କନକ ବ୍ୟୁରୋ : ଭୁବନେଶ୍ୱର ମାର୍କେଟ୍ ବିଲଡିଂର ମନ୍ଦିର ଜମିରେ ବର୍ଷ ବର୍ଷ ଧରି ଚାଲିଛି ବ୍ୟବସାୟ । ହେଲେ ବ୍ୟବସାୟରୁ ମିଳୁଥିବା କୋଟି କୋଟି ଟଙ୍କାର ହିସାବ ମିଳୁନି । ମାର୍କେଟ ବିଲଡିଂରେ ଥିବା “ରାଜଧାନୀ ପୂଜା ସମିତି’ ୩ ବର୍ଷରେ ପ୍ରାୟ ୩ କୋଟି ୧୦ ଲକ୍ଷ ଟଙ୍କାର ଦୁର୍ନୀତି ଓ ଅନିୟମିତତା କରିଥିବା ଆକାଉଂଟାଟ୍ ଜେନେରାଲ୍ ବା ଏଜି ଓଡ଼ିଶା ଧରିଛନ୍ତି । ଏହି ଦୁର୍ନୀତି ଓ ଅର୍ଥ ତୋଷାରପାତର ତଥ୍ୟ ପଦାକୁ ଆସିବା ପରେ ପୂଜା ସମିତିର ପୂର୍ବତନ କର୍ମକର୍ତ୍ତା ତଥା ଆକାଉଣ୍ଟାଂଟଙ୍କ ବିରୋଧରେ କ୍ରାଇମବ୍ରାଂଚ୍ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦେବୋତର କମିଶନର ।

Advertisment

ମନ୍ଦିର ବାହାନାରେ ବ୍ୟବସାୟ । କୋଟି କୋଟି ଟଙ୍କାର ହରିଲୁଟ୍ । ରାଜଧାନୀ ଭୁବନେଶ୍ୱରର ମାର୍କେଟ୍ ବିଲଡିଂ ଅଂଚଳରେ ରହିଛି ରାଜଧାନୀ ପୂଜା ସମିତି । ମା’ ଭୁବନେଶ୍ୱରୀ ମନ୍ଦିରର ଦାୟିତ୍ୱରେ ରହିଛି ଏହି ପୂଜା ସମିତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୧୯୬୦ରେ ପୂଜା ସମିତି ୯୦ ବର୍ଷିଆ ଲିଜ୍ ପାଇଛି । ତେବେ ସମିତିର କର୍ମକର୍ତ୍ତା ବ୍ୟବସାୟ କରି କୋଟି କୋଟି ଟଙ୍କା ତୋଷାରପାତ କରିଥିବା ସାମ୍ନାକୁ ଆସିଛି । ଆକାଉଂଟାଟ୍ ଜେନେରାଲ୍ ବା ଏଜି, ନିକଟରେ ୧୫୦ଟି ମଠ ଓ ମନ୍ଦିରର ଅଡିଟ୍ ଆରମ୍ଭ କରିଥିବା ବେଳେ ରାଜଧାନୀ ପୂଜା ସମିତିର ଏହି ଦୁର୍ନୀତି ଓ ଅର୍ଥ ତୋଷରପାତକୁ ଧରିଛନ୍ତି ।

publive-imageସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଲିଜ୍ ନେଇଥିବା ଜମିକୁ ରାଜଧାନୀ ପୂଜା ସମିତି, ୭୫ ଜଣ ଦୋକାନୀଙ୍କୁ ସବଲିଜରେ ଦେଇଛି । ସାଧାରଣ ପ୍ରଶାସନ ବିଭାଗର ସର୍ବଶେଷ ଦର ଅନୁସାରେ ବର୍ଗଫୁଟ ପିଛା ମାସକୁ ୩୦ ଟଙ୍କା ଭଡ଼ା ବାବଦରେ ୨୦୧୭ ମାର୍ଚ୍ଚ ମାସରୁ ୨୦୧୯ ଅକ୍ଟୋବର ମାସ ସୁଦ୍ଧା ଅର୍ଥାତ୍ ୨ ବର୍ଷ ୭ ମାସରେ ୩ କୋଟି ୧୦ ଲକ୍ଷ ଟଙ୍କା କମ୍ ଆଦାୟ ହୋଇଥିବା ଦର୍ଶାଯାଇଛି । ବଜାର ଦର ବହୁତ ଅଧିକ ଥିବାରୁ ଏହି ସମୟରେ ୧୫ କୋଟିରୁ ଅଧିକ ଟଙ୍କା ଦୁର୍ନୀତି ହୋଇଥିବା ଅନୁମାନ କରାଯାଉଛି । ଏହି ସମୟରେ ସମିତିର ପୂର୍ବତନ ଆକାଉଂଟାଂଟ୍ ଥିବା ଶିଶିିର କୁମାର ଦ୍ୱିବେଦୀ ଓ ଅନ୍ୟମାନଙ୍କ ନାଁରେ ଏଫଆଇଆର ରୁଜୁ କରିବାକୁ କ୍ରାଇମବ୍ରାଂଚକୁ ନିର୍ଦ୍ଦେଶ ଦେଇଛନ୍ତି ଦେବୋତ୍ତର କମିଶନର । ସରକାର ଓ ଦେବୋତ୍ତର କମିଶନର ୧୫୦ ମଠ ମନ୍ଦିରର ଅଡିଟ୍ କରିବା ପାଇଁ ଆକାଂଉଂଟାଟ୍ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥ ତୋଷରପାତର ଖଳନାୟକମାନଙ୍କୁ ତୁରନ୍ତ ପଦାକୁ ଆଣିବା ପାଇଁ ଚାଲିଛି ତନାଘନା ।