ବାରିପଦାରେ ଜନବସତି ନିକଟରେ କରୋନା ରୋଗୀଙ୍କ ଶବଦାହକୁ ନେଇ ଉତ୍ତେଜନା: ରୋଗୀ ଆଣିଥିବା ଗାଡିକୁ ଭାଙ୍ଗିଦେଲେ ଉତ୍ୟକ୍ତ ଲୋକେ; କରୋନା ମୃତକଙ୍କ ଶବଦାହ ଅନ୍ୟତ୍ର କରିବାକୁ ଦାବି କଲେ ସ୍ଥାନୀୟ ଲୋକେ

140

କନକ ବ୍ୟୁରୋ: ବାରିପଦାରେ ଜନବସତି ଅଂଚଳ ନିକଟରେ କରୋନା ମୃତକଙ୍କ ଶବଦାହ ବେଳେ ଉତେଜନା । ଶବ ନେଇଯାଇଥିବା ଗାଡିକୁ ଭାଙ୍ଗିଦେଲେ ଉତ୍ୟକ୍ତ ଲୋକେ । ଏହି ଅଭାବନୀୟ ଘଟଣା ଘଟିଛି ବାରିପଦା ଅନ୍ତର୍ଗତ ରଘୁନାଥପୁର ନିକଟରେ । ଏଠାରେ ଥିବା ଏକ ଶ୍ମଶାନରେ ଦୀର୍ଘଦିନ ହେବ କରୋନାରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କୁ ପ୍ରଶାସନ ପକ୍ଷରୁ ଦାହ କରାଯାଉଛି । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ବିରୋଧ କରିଆସୁଥିଲେ । ଏନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କିଛି ଲାଭ ହୋଇନଥିଲା ।

ପ୍ରଶାସନ ଏହାକୁ ଏତେଟା ଗୁରୁତ୍ୱ ଦେଇନଥିଲା ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଶେଷରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ରାଜରାସ୍ତାକୁ ଓହ୍ଲାଇବା ସହିତ ରାସ୍ତା ଅବରୋଧ କରିଥିଲେ । ସ୍ଥାନୀୟ ଲୋକଙ୍କ ଦାବି ହେଲା, ଜନବସତି ନିକଟରେ କରୋନା ମୃତକଙ୍କୁ ଦାହ କରାଯାଉଛି । ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ । ପରିସ୍ଥିତି ଉଦବେଗଜନକ ହେବାରୁ ମୟୁରଭଞ୍ଜ ଅତିରିକ୍ତ ଏସପି, ବାରିପଦା ଏସଡିପିଓଙ୍କ ସମେତ ବ୍ୟାପକ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ ।