ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ନିର୍ମମ ହତ୍ୟା ପରେ ସାଇଟିଫିକ ଟିମ ତନାଘନା: ଗାଁରେ ଉତ୍ତେଜନା, ୩ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ

ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟାକଲେ ଦୁବୃର୍ତ୍ତ

543

କନକ ବ୍ୟୁରୋ: ମାହାଙ୍ଗାର ବିଜେପି ନେତା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ । ଏହାକୁ ନେଇ ଅଂଚଳରେ ଉତେଜନା ଦେଖା ଦେବାରୁ ତିନି ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଗତକାଲି ରାତି ପ୍ରାୟ ୭ଟାରେ କୂଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳଙ୍କ ଏକ ବାଇକରେ ଯଁକୋଟି ଗ୍ରାମ ଦେଇ ସେମାନଙ୍କ ଗାଁ ନୃତାଙ୍ଗକୁ ଫେରୁଥିଲେ । ଯଁକୋଟି ବ୍ରାହ୍ମଣସାହି ନିକଟରେ ୬ ଜଣରୁ ଅଧିକ ଦୁବୃର୍ତ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।

ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଓ ତାଙ୍କ ସହଯୋଗୀ ବାଇକରୁ ତଳେ ପଡିଯିବା ପରେ ତାଙ୍କ ମୁହଁ ଓ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲେ ଦୁର୍ବୃତମାନେ । ଏହା ପରେ ଉଭୟଙ୍କୁ ସଂକଟାପନ୍ନ ଅବସ୍ଥାରେ ମାହାଙ୍ଗା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ କୂଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଦିବ୍ୟସିଂ ବରାଳଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ହତ୍ୟା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଅଭିଯୋଗ କରିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଓ ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ ।