ଅସମ୍ଭାଳ ହେଲାଣି ତାତି । ଅସ୍ତବ୍ୟସ୍ତ ଜନଜୀବନ, ଆକାଶରେ ସୂର୍ଯ୍ୟଙ୍କ ପ୍ରଖର କିରଣ

ଆକାଶରେ ସୂର୍ଯ୍ୟଙ୍କ ପ୍ରଖର ରୂପ

240

କନକ ବ୍ୟୁରୋ : ଆକାଶରେ ସୂର୍ଯ୍ୟଙ୍କ ପ୍ରଖର ରୂପ । ପ୍ରଚଣ୍ଡ ରୌଦ୍ର ତାପରେ ଭୟଭିତ ଜୀବଜଗତ । ଉପକୂଳରୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶା ସବୁଠି ତାତିର ରାଜୁତି । ଅସହ୍ୟ ହେଲାଣି ତାତି ଆଉ ଅସମ୍ଭାଳ ଜୀବନ ଯାପନ । ତତଲା କଡେଇ ଶେକି ହେଉଛି ଓଡିଶା । ସକାଳ ୮ଟା ରୁ ତାତି ବଢିବା ସହ ମଧ୍ୟାହ୍ନରେ ଝାଞ୍ଜି ପବନ ବହୁଛି । ଆଉ ସଂଧ୍ୟା ହୋଇଗଲେ ଅସହ୍ୟ ଗୁଳୁଗୁଳିରେ ଅତିଷ୍ଟ ଜୀବନ । ଖରା ତାତିକୁ ବଳିପଡୁଛି ଅଘୋଷିତ ବିଜୁଳି କାଟ୍ । ଲୋ-ଭୋଲଟେଜ୍ ସାଙ୍ଗକୁ ବାରମ୍ବାର ବିଜୁଳି କାଟ୍ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି କରୁଛି । ତାତିରୁ ତ୍ରାହୀ ପାଇଁ ଧର୍ମଗଡରେ ଥଣ୍ଡା ପାନୀୟ ଦୋକାନରେ ଲୋକଙ୍କ ଭିଡ ଜମୁଛି ।

ଝାରସୁଗୁଡାରେ ବି ଅଗ୍ନି ବର୍ଷା । ଟିଟିଲାଗଡ, ବଲାଙ୍ଗୀର, ସମ୍ବଲପୁର ଭଳି ତାତି ଝାରସୁଗୁଡାରେ ମଧ୍ୟ ଅନୁଭୁତ ହେଉଛି । ସପ୍ତାହେ ହେବ ସହରରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହୁଛି । ଦିନ ୧୨ଟା ପରେ ସହରରେ ଅଘୋଷିତ କର୍ଫୁ ଭଳି ମନେ ହେଉଛି । ଅତି ଜରୁରୀ କାମ ନ ପଡିଲେ ଲୋକେ ଘର ବାହାରୁ ନାହାନ୍ତି । ଯଦି ବା କେହି ଯାଉଛନ୍ତି ତେବେ ମୁଣ୍ଡରେ ଗାମୁଛା କଳା ଚଷମା ନେଇ ଘରୁ ବାହରୁ ଥିବା ଦେଖିବାକୁ ମିଳୁଛି । ଅନ୍ୟ ପଟେ ସଂଧ୍ୟାର ଗୁଳୁଗୁଳି ଯୋଗୁଁ ମଧ୍ୟ ଲୋକେ ଅତିଷ୍ଠ ହୋଇପଡିଛନ୍ତି ।

ଫୋନି ପରେ ଯାଜପୁର ଜିଲାରେ ଲାଗି ରହିଛି ଗ୍ରୀଷ୍ମ ଲହରୀ । ପ୍ରତିଦିନ ପାରଦ ୪୦ଡିଗ୍ରି ଉପରେ ରହୁଛି । ୧୦ ପରେ ଘରୁ ପଦାକୁ ଗୋଡ କାଢ଼ି ହେଉନାହିଁ । ପ୍ରବଳ ଖରା ସାଂଗକୁ ଅସହ୍ୟ ଗୁଳୁଗୁଳି ଯନ୍ତ୍ରଣାକୁ ଦ୍ୱିଗୁଣିତ କରିଦେଇଛି । ଯାଜପୁର ଜିଲାରେ ଆଗକୁ ମଧ୍ୟ ଏଭଳି ପାଣିପାଗ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେଥିପାଇଁ ଦିନ ୧୨ଟାରୁ ୩ ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଖରା ଯୋଗୁଁ ସମ୍ଭାବ୍ୟ ଅଂଶୁଘାତ ଘଟଣାକୁ ରୋକିବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି । ଶିଳ୍ପାଂଚଳ ସହିତ ବାହାରେ କାମ କରୁଥିବା ଶ୍ରମିକମାନଙ୍କୁ ଦିନ ୧୧ଟାରୁ ୩ ପର୍ଯ୍ୟନ୍ତ କାମ ନକରିବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବାକୁ ନିର୍ଦ୍ଧେଶ ଦେଇଛନ୍ତି ଯାଜପୁର ଜିଲ୍ଲା ପ୍ରଶାସନ ।

ଜଳୁଛି ଓଡିଶା । ଚାରିଆଡେ ଖାଲି ତାତି ଆଉ ତାତି । ଫୋନି ଦ୍ୱାରା ପ୍ରଭାବିତ ଜିଲ୍ଲାରେ ଗଛ ଗୁଡିକ ଭାଙ୍ଗି ଯିବାରୁ ଖରାର ପ୍ରକୋପ ଅଧିକ ଅନୁଭୁତ ହେଉଥିବା ବେଳେ ପଶ୍ଚିମ ଓଡିଶାରେ ଆକଶରୁ ନିଆଁ ବର୍ଷିବା ଭଳି ଅନୁଭବ ହେଉଛି ।