ଟେଣ୍ଡର ଫିକ୍ସିଂ ଅଭିଯୋଗ ଆସିବା ପରେ ମାଲକାନିଗିରି ଜିଲ୍ଲାପାଳଙ୍କ ଅଜବ ଯୁକ୍ତି । ବଡ଼ ପ୍ରଶ୍ନ ଟ୍ରେଜେରୀ ଅଫିସଠାରୁ ଅଧିକ ସୁରକ୍ଷିତ କି ଜିଲ୍ଲାପାଳଙ୍କ ବାସଭବନ?

225

କନକ ବ୍ୟୁରୋ : ଜିଲ୍ଲାପାଳଙ୍କ ବାସଭବନ ଅଧିକ ସୁରକ୍ଷିତ ନା ଜିଲ୍ଲା କୋଷାଗାର । ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ ଟେଣ୍ଡର ଫିକ୍ସିଙ୍ଗ ଅଭିଯୋଗ ଆସିବା ପରେ ଏ ପ୍ରଶ୍ନ ସାମନାକୁ ଆସିଛି । କାରଣ ଟେଣ୍ଡର ବକ୍ସ ସିଲ ହବା ପରେ ଦୁଇଟି ଟେଣ୍ଡର ବକ୍ସକୁ ଜିଲ୍ଲପାଳ ୩ ଦିିନ କାଳ ନିଜ ବାସଭବନରେ ରଖି ଥିବା ନେଇ ଆରଟିଆଇ ତଥ୍ୟରୁ ଜଣା ପଡିଛି । ଯାହା ଜିଲ୍ଲାପାଳଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଆନ୍ଧ୍ରର ନିର୍ଦ୍ଦିଷ୍ଟ ଏକ କମ୍ପାନୀ କୁ କେମିତି ଅହେତୁକ ଅନୁକମ୍ପା ପ୍ରଦାନ କରା ଗଲା, ତାହାର ଗୋଟିଏ ପରେ ଗୋଟିଏ ଗୁମର ଏବେ ଖୋଲିବାରେ ଲାଗିଛି ।

ଜିଲ୍ଲାପାଳଙ୍କ ଅଫିସଠାରୁ ଜିଲ୍ଲାପାଳଙ୍କ ବାସଭବନ ଅଧିକ ସୁରକ୍ଷିତ?  ଟ୍ରେଜେରୀ ବା ଜିଲ୍ଲା କୋଷାଗାର ଠାରୁ ଅଧିକ ସୁରକ୍ଷିତ ଜିଲ୍ଲାପାଳଙ୍କ ବାସଭବନ ? ଏପରି ଅଜବ ଯୁକ୍ତି ବାଢିଛନ୍ତି ଖୋଦ ମାଲକାନଗିରି ଜିଲ୍ଲାପାଳ ଡ. ୟେଦୁଲା ବିଜୟ  । ଜିଲ୍ଲାପାଳଙ୍କ ବିରୋଧରେ ଟେଣ୍ଡର ଫିକ୍ସିଂ ଅଭିଯୋଗ ଆସିବା ପରେ ନିଜେ ଜିଲ୍ଲାପାଳ କହିଥିଲେ ସୁରକ୍ଷା କାରଣରୁ ଟେଣ୍ଡର ବକ୍ସ ସେ ନିଜ ଘରକୁ ନେଇଯାଇଥିଲେ ।

ଲଘୁ ଖଣିଜ ସମ୍ପର୍କିତ ଟେଣ୍ଡର ସରିବା ପରେ ୨ଟି ସିଲ୍ଡ ଟେଣ୍ଡର ବକ୍ସକୁ ନିଜ ଘରେ ଆଣି ରଖି ଥିଲେ ଜିଲ୍ଲାପାଳ । ପରେ ଛୁଟି ରେ ଯିବେ ବୋଲି ଟେଣ୍ଡର କ୍ଲୋଜିଙ୍ଗର ୩ ଦିନ ପରେ ଟ୍ରେଜେରି ଅଫିସରେ ୨ଟି ଟେଣ୍ଡର ବକ୍ସକୁ ଦାଖଲ କରିଥିଲେ ଜିଲ୍ଲାପାଳ । ଆଉ କଂଗ୍ରେସ ପକ୍ଷରୁ ଟେଣ୍ଡର ଫିକ୍ସିଙ୍ଗ ଅଭିଯୋଗ  ଆସିବା ପରେ ଏକ ଭର୍ଚୁଆଲ ପ୍ରେସ ମିଟ ଜରିଆରେ ସଫେଇ ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ।  ତେବେ ଜିଲ୍ଲାପାଳଙ୍କ ଟେଣ୍ଡର ପ୍ରକ୍ରୀୟା ଓ ନିଜ ଘରେ ଟେଣ୍ଡର ବକ୍ସ ରଖିବା ଘଟଣା ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

