ବଢିବ ତାତି… ସିଝିବ ଓଡିଶା… ୪୦ ଡିଗ୍ରୀ ଉପରକୁ ଯାଇପାରେ ତାପମାତ୍ରା

121

 ଦିନର ତାପମାତ୍ରା ବଢ଼ିବ। ଏଥିସହ ଖରାର ପ୍ରକୋପ ବୃଦ୍ଧି ପାଇବ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୪ ଡିଗ୍ରି ବଢ଼ିବାକୁ ଥିବା ବେଳେ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ପରବର୍ତୀ ୪ରୁ ୫ ଦିନ ପର୍ଯ୍ୟନ୍ତ ପାଗରେ ସେଭଳି ପରିବର୍ତନ ଆସିବ ନାହିଁ। ତେବେ ୨୪ ତାରିଖଠାରୁ ଦିନର ତାପମାତ୍ରା ବଢ଼ିବା ସହ କେତେକ ସ୍ଥାନରେ ୪୦ ଡିଗ୍ରି ଟପିବାର ସମ୍ଭାବନା ଥିବା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆହୁରି କୁହାଯାଇଛି ଯେ ମଙ୍ଗଳବାର ଓ ବୁଧବାର ସକାଳ ସମୟରେ ଅଧିକାଂଶ ଜିଲ୍ଲାରେ ହାଲୁକା କୁହୁଡ଼ି ପଡ଼ିବ। ୧୬ ତାରିଖରେ ଅନୁଗୁଳ, କଟକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ଭଦ୍ରକ ଓ ଖୋର୍ଧା ଜିଲ୍ଲା ଏବଂ ୧୭ ତାରିଖରେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, ଗଜପତି ଓ ଗଞ୍ଜାମ ଜିଲ୍ଲାରେ କୁହୁଡ଼ି ହେବ। ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ରହିବ। ୨୦ ତାରିଖ ବେଳକୁ ଅଳ୍ପ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଗତ ୨୪ ଘଣ୍ଟାରେ ମାଲକାନଗିରି ଓ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ରେକର୍ଡ ହୋଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆଗକୁ ରାଜ୍ୟର ତାପମାତ୍ରା ବଢ଼ିବ। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଜିଲ୍ଲାରେ ୨୩ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରୀୟ ପବନ ଯୋଗୁଁ ସର୍ବାଧିକ ତାପମାତ୍ର ବିଶେଷ ବଢ଼ିବ ନାହିଁ। ମଙ୍ଗଳବାର ଓ ଶୁକ୍ରବାର ସାମୟିକ ଭାବେ ଗୋଟିଏ ଡିଗ୍ରି ବୃଦ୍ଧି ପାଇବ। ତେବେ ୨୪ ତାରିଖରେ ୪୦ ଡିଗ୍ରି ଛୁଇଁପାରେ। ଦକ୍ଷିଣ-ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶା ଯଥା ମାଲକାନଗିରିରୁ ସୋନପୁର, କେନ୍ଦ୍ରୀୟ ଓଡ଼ିଶା ଯଥା ଢେଙ୍କାନାଳ, ଅନୁଗୁଳ ଓ ବୌଦ୍ଧରେ ଆସନ୍ତା ୩ ଦିନ ଭିତରେ ପ୍ରାୟ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ସେହିପରି ଉତ୍ତର ଉପକୂଳ ଓ ସଂଲଗ୍ନ ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ଆସନ୍ତା ୪ ଦିନ ଭିତରେ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିପାରେ। ୧୯ରୁ ୨୪ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ। ୧୯ ଓ ୨୦ ତାରିଖରେ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ଅଧିକ ରହିଛି।