ନୂଆ ବର୍ଷରୁ ବଦଳିଯିବ ଏହି ୧୦ ଟି ନିୟମ । ଜାଣନ୍ତୁ କ’ଣ ରହିଛି ନୂଆ ନିୟମ । ଆପଣଙ୍କ ପାଇଁ କଣ ରହିଛି ଲାଭ ଦାୟକ ପରିବର୍ତ୍ତନ

1,217

କନକ ବ୍ୟୁରୋ : ଆଉ ମାତ୍ର କେଇଟା ଦିନ ପରେ ଆମେମାନେ ୨୦୨୦ କୁ ବିଦାୟ ଦେଇ ୨୦୨୧ କୁ ସ୍ୱାଗତ କରିବାକୁ ଯାଉଛୁ । ହେଲେ ପୁରୂଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ଆମେ ସ୍ୱାଗତ କରିବାକୁ ଯାଉଥିବା ବେଳେ ସରକାର ନୂଆ ବର୍ଷରେ କିଛି ପୁରୁଣା ନିୟମର ପରିବର୍ତ୍ତନ ସାଙ୍ଗକୁ କିଛି ନୂଆ ନିୟମ ପ୍ରଚଳିତ କରିବାକୁ ବି ଯାଉଛନ୍ତି । ଆସନ୍ତୁ ଜାଣିବା କେଉଁ ବିଭାଗ ପାଇଁ କ’ଣ ରହିଛି ନୂଆ ନିୟମ ଓ କେଉଁ ପୁରୁଣା ନିୟମର କ’ଣ ହୋଇଛି ପରିବର୍ତ୍ତନ ।

ଚେକ୍ ପେମେଣ୍ଟ ସିଷ୍ଟମ : ଜାନୁଆରୀ ପହିଲାରୁ ଚେକ୍ ପେମେଣ୍ଟ ସିଷ୍ଟମରେ କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି ସରକାର । ପଜିଟିଭ ପେ ସିଷ୍ଟମ ଅନ୍ତର୍ଗତ ୫୦ ହଜାର ଅଥବା ଏହାଠାରୁ ଅଧିକ ଟଙ୍କା ପେମେଣ୍ଟ ଉପରେ ଚେକଧାରୀଙ୍କୁ ଆଉ ଅଧିକ କିଛି ସୂଚନା ପ୍ରଦାନ କରିବାକୁ ପଡିବ । ହେଲେ ଏହି ସୁବିଧାର ଲାଭ ଖାତାଧାରକ ଉଠାଇବେ କି ନାହିଁ ତାହା ଖାତା ଧାରକଙ୍କ ଉପରେ ନିର୍ଭର କରେ ।

କଣ୍ଟାକ୍ଟ ଲେସ୍ କାର୍ଡ ଟ୍ରାଞ୍ଜାକ୍ସନ୍ : ଜାନୁଆରୀ ପହିଲା ଠାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ କଣ୍ଟାକ୍ଟ ଲେସ୍ କାର୍ଡ ଟାନ୍ଜାକସନ୍ ପେମେଣ୍ଟ ୨ ହଜାରରୁ ବୃଦ୍ଧି କରି ୫ ହଜାର ଟଙ୍କା ସ୍ଥିର କରିଛନ୍ତି । ଡେବିଟ୍ କାର୍ଡରେ ୫ ହଜାର ଟଙ୍କା ପେମେଣ୍ଟ ପର୍ଯ୍ୟନ୍ତ ପିନ୍ ର ଆବଶ୍ୟକତା ପଡିବ ନାହିଁ ।

କାର ମୂଲ୍ୟ ବୃଦ୍ଧି ପାଇବ : ଅଟୋମୋବାଇଲ କମ୍ପାନୀ ମାନେ ସେମାନଙ୍କ ଦ୍ୱାରା ନିର୍ମିତ କାରର ମୂଳ୍ୟ ଜାନୁଆରୀ ପହିଲା ଠାରୁ ବୃଦ୍ଧି କରିବାକୁ ଯାଉଛନ୍ତି । ଏବେ ସମାନ କାର କିଣିବାକୁ ଆପଣଙ୍କୁ ପୂର୍ବ ଦାମ୍ ଠାରୁ ଅଧିକ ଦାମ୍ ଦେବାକୁ ପଡିବ ।

ଫାଷ୍ଟ ଟ୍ୟାଗ୍ ଲଗାଇବା ଅର୍ନିବାର୍ଯ୍ୟ : ସବୁ ଚାରିଚକିଆ ଯାନରେ ଜାନୁଆରୀ ପହିଲାରୁ ଫାଷ୍ଟ ଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ । ଯେଉଁ ଗାଡି ଟ୍ୟାଗ ନଲଗାଇ ଜାତୀୟ ରାଜପଥ ଦେଇ ଯିବ ,ଟୋଲଗେଟ୍ ନିକଟରେ ତାଙ୍କ ଠାରୁ ଅଧିକ ୨ ଗୁଣା ଟୋଲ ଟ୍ୟାକ୍ସ ଆଦାୟ କରାଯିବ ।

