳେଶ୍ୱରରୁ । ଲକ୍ଷ୍ମଣନାଥ ତନଖି ଫାଟକରେ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କୁ ନେଇ ଆସିଥିବା ଏକ ବସକୁ ଅଟକାଇଥିଲେ ନକଲି ଏମଭିଆଇ । ନୂଆ ଟ୍ରାଫିକ ନିୟମରେ ଗାଡି କାଗଡପତ୍ର ଯାଂଚ କଡାକଡି ହୋଇଛି । ସେଥିପାଇଁ ଏମାନଙ୍କୁ ଅସଲି ଏମଭିଆଇ ଭାବି ପର୍ଯ୍ୟଟକ ବସଟି ଅଟକିଥିବାବେଳେ ଡ୍ରାଇଭର ଓ ମହିଳା ପର୍ଯ୍ୟଟକଙ୍କୁ ମାରଧର କରି ସେମାନଙ୍କଠାରୁ ସୁନା ଗହଣା ଓ ଟଙ୍କା ପଇସା ଲୁଟପାଟ କରିଥିଲେ ଏହି ନକଲି ଏମଭିଆଇ ।

ପରେ ପର୍ଯ୍ୟଟକମାନେ ରାସ୍ତା ଅବରୋଧ କରିବାରୁ ଘଟଣାସ୍ଥଳରେ ପୋଲିସ ପହଂଚିଥିଲା । ଗୁରୁତର ପର୍ଯ୍ୟଟକମାନଙ୍କୁ ଜଳେଶ୍ୱର ହସ୍ପିଟାଲରେ ଭର୍ତି କରାଯାଇଥିଲା । ପର୍ଯ୍ୟଟକଙ୍କ ଅଭିଯୋଗ ଆଧାରରେ ପୋଲିସ ଛାନଭିନ୍ କରି ୫ଜଣ ନକଲି ଏମଭିଆଇଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ତେବେ ସବୁଠାରୁ ବଡକଥା ହେଉଛି ନୂଆ ଟ୍ରାଫିକ ନିୟମକୁ ନେଇ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇିଥିବାବେଳେ ଏହାର ଫାଇଦା ଉଠାଇ ନକଲି ଏମଭିଆଇ ମାତିଛନ୍ତି । ଯାହା ଉପରେ ପୋଲିସ ଓ ପ୍ରଶାସନ ନିୟନ୍ତ୍ରଣ ଆଣିବା ଜରୁରୀ ହୋଇପଡିଛି ।