ଦେଶର ଶହେଟି ସହରରେ ଚାଲିବ ଦଶହଜାର ଇ-ବସ୍। ଇ-ବସ୍ ସେବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

742

କନକ ବ୍ୟୁରୋ: ଲାଲକିଲ୍ଲାରେ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ଯେଉଁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ, ସେହି ଘୋଷଣାର ଠିକ୍ ପରଦିନ, ବିଶ୍ୱକର୍ମା ଯୋଜନାକୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଂଜୁରୀ । କୌଳିକ ବୃତିଗତ ବ୍ୟବସାୟୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅଳ୍ପସୁଧରେ ମିଳିବ ଋଣ । ବିଶ୍ୱକର୍ମା ଯୋଜନାରେ ବୃତ୍ତିଗତ ବ୍ୟବସାୟୀଙ୍କୁ ୫% ସୁଧରେ ଏକ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯିବ । ଏହି ଯୋଜନାରେ ୩୦ ଲକ୍ଷ କୌଳିକ ବୃତ୍ତିଧାରୀ ଏବଂ ସେମାନଙ୍କ ପରିବାର ଉପକୃତ ହେବେ । ୫ ବର୍ଷ ପାଇଁ ୧୩ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସୁନା କାରିଗର, କମାର, ବାରିକ, ମୋଚୀ, ମୂର୍ତ୍ତୀକାର, ରାଜମିସ୍ତ୍ରୀ, ବୁଣାକାର, ବଢ଼େଇ, କୁମ୍ଭାର ଆଦି ୧୮ଟି କୌଳିକ ବୃତ୍ତିଧାରୀ ଏହି ଯୋଜନାରେ ଲାଭବାନ ହେବେ । ପ୍ରଥମ ଦଫାରେ ୧ଲକ୍ଷ ଓ ଦ୍ୱିତୀୟ ଦଫାରେ ୨ଲକ୍ଷ ଟଙ୍କା ଋଣ ଦିଆଯିବ ।

ହୁଏତ ଆଉ କିଛି ଦିନ ପରେ ରାଜଧାନୀ ଭୁବନେଶ୍ୱର, କଟକ ଏବଂ ସମ୍ବଲପୁର ଭଳି ସହରରେ ଗଡିବ ପ୍ରଧାନମନ୍ତ୍ରୀ ବିଦ୍ୟୁତ୍ ଚାଳିତ ବସ୍ । କାରଣ, କେନ୍ଦ୍ର କ୍ୟାବିନେଟରେ ସହରାଞ୍ଚଳରେ ଯେଉଁ ଇ-ବସ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି, ସେହି ସହରର ଲୋକସଂଖ୍ୟା ୩ ଲକ୍ଷ କିମ୍ବା ତାଠୁ ଅଧିକ ରହିବ । ଏହି ମାପଦଣ୍ଡକୁ ଦେଖିଲେ ଓଡ଼ିଶାର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଭଳି ସହରରେ ପିଏମ୍ ଇ-ବସ୍ ସେବା ଆରମ୍ଭ ହୋଇପାରେ । କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ, ପିଏମ୍ ଇ-ବସ୍ ସେବା ସମ୍ପର୍କରେ ସୂଚନା ଦେଇ କହିଛନ୍ତି- ୧୦ ହଜାର ବିଦ୍ୟୁତ୍ ଚାଳିତ ବସ୍ ଗଡ଼ିବ ।

ପିପିପି ମୋଡରେ ଏହି ସେବା ଉପଲବ୍ଧ ହେବ । ଏହି ଯୋଜନା ପାଇଁ ୫୭ ହଜାର ୬୧୩ କୋଟି ବ୍ୟୟବରାଦ କରାଯାଇଛି । ଏଥିରୁ ୨୦ ହଜାର କୋଟି କେନ୍ଦ୍ର ସରକାର ଦେବେ। ଏହି ଯୋଜନା ଯୋଗୁଁ ୪୫ରୁ ୫୫ ହଜାର ଲୋକ ସିଧାସଳଖ ନିଯୁକ୍ତି ପାଇବେ ବୋଲି ସରକାର କହିଛନ୍ତି ।

ସାରା ଭାରତର ଲୋକଙ୍କୁ ପ୍ରଭାବିତ କରିବାକୁ ଥିବା ବିଶ୍ୱକର୍ମା ଯୋଜନା ଓ ପିଏମ୍ ଇ-ବସ୍ ଯୋଜନାର ବେଶ ଗୁରୁତ୍ୱ ରଖୁଛି । କାରଣ, ଏହାର ପ୍ରଭାବ ୨୦୨୪ ନିର୍ବାଚନ ଉପରେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି ।