ବିଜେପି ଦେଲା ଟିକେଟ୍ ତାଲିକା, ବଢ଼ିଲା ଟେନସନ । ଲକ୍ଷ୍ମୀପୁର ବିଜେପିରେ ବିଦ୍ରୋହ, ପାର୍ଟି ଅଫିସରେ ପୋଡ଼ାଜଳା ।

336

କନକ ବ୍ୟୁରୋ: ବିଜେପି ଟିକେଟ୍ ଘୋଷଣା ହେବାପରେ ବିଭିନ୍ନ ବିଧାନସଭା କ୍ଷେତ୍ରରେ ଜଳୁଛି ଅସନ୍ତୋଷର ନିଆଁ । ଏହିପରି ଘଟଣା କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନସ୍ଥ ଥିବା ଲକ୍ଷ୍ମୀପୁର ବିଧାନସଭା କ୍ଷେତ୍ରରେ ଦେଖିବାକୁ ମିଳିଛି । ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ୍ ନମିଳିବାରୁ ସମର୍ଥକମାନେ ବିଜେପି କାର୍ଯ୍ୟାୟ ଜାଳି ଦେଇଥିବା ଘଟଣା ସାମ୍ନାକୁ ଆସିଛି । ଲକ୍ଷ୍ମୀପୁର ବିଜେପିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିଦ୍ରୋହ ଆରମ୍ଭ ହୋଇଛି । ଗତକାଲି ବିଜେପିର ୯୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଲକ୍ଷ୍ମୀପୁର ଆସନ ପାଇଁ ଯୁବନେତା କୁମୁଦ ସାଉନ୍ତଙ୍କୁ ଟିକେଟ୍ ଦେଇଛି ବିଜେପି । ଆଉ ଏହାପରେ ଆରମ୍ଭ ହୋଇଛି ବିବାଦ ।

ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ଯେ, ଏହି ଆସନ ପାଇଁ ବିଜେପି ତରଫରୁ ପ୍ରମୁଖ ଦାବିଦାର ଥିଲେ ବିଜେପିର ଅଭିଜ୍ଞ ନେତା ବିପିନ କୁମାର ମାନିଙ୍ଗା । ତାଙ୍କ ସମର୍ଥକଙ୍କ କହିବା ମୁତାବକ ବିପିନ୍ ଏହି ଅଞ୍ଚଳରେ ନିଜର ବିଜେପିର ବିଭିନ୍ନ ଜନହିତକାରୀ କାର୍ଯ୍ୟ କରି ଲୋକଙ୍କ ନିକଟତର ହୋଇଛନ୍ତି । ଏବଂ ତାଙ୍କ ସପକ୍ଷରେ ଭୋଟ ବ୍ୟାଙ୍କ ଥିବାବେଳେ ଜଣେ ଯୁବନେତାଙ୍କୁ ଟିକେଟ୍ କାହିଁକି ଦିଆଗଲା ବୋଲି ବିପିନଙ୍କ ସମର୍ଥକ ପ୍ରଶ୍ନ କରିଛନ୍ତି ? ଏପରିକି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ପାଖ ଲୋକ କୁମୁଦ ସାଉନ୍ତ ହୋଇଥିବାରୁ ତାଙ୍କୁ ଟିକେଟ୍ ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ବିପିନଙ୍କ ସମର୍ଥକ ।

ସେହିପରି ଆସନ୍ତା ଏପ୍ରିଲ୍ ୧୧ ତାରିଖ ଦିନ ହେବାକୁଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନରେ ଯାଉଥିବା ଲକ୍ଷ୍ମୀପୁର ବିଧାନସଭା କ୍ଷେତ୍ରରେ ବିଦ୍ରୋହ ବଢ଼ିବାରେ ଲାଗିଛି । ଯାହାକି ବିଜେପି ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ସ୍ଥାନୀୟ ମହଲରେ ଶୁଣିବାକୁ ମିଳୁଛି ।