କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ତେବେ ଏହି ସିରିଜ ଭାରତ ପାଇଁ ବେଶ ଐତିହାସିକ ହେବାକୁ ଯାଉଛି । କାରଣ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ ଖେଳିବା ସହ କ୍ରିକେଟ ଇତିହାସରେ ପ୍ରଥମ ଦଳ ଭାବେ ଟିମ୍ ଇଣ୍ଡିଆ ୧୦୦୦ ତମ ଦିନିକିଆ ମ୍ୟାଚ୍ ଖେଳିବ । ତେବେ ଐତିହାସିକ ମ୍ୟାଚରେ ଭାରତ ବିଜୟୀ ହେଉ ଏନେଇ ସମସ୍ତେ ଆଶାବାଦୀ ରହିଛନ୍ତି । ଆଉ ଏସବୁ ଭିତରେ ଐତିହାସିକ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ।
ଟ୍ୱିଟରରେ ଏକ ଭିଡ଼ିଓ ସେୟାର କରି ସଚିନ କହିଛନ୍ତି, ୧୦୦୦ ତମ ଦିନିକିଆ ମ୍ୟାଚ୍ ଖେଳିବା ଏକ ବଡ ଉପଲବ୍ଧି । ଏହା ପୂର୍ବତନ କ୍ରିକେଟର, ଏବେ ଖେଳୁଥିବା କ୍ରିକେଟର, ବୋର୍ଡ ସଦସ୍ୟ, ବିସିସିଆଇ ପାଇଁ ସମ୍ଭବ ହୋଇ ପାରିଛି । ଏହାଛଡା ଭାରତୀୟ କ୍ରିକେଟ ପ୍ରଂଶସକଙ୍କୁ ମଧ୍ୟ ଧନ୍ୟବାଦ । ଏଭଳି ଏକ ଉପଲବ୍ଧି ପାଇଁ ପୂରା ଦେଶ ଗର୍ବ ଅନୁଭବ କରିବା ଉଚିତ୍ । ଭାରତୀୟ କ୍ରିକେଟ ଆଗକୁ ମଧ୍ୟ ଏଭଳି ବଢି ଚାଲୁ । ୧୦୦୦ତମ ଦିନିକିଆ ମ୍ୟାଚ୍ ପାଇଁ ସମସ୍ତଙ୍କୁ ଶୁଭକାମନା ।
Many congratulations to #TeamIndia & @BCCI for this monumental milestone of 1000 ODIs!
It’s been a wonderful journey all these years for players, fans & everyone associated with the game. pic.twitter.com/VqlsVlQOQy
— Sachin Tendulkar (@sachin_rt) February 4, 2022
ରବିବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୦୦୦ତମ ମ୍ୟାଚ୍ ଖେଳିବାକୁ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ଐତିହାସିକ ମ୍ୟାଚ୍ ଖେଳାଯିବ । ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପରେ ଭାରତ ଆସନ୍ତା ୧୬ ଫେବ୍ରୁଆରୀରୁ ଇଡେନ ଗାର୍ଡେନରେ ଟି-୨୦ ସିରିଜ ଖେଳିବ । ଭାରତ ଏବେ ପର୍ଯ୍ୟନ୍ତ ୯୯୯ ମ୍ୟାଚ୍ ଖେଳିଛି । ଯେଉଁମଧ୍ୟରୁ ୫୧୮ ମୁକାବିଲାରେ ଭାରତ ବିଜୟୀ ହୋଇଥିବା ବେଳେ ୪୩୧ ମ୍ୟାଚରେ ପରାଜିତ ହୋଇଛି । ୯ଟି ମୁକାବିଲା ଡ୍ରରେ ସମାପ୍ତ ହୋଇଥିବା ବେଳେ ୪୧ଟି ମ୍ୟାଚରେ କୌଣସି ଫଳାଫଳ ମିଳିନାହିଁ ।