ସିବିଆଇ ସ୍କାନରରେ ଆରଏସପି ଅଧିକାରୀ : ଟେଣ୍ଡର ଅନିୟମିତତା ଓ ଦୁର୍ନୀତି ଅଭିଯୋଗରେ ୭ଟି ସ୍ଥାନରେ ଚଢଉ

Advertisment
ସିବିଆଇ ସ୍କାନରରେ ଆରଏସପି ଅଧିକାରୀ : ଟେଣ୍ଡର ଅନିୟମିତତା ଓ ଦୁର୍ନୀତି ଅଭିଯୋଗରେ ୭ଟି ସ୍ଥାନରେ ଚଢଉ

କନକ ବ୍ୟୁରୋ: ପୁଣି ସିବିଆଇ ସ୍କାନରରେ ଆରଏସପି ଅଧିକାରୀ । ଟେଣ୍ଡର ଅନିୟମିତତା, ନିଦ୍ଦିଷ୍ଟ ଠିକା ସଂସ୍ଥାକୁ ଅନୁଗ୍ରହ ଓ ଦୁର୍ନୀତି ଅଭିଯୋଗରେ ସିବିଆଇ ପକ୍ଷରୁ ଏକାଧିକ ଅଧିକାରୀଙ୍କ ଘରେ ଚଢ଼ାଉ କରାଯାଇଛି । ଜଣେ ଡିଏସପିଙ୍କ ନେତୃତ୍ୱରେ ୭ଟି ଟିମ୍ ଏକକାଳୀନ ୭ଟି ଜାଗାରେ ଚଢ଼ାଉ କରିଛି । ଓଡ଼ିଶା ସମେତ କୋଲକାତାରେ ମଧ୍ୟ ସିବିଆଇ ପକ୍ଷରୁ ରେଡ୍ କରାଯାଇଛି ।

publive-image

ରାଜୀବ ରଂଜନ କୋଲକାତା ଯାଇଥିବାରୁ ତଦନ୍ତକାରୀ ଦଳର ଗୋଟିଏ ଟିମ୍ ତାଙ୍କ ସେକ୍ଟର-୧୮ସ୍ଥିତ ବି-୧/୮୩ କ୍ୱାର୍ଟର୍ସକୁ ସକାଳୁ ଦିନସାରା ଜଗି ରହିଥିଲେ। ରାତି ପ୍ରାୟ ୮ଟାରେ ପତ୍ନୀଙ୍କ ସହ ସେ ରାଉରକେଲା ଷ୍ଟେସନ୍ରୁ ଅଟୋ ରିକ୍ସାରେ ଆସି କ୍ୱାର୍ଟର୍ସରେ ପହଞ୍ଚିବା ମାତ୍ରେ ତଦନ୍ତକାରୀ ଅଫିସରମାନେ ଖାନତଲାସୀ ଆରମ୍ଭ କରିଛନ୍ତି। ରାଜୀବ ରଂଜନଙ୍କ ବ୍ୟତୀତ ଆରଏସପିର ପୂର୍ବତନ ଡିଜିଏମ୍ ତଥା କୋକ୍ ଓଭେନ୍ ଇଲେକ୍ଟ୍ରିକାଲ୍ ବିଭାଗର ତତ୍କାଳୀନ ଭାରପ୍ରାପ୍ତ ଡିଜିଏମ୍ ପି.କେ.ଦାସ, ମ୍ୟାଟେରିଆଲ୍ ମ୍ୟାନେଜମେଣ୍ଟ ବିଭାଗର ପୂର୍ବତନ ନିର୍ବାହୀ ନିର୍ଦ୍ଦେଶକ ପରମାନନ୍ଦ ସାହୁଙ୍କ କୋଏଲନଗରସ୍ଥିତ ଡି-୨୯୫ ଘର, ରାଉରକେଲାର ବିଶିଷ୍ଟ ବ୍ୟବସାୟୀ ସୁରେନ୍ଦ୍ର ଦୁଆଙ୍କ ଘର ଓ ତାଙ୍କ ‘ରିଲାଏବଲ୍ ହାଇଟେକ୍ ଇନଫ୍ରାଷ୍ଟ୍ରକଚର୍ ପ୍ରା.ଲି. (ଆରଏଚଆଇପିଏଲ୍) ଅଫିସ୍ ଆଦି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସିବିଆଇ ଅଫିସରମାନେ ଅନେକ ଆପତ୍ତିଜନକ ଦଲିଲ୍ ଜବତ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ।

