ରାଜ୍ୟରେ ଆହୁରି ବଢିବ ତାତି । ଦୁଇ ଦିନରେ ୪୪ ଡିଗ୍ରି ଛୁଇଁବ ପାରଦ

107

ରାଜ୍ୟରେ ପାରଦ ଏବେ ଉପରମୁହାଁ ହୋଇଛି। ଆସନ୍ତା ୩ ଦିନରେ ଆହୁରି ୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅର୍ଥାତ୍‌ ଆସନ୍ତା ୨ ଦିନରେ ରାଜ୍ୟର କିଛି ସ୍ଥାନରେ ପାରଦସ୍ତର ୪୪ ଡିଗ୍ରି ସ୍ପର୍ଶ କରିବ। ଆଜି ରାଜ୍ୟର ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧିପାଇଛି। ୪୨ ଡିଗ୍ରି ତାପମାତ୍ରା‌ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏହା ପଛକୁ ରହିଛି ସୋନପୁର । ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୮ ଡିଗ୍ରି ରେକର୍ଡ ହୋଇଛି । ଏହାସହ ଭବାନୀପାଟଣା, ବୌଦ୍ଧ ଓ ମାଲକାନଗିରିର ଦିନ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା । ଆଗକୁ ଏହି ତାପମାତ୍ରା‌ ଆହୁରି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି ।

ଅନ୍ୟପଟେ ଆସନ୍ତା ୨ ଦିନ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଧା, ପୁରୀ ଓ ଗଞ୍ଜାମରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ । ସେହିପରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ାର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାରେ ସାମୟିକ ସମୟ ପାଇଁ ତାତି କମିବ । କିନ୍ତୁ ଏହାର ପ୍ରଭାବ ଦିନର ସର୍ବୋଚ୍ଚ ତାପମାତ୍ରା ଉପରେ ପଡ଼ିବ ନାହିଁ । ଆଗକୁ ତାତି ବଢ଼ିବ । ପ୍ରାୟ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ଓ କିଛି କିଛି ସ୍ଥାନରେ ୪୩ରୁ ୪୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ତାପମାତ୍ରା ଆଜି ୩୮.୬ ଡିଗ୍ରି ରହିଥିବା ବେଳେ ଅପରାହ୍ନ ଆଡ଼କୁ ଆକାଶ ମେଘାଚ୍ଛନ୍ନ ରହିଥିଲା । ଆସନ୍ତାକାଲି ରାଜଧାନୀ ସହ ଏହାର ସଂଲଗ୍ନ ଅଞ୍ଚଳର ତାପମାତ୍ରା ୪୦ ଡିଗ୍ରି ପାଖାପାଖି ରହିବ। ଆକାଶ ଆଂଶିକ ମେଘୁଆ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।