ଲ୍ୟାଣ୍ଡ ଲାଇନ୍ ରୁ ମୋବାଇଲକୁ ଫୋନ ଲଗାଇବାକୁ ହେଲେ ପ୍ରଥମେ ଶୂନ ଲଗାଇବାକୁ ପଡିବ : ଜାନୁଆରୀ ପହିଲା ପରେ ଯଦି ଆପଣ ଆପଣଙ୍କ ଲ୍ୟାଣ୍ଡ ଲାଇନରୁ ମୋବାଇଲ ନମ୍ବରକୁ ଫୋନ କରୁଛନ୍ତି ତେବେ ଆପଣଙ୍କୁ ପ୍ରଥମେ ଶୂନ ଡାଏଲ କରିବାକୁ ପଡିବ । ଶୂନ ନଲଗାଇଲେ କଲ୍ ପାସ୍ କରିବ ନାହିଁ ।

ମ୍ୟୁଚୱାଲ୍ ଫଣ୍ଡରେ ନିବେଶ ପାଇଁ ନିୟମ ପରିବର୍ତ୍ତନ : କୌଣସି ମ୍ୟୁଚୱାଲ୍ ଫଣ୍ଡର ୭୫ ପ୍ରତିଶତ ଇକ୍ୟୁଟିରେ ନିବେଶ କରିବା ବାଧ୍ୟତାମୂଳକ । ଯାହାକି ଏବେ ନ୍ୟୁନତମ ୬୫ ପ୍ରତିଶତ ରହିଛି । ମଲ୍ଟିକ୍ୟାପ୍ ଫଣ୍ଡରେ ପରିବର୍ତ୍ତନ କରାଯାଇଛି । ମିଡ୍ କ୍ୟାପ୍, ସ୍ମଲ କ୍ୟାପ୍, ଓ ଲାର୍ଜ କ୍ୟାପ୍ ମ୍ୟୁଚାଲ ଫଣ୍ଡରେ ୨୫ ପ୍ରତିଶତ ଲେଖାଏଁ ନିବେଶ କରିବାକୁ ବାଧ୍ୟତାମୂଳକ କରାଯାଇଛି ।

ୟୁପିଆଇ ପେମେଣ୍ଟର ପରିବର୍ତ୍ତନ : ଜାନୁଆରୀ ପହିଲାରୁ ୟୁପିଆଇ ଜରିଆରେ ପେମେଣ୍ଟ କରିବା ମହଙ୍ଗା ହେବ । ଏହି ଆପ୍ ଦ୍ୱାରା ନେଣ ଦେଣ କରୁଥିବା ଗ୍ରାହକ ପ୍ରତି ପେମେଣ୍ଟ ଉପରେ ଅଧିକ ଟିକସ ଦେବେ ।

ଜିଏସଟି ରିଟର୍ଣ୍ଣ ନିୟମର ପରିବର୍ତ୍ତନ : ଯେଉଁ ବ୍ୟବସାୟୀଙ୍କ ଆୟ ୫ କୋଟିରୁ କମ୍ ସେମାନଙ୍କୁ ପ୍ରତିମାସ ରିଟର୍ଣ୍ଣ ଦାଖଲ କରିବାକୁ ପଡିବ ନାହିଁ ।

ସରଳ ଜୀବନ ବୀମା ପଲିସି ଆରମ୍ଭ : ଆସନ୍ତା ଜାନୁଆରୀ ପହିଲାରୁ ଗ୍ରାହକ ମାନେ କମ୍ ପ୍ରିମିୟମ ଦେଇ ଜୀବନ ବୀମା ପଲିସି କିଣି ପାରିବେ। ସରଳ ଜୀବନ ବୀମା ପଲିସି ଜାନୁଆରୀ ପହିଲାରୁ ଆରମ୍ଭ କରିବାକୁ କେନ୍ଦ୍ର ସରକାର ସମସ୍ତ ଜୀବନ ବୀମା କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେତେକ ମୋବାଇଲ ଫୋନରେ ହ୍ୱାଟ୍ସ ଆପ୍ କାମ କରିବ ନାହିଁ : ଜାନୁଆରୀ ପହିଲାରୁ କେତକ ଅଣ୍ଡ୍ରଏଡ ଓ ଆଇଓଏସ୍ ମୋବାଇଲରେ ହ୍ୱାଟ୍ସ ଆପ୍ କାମ କରିବ ନାହିଁ । ଯେଉଁ ସଫ୍ଟୱେୟାର ପୁରୁଣା ହୋଇଛି ତାହାକୁ ବନ୍ଦ କରିଦିଆଯିବ ।