publive-image

୨୦୧୬ ଅକ୍ଟୋବର ୧୨ରେ ପ୍ରସ୍ତୁତ ଦଲିଲ୍ ଅନୁଯାୟୀ ସିଡ଼ିସିପିର ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ଆହୂତ ଟେଣ୍ଡରରେ ଅଂଶଗ୍ରହଣ କରିଥିବା ସଂସ୍ଥାଙ୍କ ମଧ୍ୟରୁ ଆରଏଚଆଇପିଏଲ୍, ଉତ୍କଳ ପ୍ରୋଜେକ୍ଟସ୍ ପ୍ରା.ଲିଃ (ୟୁପିପିଏଲ୍) ଓ ଟାଟା ପ୍ରେଜେକ୍ଟ ଲିଃ (ଟିପିଏଲ୍) ବୈଷୟିକ ପ୍ରତିଯୋଗିତା (ଟେକ୍ନିକାଲ୍ ବିଡ୍)ରେ ଉତ୍ତୀର୍ଣ୍ଣ ହୋଇଥିବା ବୈଷୟିକ ଉପଦେଷ୍ଟା କମିଟି (ଟିଇସି) ସୁପାରିସ୍ କରିଥିଲା। ପ୍ରାୟ ଦେଢ଼ ଦଶନ୍ଧି ପୂର୍ବରୁ ସରକାରୀ ଉଦ୍ୟୋଗ ‘ନିଳାଚଳ ଇସ୍ପାତ ନିଗମ ଲିଃ (ଏନଆଇଏନଏଲ୍)ରେ ସ୍ଥାପିତ ସିଡ଼ିସିପି ପୂର୍ବ ଭାରତରେ ପ୍ରଥମ ଓ ଦେଶରେ ତୃତୀୟ ହୋଇଥିବା ବେଳେ ଏହାର ସ୍ଥାପନା ଓ ରକ୍ଷଣାବେକ୍ଷଣ କରି ଆସିଥିବା ୟୁପିପିଏଲ୍ ବୈଷୟିକ ଅଭିଜ୍ଞତା ଦୃଷ୍ଟିରୁ ନିଃସନ୍ଦେହରେ ଅଗ୍ରଗଣ୍ୟ ଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଉପରୋକ୍ତ ୩ ସଂସ୍ଥାର ଆର୍ଥିକ ବିଡ୍ ତର୍ଜମା ହୋଇ ଟେଣ୍ଡର ଚୂଡ଼ାନ୍ତ ହେବାର ଥିଲା। ମାତ୍ର ଆରଏସପିର ଦୁର୍ନୀତିଗ୍ରସ୍ତ ଅଫିସରମାନଙ୍କ ପ୍ରିୟ ଠିକା ସଂସ୍ଥା ଭାବେ ଚର୍ଚ୍ଚିତ ଆରଏଚଆଇପିଏଲକୁ ଅନୁଗ୍ରହୀତ କରିବା ଲକ୍ଷ୍ୟରେ ଟିଇସିର ମୂଳ ନୋଟ୍ ସିଟରୁ ଗୋଟିଏ/ଦୁଇଟି ଫର୍ଦ୍ଦ ବାହାର କରାଯାଇ ନୂଆ ଫର୍ଦ୍ଦ ସଂଲଗ୍ନ କରାଯାଇଥିଲା।

publive-image

କେବଳ ସେତିକି ନୁହେଁ ଉତ୍ତମ ଅଭିଜ୍ଞତା ଥିବା ୟୁପିପିଏଲ୍ ଓ ଟିପିଏଲକୁ ବେଆଇନ ଭାବେ ପ୍ରତିଯୋଗିତାରୁ ବାଦ୍ ଦେବା ଲକ୍ଷ୍ୟରେ ତତ୍କାଳୀନ ନିର୍ବାହୀ ନିର୍ଦ୍ଦେଶକ (ଇଡ଼ି) ଭୁବନେଶ୍ୱର ପ୍ରସାଦ ବର୍ମାଙ୍କ ବୈଷୟିକ ସହାୟକ ତଥା ଡିଜିଏମ୍ ରାଜୀବ ରଂଜନଙ୍କ ହାତରେ ନୋଟ୍ ସିଟରେ ମୂଳ ଟେଣ୍ଡରଠାରୁ ଅଧିକ ସର୍ତ୍ତ ଉଲ୍ଲେଖ କରାଯାଇଥିଲା। ମୋଟାମୋଟି ଭାବେ ଆରଏଚଆଇପିଏଲକୁ ୩ କୋଟି ୫୦ ଲକ୍ଷ ୨୬,୮୦୦ ଟଙ୍କାର ଏଏମସି ଠିକା ଦେବା ନିମନ୍ତେ ତତ୍କାଳୀନ ଇଡ଼ି ବି.ପି ବର୍ମା, ଡିଜିଏମ୍ ରାଜୀବ ରଂଜନ, ପି.କେ ଦାସ, ପି.ସାହୁ ପ୍ରମୁଖ ଅଫିସରମାନେ ଆରଏଚଆଇପିଏଲର ମାଲିକ ସୁରେନ୍ଦ୍ର ଦୁଆଙ୍କ ସହ ଫୌଜଦାରୀ ଷଡ଼ଯନ୍ତ୍ର କରିଥିଲେ। ତେବେ ଏହି ଦୁର୍ନୀତି ଆଧାରରେ ଗତକାଲି ସିବିଆଇ ପକ୍ଷାରୁ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe