କନକ ବ୍ୟୁରୋ : ହସ୍ପିଟାଲରେ ନିଆଁ ଲାଗି ଜଳିଗଲେ ୧୦ ନବଜାତକ । ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲା ହସ୍ପିଟାଲରେ ଘଟିଛି ଏହି ହୃଦୟବିଦାରକ ଦୁର୍ଘଟଣା । ସୂଚନା ଅନୁଯାୟୀ ହସ୍ପିଟାଲର ନ୍ୟୁ ବର୍ଣ୍ଣ କେୟାର ୟୁନିଟ୍ ବା ଏସଏନସିୟୁରେ ୧୭ ଜଣ ନବଜାତଙ୍କୁ ରଖାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଅଚାନକ ନିଆଁ ଲାଗି ଯାଇଥିଲା । କିଛି ସମୟ ପରେ ୱାର୍ଡରୁ ଧୁଆଁ ବାହାରୁଥିବାର ଜଣେ ନର୍ସ ଦେଖିଥିଲେ । ଏନେଇ ସେ ତୁରନ୍ତ ହସ୍ପିଟାଲର ଉଚ୍ଚ ଅଧିକାରୀଙ୍କ ସୂଚନା ଦେଥିଲେ । ଏବଂ ଅନ୍ୟ କର୍ମଚାରୀଙ୍କ ସହ ୱାର୍ଡରେ ଥିବା ୭ ଜଣଙ୍କ ଜୀବନ୍ତ ଉଦ୍ଧାର କରିଥିଲେ ।
ହେଲେ ସେତେବେଳକୁ ୧୦ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା । ଏହା ଭିତରେ ଘଟଣାସ୍ଥଳରେ ଅଗ୍ନିନିରାପତା ବାହିନୀ ମଧ୍ୟ ପହଁଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା । ଅନ୍ୟପଟେ ଏହି ଖବର ପ୍ରଚାରିତ ହେବା ପରେ ହସ୍ପଟାଲ ପରିସରରେ ଲୋକମାନେ ଭିଡ ଜମାଇଛନ୍ତି । କେମିତି ଅଗ୍ନିକାଣ୍ଡ ଘଟିଲା ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ହସ୍ପିଟାଲ କର୍ତୁପକ୍ଷଙ୍କ ବେପରୁଆ ମନୋଭାବ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ମୃତ ନବଜାତକଙ୍କ ସମ୍ପର୍କୀୟ ଦାବି କରିଛନ୍ତି । ତେବେ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ।