କରୋନ ସଂକ୍ରମଣ ଯୋଗୁଁ ଠାକୁର ଦୁଆର ବନ୍ଦ । ସେପଟେ ଚିନ୍ତା ବଢ଼ାଉଛି ପୁରୀରେ ସବାୟତଙ୍କ ସଂକ୍ରମଣ, କଟକର କୁମ୍ଭମେଳା ଫେରନ୍ତା ପଜିଟିଭ

73

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ଧାର୍ମିକ ଅନୁଷ୍ଠାନ ନେଇ ମହାନଗର ନିଗମ ପ୍ରଶାସନ ନେଇଥିବା ନିଷ୍ପତି ହୁଏତ, ସାରା ରାଜ୍ୟ ପାଇଁ ଏକ ସଂକେତ ହୋଇପାରେ, ଯଦି ଓଡ଼ିଶାରେ ସଂକ୍ରମଣ ସଂଖ୍ୟା କ୍ରମାଗତ ଭାବେ ବଢ଼ିଚାଲେ । ଭୁବନେଶ୍ୱରର ସବୁ ମନ୍ଦିର, ମସ୍ଜିଦ୍, ଗୁରୁଦ୍ୱାରା ଏବଂ ଚର୍ଚ୍ଚ ସମେତ ସମସ୍ତ ଧାର୍ମିକ ଅନୁଷ୍ଠାନରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି ।

– ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିବ, ନୀତିକାନ୍ତି ସ୍ୱାଭାବିକ ଚାଲିବ
– ଅଳ୍ପ ସଂଖ୍ୟକ ସେବାୟତ କିମ୍ବା କର୍ମଚାରୀଙ୍କ ଦ୍ୱାରା ନୀତିକାନ୍ତି ଚାଲିବ
– ସମସ୍ତ ଧାର୍ମିକ ଅନୁଷ୍ଠାନ କର୍ତ୍ତୃପକ୍ଷ ଏହା ନିଶ୍ଚିତ କରିବେ
– ପରମ୍ପରା ଓ ନୀତିକାନ୍ତି ସମୟରେ ସାମାଜିକ ଦୂରତା ଓ ମାସ୍କ ଜରୁରୀ

ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ସଂକ୍ରମଣ ଚିନ୍ତାର କାରଣ ପାଲଟିଛି । ଗତ ୨୪ ଘଂଟାରେ ଖୋର୍ଦ୍ଧାରୁ ୮୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଭଳି ସ୍ଥିତିରେ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ମନ୍ଦିର, ମସ୍ଜିଦ୍, ଏବଂ ଚର୍ଚ୍ଚରେ ସାଧାରଣ ଶ୍ରଦ୍ଧାଳୁଙ୍କ ଉପରେ କଟକଣା ଲଗାଯାଇଛି ।

ସେପଟେ ପୁରୀରେ ୧୯୩ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ କୁମ୍ଭମେଳାରୁ ପୁରୀ ଫେରନ୍ତାଙ୍କ ଚିନ୍ତା ବଢ଼ାଇ ଦେଇଛି । କୁମ୍ଭମେଳାରୁ ୩୫ ଜଣ ପୁରୀ ଫେରିଛନ୍ତି । ୧୭ ସେବାୟତ ପରିବାରର ୨୨ ଜଣ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧୪ ଜଣଙ୍କ ରିପୋର୍ଟ ନେଗେଟିଭ୍ ଥିବାବେଳେ ଅବଶିଷ୍ଟଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । କିନ୍ତୁ ଏସବୁ ଭିତରେ ପୁରୀରେ ୧୬ ଜଣ ସେବାୟତ ଏବଂ ୭ଜଣ ସେବାୟତଙ୍କ ପରିବାର ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

କୁମ୍ଭମେଳାର ଶ୍ରଦ୍ଧାର ବୁଡ଼ କଟକ ପାଇଁ ବି ଚିନ୍ତାର କାରଣ ପାଲଟିଛି । କୁମ୍ଭମେଳାରୁ ଫେରିଥିବା କଟକର ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୦ଟି ନମୁନାରୁ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ସିଏମସି ସୂଚନା ଦେଇଛି । ଏହାରି ଭିତରେ କୋଭିଡ୍ କଟକଣା ପାଳନ କରିବାକୁ ଲୋକଙ୍କ ନିବେଦନ କରିଛନ୍ତି ଅନନ୍ୟା ଦାସ ।