୧. ଲଘୁ ଖଣିଜ ଦ୍ରବ୍ୟ ଯଥା ବାଲି, ମୋରମ, ପଥର ଖଦାନ ଆଦିର ନିଲାମ ଲାଗି ସମ୍ପୃକ୍ତ ତହସିଲଦାର ମାନେ କ୍ଷମତା ସମ୍ପନ୍ନ ଅଧିକାରୀ ହୋଇଥିବା ବେଳେ ଜିଲ୍ଲାପାଳ କାହିଁକି ସମସ୍ତ ଟେଣ୍ଡର ଆହ୍ୱାନ କରିଥିଲେ?

୨. ଟେଣ୍ଡର ବନ୍ଦ ହେବାର କେଇ ଘଣ୍ଟା ବା ଦିନକ ପରେ ବିଡରଙ୍କ ଉପସ୍ଥିତିରେ ଟେଣ୍ଡର ଖୋଲାଯିବାର ନିୟମ ରହିଛି । ତେବେ ଟେଣ୍ଡର ବକ୍ସ ଖୋଲିବା ଲାଗି କାହିଁକି ୧୦ ଦିନ ସମୟ ନିଆଗଲା?

୩. ଯଦି ନିଲାମଧାରିଙ୍କ ଅଭିଯୋଗ ଏବଂ ଜିଲ୍ଲା କୋଷାଗାରରୁ ମିଳିଥିବା ଆରଟିଆଇ ତଥ୍ୟ ସତ ହୁଏ, ତେବେ କ୍ଲୋଜିଙ୍ଗ ସମୟରେ ବକ୍ସ ଉପରେ ସମସ୍ତ ବିଡର ମାନେ ଦସ୍ତଖତ କରିଥିଲେ, ତେବେ ବକ୍ସ ଖୋଲିବା ସମୟରେ ବିଡରମାନଙ୍କ  ଦସ୍ତଖତ ଗଲା କୁଆଡେ ?

୪. କେଉଁ ଉଦ୍ଦେଶ୍ୟ ରେ ତିନିଦିନ କାଳ ଜିଲ୍ଲାପାଳଙ୍କ ବାସଭବନ ରେ ରହି ଥିଲା ଦୁଇଟି ଟେଣ୍ଡର ବକ୍ସ ? ଆଉ ଟ୍ରେଜରିରେ ଦାଖଲ ପରେ ଦୁଇ ଦୁଇ ଥର ବକ୍ସ ଦେଖିଯିବା ପଛରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ କଣ ଥିଲା?

ଆଉ ଏକ ବଡ କଥା ହେଉଛି, ଏହି ଟେଣ୍ଡର ପ୍ରକ୍ରିୟାରେ ଯେଉଁ ଆନ୍ଧ୍ର ବ୍ୟବସାୟୀ ଖଣି ହାତେଇଛନ୍ତି, ତାର ସଲଭେନ୍ସି ବା ଶୋଧକ୍ଷମ ପ୍ରମାଣପତ୍ର କାରବାରରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । କମ ଟଙ୍କାର ଗ୍ୟାରେଣ୍ଟି ଦେଇ ଅଧିକ ଟଙ୍କାର ଖଣି ହାତେଇଛନ୍ତି ଆନ୍ଧ୍ରର ସଂପୃକ୍ତ ଖଣି ବ୍ୟବସାୟୀ  । ଅଭିଯୋଗ ହୋଇଛି, ସମ୍ପୃକ୍ତ କମ୍ପାନୀ ଜିଲ୍ଲାପାଳଙ୍କୁ ଏକ ଏମଜି ହେକ୍ଟର କାର ଗିଫ୍ଟ ଦେଇଛି  । ଏହି ପ୍ରଶ୍ନର ଉତରରେ ଜିଲ୍ଲାପାଳ କହିଛନ୍ତି, ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ, ଡିଆରଡିଏ ପକ୍ଷରୁ ଏହି ପର୍ସନାଲ ରେଜିଷ୍ଟ୍ରେସନ ଥିବା ଏମଜି ହେକ୍ଟର କାର ଭଡା ସୂତ୍ରରେ ଦିଆଯାଇଛି ।