କନକ ବ୍ୟୁରୋ : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାର କେତକ ସ୍ଥାନରେ ଦୁଇ ଦିନ ମଧ୍ୟରେ ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବାର ସମ୍ଭାବନା ରହିଛି । ଆଗାମୀ ୪ ରୁ ୫ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ୪ ରୁ ୫ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ତାପାମାତ୍ରା ବଢିବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଜନସାଧାରଣଙ୍କୁ ଆବଶ୍ୟକ ନ ଥିଲେ ଦିନ ୧୧ ଟାରୁ ଅପରାହଣ ୩ଟା ଯାଏଁ ଘରୁ ନ ବାହାରିବାକୁ କୁହାଯାଇଛି । ଏହି ସମୟରେ ଘରୁ ବାହାରିଲେ ଆବଶ୍ୟକୀୟ ପ୍ରତିକାରତ୍ମକ ପନ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଆଜି ସୁନ୍ଦରଗଡ଼, ଝାରସୁଗୁଡା, ମୟୁରଭଞ୍ଜ, ସମ୍ବଲପୁର, ସୋନପୁର, ଅନୁଗୁଳ, ଦେଓଗଡ଼ ଏବଂ ବଲାଙ୍ଗିରରେରେ ସବୁଠୁ ଅଧିକ ତାପମାତ୍ରା ରହିଛି । ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ସୋନପୁର, ଅନୁଗୁଳ, ଦେଓଗଡ଼ ଏବଂ ବଲାଙ୍ଗିରରେ ତାପମାତ୍ରା ଅଧିକ ରହିବ । ଏହି ସବୁ ଜିଲ୍ଲା ହିଟ୍ ୱେଭ୍ ପ୍ରବାହ ଜାରି ରହିଛି ।
ଏସବୁ ଭିତରେ କାଲିଠୁ ବନ୍ଦ ରହିବ ରାଜ୍ୟର ୟୁଜି ଓ ପିଜି କ୍ଲାସ୍ ରୁମ୍ରେ ପାଠପଢ଼ା । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃ୍ଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଏହି ନିଷ୍ପତିି ନେଇଛି । ଆସନ୍ତାକାଲି ଠାରୁ ମେ’ ୨ ତାରିଖ ଯାଏଁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ବନ୍ଦ ରହିବ । ପାଠପଢ଼ା ବନ୍ଦ ରହିଲେ ବି ପରୀକ୍ଷା, ମୂଲ୍ୟାୟନ, ଅନ୍ୟାନ୍ୟ ପ୍ରଶାସନିକ ଆଦି କାମ ଜାରି ରହିବ । ଆଗକୁ ସ୍ଥିତି ଦେଖି ନିଷ୍ପତି ନିଆଯିବ ବୋଲି ସୂଚନା ଦେଇଛି ଉଚ୍ଚଶିକ୍ଷା ବିଭାଗ । ଏହା ପୂର୍ବରୁ ଗତକାଲି ଗଣଶିକ୍ଷା ବିଭାଗ ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିଷ୍ପତି ନେଇଥିଲେ ।
ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜାରି ରହିଛି । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ ଯାଏଁ ରହିଥିଲା । ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୪୦ ଦଶମିକ ୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୩୯ ଡିଗ୍ରୀ, କେନ୍ଦୁଝରରେ ୩୮ ଦଶମିକ ୮ ଡିଗ୍ରୀ, ହୀରାକୁଦରେ ୩୮ ଦଶମିକ ୨ ଡିଗ୍ରୀ, ଭୁବନେଶ୍ୱରରେ ୩୭ ଦଶମିକ ୬ ଡିଗ୍ରୀ, ଚାନ୍ଦବାଲିରେ ୩୭ ଡିଗ୍ରୀ, ପୁରୀ ୩୨ ଦଶମିକ ୮ ଡିଗ୍ରୀ, ପାରାଦ୍ୱୀପ ୩୨ ଡିଗ୍ରୀ ଏବଂ ଗୋପାଳପୁରରେ ୩୦ ଦଶମିକ ୮ ଡିଗ୍ରୀ ରେକର୍ଡ କରାଯାଇଛି । ଆଗକୁ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