କେମିତି ହେବ ରଥଯାତ୍ରା ? ସରକାରଙ୍କ ନିଷ୍ପତି ପୂର୍ବରୁ ପ୍ରସ୍ତୁତି ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ । ସେବାୟତଙ୍କ ସହ ନୀତି ପ୍ରଶାସକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ବିନା ଭକ୍ତରେ ସେବାୟତ ରଥ ଟାଣିବା ସଂପର୍କରେ ଆଲୋଚନା । ସେପଟେ ଆଗେଇ ଚାଲିଛି ରଥକାମ…

164

କନକ ବ୍ୟୁରୋ: ସରି ସରି ଆସୁଛି ମହାପ୍ରଭୁଙ୍କ ଅଣସର ନୀତି ଏବଂ ପାଖେଇ ପାଖେଇ ଆସୁଛି ରଥଯାତ୍ରା । ତେଣୁ କରୋନା କଟକଣା ଭିତରେ କିଭଳି ସୁରୁଖୁରୁରେ ଶ୍ରୀଜଗନ୍ନାଥଙ୍କ ଗୁଣ୍ଡିଚା ଯାତ କରାଯାଇ ପାରିବ ସେନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଛି ବୈଠକ । ଆଜି ପ୍ରଥମେ ମହାନାୟକ, ପରେ ପୂଜାପଣ୍ଡା ଏବଂ ଶେଷରେ ପୁଷ୍ପାଳକ ସେବାୟତଙ୍କ ସହିତ ମନ୍ଦିର ପ୍ରଶାସନ ଆଲୋଚନା କରିଛନ୍ତି । ପରବର୍ତି ସମୟରେ ଅନ୍ୟ ସେବାୟତମାନଙ୍କ ସହ ମଧ୍ୟ ଏନେଇ ଆଲୋଚନା ହେବ ବୋଲି ଜଣାପଡିଛି । ତେବେ ଘଂଟୁଆ, ଦଇତାପତି, ପୁଷ୍ପାଳକ, ପୂଜପଣ୍ଡା ସେବାୟତ ସମେତ ରଥଯାତ୍ରାରେ ନିୟୋଜିକତ ହେଉଥିବା ସେବାୟତଙ୍କ ସଂଖ୍ୟା କେତେ କମ୍ କରାଯାଇପାରିବ ସେନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି ।

ଏହାଛଡା ପୁରୀକୁ ଭକ୍ତଙ୍କ ଆସିବା ଉପରେ କଟକଣା ରହିଥିବାରୁ ବିନା ଭକ୍ତରେ ରଥଯାତ୍ରା କିଭଳି ହେବ ଏବଂ ରଥଟଣା ପାଇଁ କଣ ବ୍ୟବସ୍ଥା କରାଯାଇ ପାରିବ ସେନେଇ ମଧ୍ୟ ଆଲୋଚନା ହୋଇଛି । ତେବେ ସେବାୟତଙ୍କ ସହୟତାରେ ରଥଟଣା ଯିବା ସମ୍ଭାବନା ନେଇ ମଧ୍ୟ ଏହି ଅବସରରେ ଆଲୋଚନା କରାଯାଇଛି । ଏହା ସହ ଭୋର ସାଢେ ୪ଟାରୁ ୫ ମଧ୍ୟରେ ଶ୍ରୀଜିଉଙ୍କ ପହଣ୍ଡି ଏବଂ ଦିନ ୧୧ଟା ବେଳେ ରଥଟଣା ପାଇଁ ପ୍ରାରମ୍ଭିସ୍ନୀତି ପ୍ରସ୍ତାବ ଆସିଥିବା ଜଣାପଡିଛି । ଆଗାମୀ ଦିନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପରିଚାଳନା କମିଟି ସଦସ୍ୟ ତଥା ଛତିଶନିୟୋଗ ସଦସ୍ୟଙ୍କ ସହ ବୈଠକ ପରେ ରଥଯାତ୍ରାର ନୀତି ନିର୍ଘଂଟ ଓ କାର୍ଯ୍ୟାବଳୀ ଚୂଡାନ୍ତ ହେବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଅଣସର ନୀତି ଯଥାରିତୀ ଚାଲିଥିବା ବେଳେ ରଥଖଳାରେ ରଥ ନିର୍ମାଣ ମଧ୍ୟ ସୁରୁଖୁରୁରେ ଚାଲିଛି । ରଥର ପୋଟଳ ପଡି ପାରାଭାଡି ଉଠିଥିବାବେଳେ ଏବେ କେବଳ କଳସ ଓ ଓଲଟ ପାରା ଲଗାଯିବ । ଏହାର ରଙ୍ଗକାମ ଦ୍ରୁତି ଗତିରେ ଚାଲିଛି । ରଙ୍ଗ ସରିଲାପରେ ରଥରେ ତାହା ଖଞ୍ଜାଯିବ । ସେହିଭଳି ଗତକାଲି ତିନି ରଥର ୨ଟି ଲେଖାଁଏ ଦୁଆର ଘଡା ପ୍ରସ୍ତୁତ ସହ ରଙ୍ଗ ପାଇଁ ରଥଖଳାକୁ ଆସିଥିବାବେଳେ ସେଥିରେ ପ୍ରାଇମର ଲଗାଯାଇଛି । ପ୍ରତି ରଥରେ ଦୁଇଟି ଲେଖାଁ ଆଶାବାଡି ଖୁଣ୍ଟିଆ ଆବଶ୍ୟକ ହୋଇଥାଏ ଓ ରଥରେ ଘୋଡା ଖଞ୍ଜାଯିବାବେଳେ ଏହା ବ୍ୟବହାର ହୋଇଥାଏ । ତିନିରଥରେ ଖଞ୍ଜା ଯାଇଥିବା ପଟ୍ଟାଗୁଜରେ ରୂପକାର ସେବକମାନେ ସିଂହବରାଳ, ଗଜବରାଳ, ଗଜସିଂହ ଖୋଦେଇ କାମ ସହ ରଥଚକା ଦଣ୍ଡା ଇତ୍ୟାଦିର ରଙ୍ଗକାମ କରୁଛନ୍ତି ।

ଚିତ୍ରକର ସେବକମାନେ ରଥା ପାଶ୍ୱର୍ ଦେବାଦେବୀ, କଳସ ଇତ୍ୟାଦିର ରଙ୍ଗକାମ ଜାରି ରଖିଛନ୍ତି । ଦରଜି ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଉପର ମହଲାରେ ରଥକନାରେ ଜରିଫିତା ସିଲାଇ ରଥ ଘେର ସିଲାଇ କାମ ଆରମ୍ଭ କରିଛନ୍ତି । ଦୋଳବେଦୀ ଅସ୍ଥାୟୀ ଶାଳରେ ଓଝା ସେବକମାନେ ଏଲ୍ କ୍ଲାମ୍ପ, ଧୂଳିଦଣ୍ଡା, ବିଡିଆ କଣ୍ଟା ପ୍ରସ୍ତୁତରେ ଲାଗିବା ସହ ରଥଦଣ୍ଡାରେ ଖଞ୍ଜା ଯାଇଥିବା କୋଣ ଗୁଜ ଗୁଡିକରେ ଧୂଳିଦଣ୍ଡା କଣ୍ଟା ବାଡେଇଛନ୍ତି ।