ପୁରୀର ମନ୍ଦିର ଖୋଲିବା ପାଇଁ ବିଚାରବିମର୍ଷ । ଭିଡିଓ କନଫରେନ୍ସିରେ ସେବାୟତଙ୍କ ସହ ଆଲୋଚନା

97

କନକ ବ୍ୟୁରୋ : ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବା ପ୍ରସଙ୍ଗକୁ ନେଇ ଆଜିଠାରୁ ମତାମତ ସଂଗ୍ରହ ଓ ବିଚାର ବିମର୍ଶ ଆରମ୍ଭ ହୋଇଛି । ମନ୍ଦିର ପ୍ରଶାସନ, ମୁଖ୍ୟ ପ୍ରଶାସକ ଓ ୪ଟି ନିଯୋଗ ଏବଂ ବରିଷ୍ଠ ସେବାୟତ ମାନଙ୍କ ସହିତ ଆଲୋଚନା ହୋଇଛି ।

ଏହା ପର୍ଯ୍ୟାୟ କ୍ରମେ ବିଚାର ବିମର୍ଶ କରାଯିବ । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ବିଚାର ବିମର୍ଶ ଏବଂ ମତାମତ ସଂଗ୍ରହ କରାଯିବ । କୋଭିଡ଼-୧୯ କଟକଣା ଯୋଗୁଁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ ।

ସେପଟେ ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର କରିବାକୁ ରାଜ୍ୟ ସରକାର କରୁଛନ୍ତି ଉନ୍ନତିମୂଳକ କାମ । ଆଉ ଏହାକୁ ତ୍ୱରାନ୍ୱିତ କରିବାକୁ ଆକ୍ସନ ମୁଡରେ ପୁରୀ ଜିଲ୍ଲା ପ୍ରଶାସନ । ଏଥିପାଇଁ ଆରମ୍ଭ ହୋଇଛି ଜନଶୁଣାଣୀ । ଶ୍ରୀମନ୍ଦିର ସୁରକ୍ଷା ବଳୟ ମଧ୍ୟରୁ ଜମି ଅଧିଗ୍ରହଣ ଲାଗି ଜନଶୁଣାଣି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସରକାରଙ୍କ ନିଷ୍ପତି ଅନୁସାରେ ମନ୍ଦିର ଚାରିପାଖରେ ସୁରକ୍ଷା ବଳୟର ଉନ୍ନତିକରଣ କରାଯାଉଛି । ଏଥିପାଇଁ ଜମି ଅଧିଗ୍ରହଣ କରାଯିବ । ଆଉ ଆଜି ହେଉଥିବା ଜନଶୁଣାଣିରେ ୱାର୍ଡବାସୀ ଉପସ୍ଥିତ ରହି ଅଧିଗ୍ରହଣ ଓ ତତଜନିତ ସାମାଜିକ ପ୍ରଭାବ ଉପରେ ମତାମତ ଦେଇପାରିବେ । ପ୍ରଭାବିତ ହେଉଥିବା ବାସେଳିସାହି, ମଣିକର୍ଣ୍ଣିକା ସାହି, କାଳିକା ଦେବୀ ସାହି, ଦୋଳମଣ୍ଡପ ସାହି ଓ ଚୁଡଙ୍ଗ ସାହି ଅଚଂଳବାସୀ ଏହି ଜନଶୁଣାଣିରେ ସାମିଲ ହେଉଛନ୍ତି । ଆଜି ଦୁଇଟି ପର୍ଯ୍ୟାୟରେ ଏହି ଜନଶୁଣାଣି ଆୟୋଜନ ହେଉଛି ।