କରୋନା ସଂକ୍ରମିତଙ୍କୁ ନେବାକୁ ଆସି ହଟହଟା ହେଲା ଆମ୍ବୁଲାନ୍ସ: ଅନୁଗୁଳରେ ଆମ୍ବୁଲାନ୍ସ ଓ ପୋଲିସ ଭ୍ୟାନକୁ ଅଟକ ରଖିଲେ ଗ୍ରାମବାସୀ; କହିଲେ ରିପୋର୍ଟ ନଦେଲେ କାହାରିକୁ ନେଇପାରିବନି

ଗାଁ ଲୋକଙ୍କ ଜିଦ ଯୋଗୁଁ ଖାଲି ହାତରେ ଫେରିଲା ପୋଲିସ

481

କନକ ବ୍ୟୁରୋ: କୋଭିଡ ପଜିଟିଭଙ୍କୁ ହସ୍ପିଟାଲ ନେବାକୁ ଆସିଲାବେଳେ ଉତେଜନା । ଅନୁଗୁଳ ଜିଲ୍ଲା ସରଧାପୁର ଗାଁରୁ ଆସିଛି ଏହିଭଳି ଚିତ୍ର । ଗାଁକୁ ଆସିଥିବା ଦୁଇଟି ଆମ୍ବୁଲାନ୍ସ ସହ ପୋଲିସ ଭ୍ୟାନକୁ ମଧ୍ୟ ଅଟକାଇ ଦେଇଛନ୍ତି ଗ୍ରାମବାସୀ । ଗାଁର ୧୩ ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ତେଣୁ ଏମାନଙ୍କୁ କୋଭିଡ ହସ୍ପିଟାଲକୁ ନେବାଲାଗି ଦୁଇଟି ଆମ୍ବୁଲାନ୍ସ ଗାଁରେ ପହଂଚିଥିଲା । ହେଲେ ଆକ୍ରାନ୍ତମାନଙ୍କ ପଜିଟିଭ ରିପୋର୍ଟ ଦେଖାଇବା ପାଇଁ ଦାବି କରିଥିଲେ ଗ୍ରାମବାସୀ । ଖବର ପାଇ ପୋଲିସ ମଧ୍ୟ ସେଠାରେ ପହଂଚିଥିବାବେଳେ, ଗାଁ ଲୋକେ ନିଜ ଜିଦରେ ଅଡି ବସିଥିଲେ । ପଜିଟିଭ ରିପୋର୍ଟ ନଦେଖାଇବା ଯାଏଁ କାହାରିକୁ ନେବାପାଇଁ ଦେବେନାହିଁ ବୋଲି ଦାବି କରିଥିଲେ ।

ଫଳରେ ଖାଲି ହାତରେ ଫେରିଛନ୍ତି ଆମ୍ବୁଲାନ୍ସ ଓ ପୋଲିସ । ଗାଁ ଲୋକଙ୍କ ଅଭିଯୋଗ ହେଲା ଗତ ୮ ତାରିଖରେ ଗାଁର ଜଣେ ବୃଦ୍ଧା ପ୍ରଥମେ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ଗାଁକୁ ସାନିଟାଇଜ କରିବା ପାଇଁ ସରପଂଚଙ୍କ ନିକଟରେ ଦାବି କରାଯାଇଥିଲା । ସଂକ୍ରମଣ ରୋକିବାକୁ ଲକଡାଉନ କିମ୍ବା ସଟଡାଉନ ଭଲି ପଦକ୍ଷେପ ନିଆଗଲା ନାହିଁ । ପରେ ଗାଁ ସ୍କୁଲରେ ଦୁଇଦିନ ଧରି ୨୯୦ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା । ଏବେ ୧୩ ଜଣଙ୍କ ନମୂନା ପଜିଟିଭ ଆସିଥିବା କହୁଥିଲେ ମଧ୍ୟ ଟେଷ୍ଟ ରିପୋର୍ଟ ଦିଆଯାଉନାହିଁ । ତେଣୁ ରପୋର୍ଟ ନଦେବା ଯାଏଁ କାହାରିକୁ ଛାଡିବେ ନାହିଁ ବୋଲି ଗାଁ ଲୋକେ ନିଷ୍ପତି କରିଛନ୍ତି । ଏବେ ସମସ୍ତ ସଂକ୍ରମିତଙ୍କୁ ଗାଁ ସ୍କୁଲଘରେ ସଂଗରୋଧରେ ରଖି ପରବର୍ତୀ ପଦକ୍ଷେପ ସ୍ଥିର କରିବେ ବୋଲି ଗ୍ରାମବାସୀ ରୋକଠୋକ ଶୁଣାଇ ଦେଇଛନ୍ତି ।