ରାଜ୍ୟରେ ଖୁବଶୀଘ୍ର ଖୋଲିପାରେ ମନ୍ଦିର । ସରକାରଙ୍କଠୁ ଆସିଲା ସକରାତ୍ମକ ଇସାରା । ଭକ୍ତ-ଭଗବାନଙ୍କ ହେବ ମହାମିଳନ ।

524

କନକ ବ୍ୟୁରୋ: ଓଡ଼ିଶାରେ ଖୋଲିବ ଦେବାଳୟ? ସରକାରଙ୍କଠୁ ଆସିଲା ସକରାତ୍ମକ ଇସାରା । କୋଭିଡ୍ କଟକଣା ଯୋଗୁଁ ରାଜ୍ୟରେ ବନ୍ଦ ଥିବା ମନ୍ଦିର ଖୋଲିବା ଦିଗରେ ଖୁବ୍ ଶୀଘ୍ର ଆସିପାରେ ନିଷ୍ପତ୍ତି । କାରଣ ଏ ଦିଗରେ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ଦେବା ପାଇଁ ଟ୍ୱିଟ୍ କରିଛନ୍ତି ମୁଖ୍ୟଶାସନ ସଚିବ ।

କୋଭିଡ୍ କଟକଣା ଭିତରେ ପୁରୀ ତଥା ଅନ୍ୟାନ୍ୟ ପ୍ରମୁଖ ମନ୍ଦିର ଖୋଲିବା ପାଇଁ ମନ୍ଦିର ପ୍ରଶାସନ ଗୁଡ଼ିକ ରୁପରେଖ ପ୍ରସ୍ତୁତ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ସଂପୃକ୍ତ ଜିଲ୍ଲାପାଳମାନେ ଅଂଶୀଦାରଙ୍କ ସହ ଆଲୋଚନା କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟ ଶାସନ ସଚିବଙ୍କ ଟ୍ୱିଟ୍ ହୁଏତ, କଟକଣା ଭିତରେ ମନ୍ଦିର ଖୋଲିବା ଦିଗକୁ ଇସାରା କରୁଛି । ସେହିପରି କଟକଣା ଭିତରେ ଅନ୍ୟାନ୍ୟ ଧର୍ମ ଗୁଡ଼ିକର ଉପାସନା ସ୍ଥଳ ଖୋଲିବା ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବା ପାଇଁ କୁହାଯାଇଛି । ଏପଟେ ପୁରୀ ଶ୍ରୀମନ୍ଦିର ଖୋଲିବା କି ନାହିଁ ସେନେଇ ସେବାୟତଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । କଟକଣା ଭିତରେ ସୀମିତ ଭକ୍ତଙ୍କୁ ଦର୍ଶନ ପାଇଁ ଛାଡିବାକୁ କିଛି ସେବାୟତ ମତ ଦେଉଥିବା ବେଳେ ଅନ୍ୟମାନେ ବର୍ତମାନ ସ୍ଥିତିରେ ମନ୍ଦିର ନଖୋଲିବା ପାଇଁ ଯୁକ୍ତି କରିଛନ୍ତି । କାରଣ ମନ୍ଦିର ଖୋଲିବା ବେଳେ କାର୍ତିକ ମାସ ଏବଂ ବିରଳ ନାଗାର୍ଜୁନ ବେଶ ପଡିବ । ତେଣୁ ହଠାତ୍ ମନ୍ଦିର ଖୋଲିଲେ ଏହି ସମୟରେ ଭକ୍ତଙ୍କୁ କଟକଣା କରିବା କଷ୍ଟକର ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

ଏପଟେ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆନଯାଉ ବୋଲି ଯୁକ୍ତି ବାଢିଛନ୍ତି ଲିଙ୍ଗରାଜ ମନ୍ଦିରର ବଡୁ ନିଯୋଗ ସମ୍ପାଦକ । ସେ କହିଛନ୍ତି, ମନ୍ଦିର ଖୋଲିଲେ ସଂକ୍ରମଣ ବଢିବା ସମ୍ଭାବନା ରହିଛି । ସେବାୟକ ସଂକ୍ରମିତ ହେଲେ ନୀତିକାନ୍ତି ବାଧାପ୍ରାପ୍ତ ହେବ ବୋଲି ଯୁକ୍ତି କରିଛନ୍ତି । ଆଉ ଏହାରି ଭିତରେ ଯାଜପୁରର ପ୍ରସିଦ୍ଧ ପୀଠ ମା ବିରଜାଙ୍କ ରଥଯାତ୍ରାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । କୋଭିଡ଼ ନିୟମ ମାନି ରଥଯାତ୍ରା କରିବାକୁ ଯାଜପୁର ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୭ ତାରିଖରେ ଅନୂୁଷ୍ଠିତ ହେବ ଏହି ରଥଯାତ୍ରା ।