ବ୍ରହ୍ମପୁରରେ ଅସ୍ତ୍ରୋପଚାର ବେଳେ ନବ ବିବାହିତ ମହିଳାଙ୍କ ମୃତ୍ୟୁକୁ ନେଇ ହଙ୍ଗାମା । ଘରୋଇ କ୍ଲିନିକକୁ ସିଲ୍ କଲା ପ୍ରଶାସନ

ଓଭରଡୋଜ୍ ଆନେସ୍ ସ୍ତେସିଆ ଦେବା କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

3,382

କନକ ବ୍ୟୁରୋ: ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ବ୍ରହ୍ମପୁରର ଘରୋଇ ହସ୍ପିଟାଲରେ ଉତେଜନା । ମୃତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି, ଆପେଟାଇଟିସ ଅପରେସନ ପାଇଁ ଡାକ୍ତର ଅଧିକ ପରିମାଣର ନିଶ୍ଚେତକ ଦେବା କାରଣରୁ ତାଙ୍କର ମୃତ୍ୟୁ ହେଲା । ଅନ୍ୟପଟେ ଜିଲ୍ଲା ପ୍ରଶାସନ ପୋଲିସ ସହ ମିଳିତ ଭାବେ ଏହି ହସ୍ପିଟାଲରେ ଚଢାଉ କରିଛନ୍ତି । ଏହି ଟିମ ରିପୋର୍ଟ ଦେବା ପରେ ମହିଳାଙ୍କ ମୃତ୍ୟୁ ପଛର କାରଣ ଜଣାପଡିବ ବୋଲି କହିଛନ୍ତି ଉପ-ଜିଲ୍ଲାପାଳ । ଏହାରି ଭିତରେ ଉପ-ଜିଲ୍ଲାପାଳ ସେହି ଘରୋଇ ହସ୍ପିଟାଲକୁ ସିଲ କରିଛନ୍ତି ।

ଏହି ଉତେଜନା ପଛର କାରଣ ହେଉଛି , ଘରୋଇ ହସ୍ପିଟାଲରେ ଡାକ୍ତରଙ୍କ ଓଭରଡୋଜ ନିଶ୍ଚେତକ କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ । ମୃତ ମହିଳା ଜଣଙ୍କ ହେଉଛନ୍ତି ଐଶ୍ୱର୍ଯ୍ୟା ସିଂହଦେଓ । ଆପେଣ୍ଡିସାଇଟସ ଅପରେସନ ପାଇଁ ଏହି ମହିଳା ଜଣଙ୍କ ବ୍ରହ୍ମପୁର ବ୍ରହ୍ମାନଗରରେ ଥିବା ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ । କିନ୍ତୁ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକଙ୍କ ଅଭିଯୋଗ ନିଶ୍ଚେତକର ପରିମାଣ ଅଧିକ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି ।

ରାତି ପ୍ରାୟ ଗୋଟାଏ ସମୟରେ ଏହି ମୃତ୍ୟୁକୁ କେନ୍ଦ୍ର କରି ହସ୍ପିଟାଲରେ ଆରମ୍ଭ ହୋଇଗଲା ଗଣ୍ଡଗୋଳ । ପରେ ହସ୍ପିଟାଲର ମାଲିକ ଓ ଡାକ୍ତପ ପ୍ରଭାତ ପାଣିଗ୍ରାହୀଙ୍କୁ ଥାନାକୁ ନିଆଯାଇଥିଲା । ହସ୍ପିଟାଲରେ ଚଢାଉ କରିଥିଲା ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ପୋଲିସ ଓ ଅଗ୍ନିଶମ ବିଭାଗର ମିଳିତ ଟିମ । ତେବେ ଏହି ଟିମ ତାର ରିପୋର୍ଟ ଜିଲ୍ଲାପାଳଙ୍କୁ ଦେବ । ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି କହିଛନ୍ତି ଉପ-ଜିଲ୍ଲାପାଳ । ତେବେ ପରିବାର ଲୋକଙ୍କ କହିବା ହେଲା, ଡାକ୍ତରଙ୍କ ସାମାନ୍ୟ ଭୁଲ ଯୋଗୁଁ ଅକାଳରେ ଚାଲିଗଲା ଜଣେ ବିବାହିତାଙ୍କ ଜୀବନ । ଏବେ ନ୍ୟାୟ ଅପେକ୍ଷାରେ ଐଶ୍ୱର୍ଯ୍ୟାଙ୍କ ପରିବାର ଲୋକେ ।

ସେପଟେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘରୋଇ ହସ୍ପିଟାଲକୁ ସିଲ କରାଯାଇଛି । ଉପ-ଜିଲ୍ଲାପାଳ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହିତ ସେଠାରେ ପହଂଚି ହସ୍ପିଟାଲକୁ ସିଲ କରିଛନ୍ତିା ମୃତକଙ୍କ ପରିବାରଲୋକେ ହଲ୍ପିଟାଲ ସିଲ ପାଇଁ ଦାବି କରିବା ସହିତ ଡାକ୍ତରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଜିଲ୍ଲା ପ୍ରଶାସନ ଓ ପୋଲିସର ଏକ ମିଳିତ ଟିମ ହସ୍ପିଟାଲ ଯାଇ ତଦନ୍ତ କରିବା ପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ ।