ସାରା ରାଜ୍ୟକୁ କଲବଲ କରୁଛି ଖରା : ରାତି ପାହୁପାହୁ ବଢୁଛି ତାତି; ଉତରରୁ ପଶ୍ଚିମ ସବୁଠି ଜାରି ରହିଛି ଗ୍ରୀଷ୍ମ ଲହରି

ଉପକୂଳ ଓଡିଶାରେ ବି ଅନୁଭୁତ ହେଉଛି ଖରା; ଆଜିଠୁ ୩ ଦିନ ଯାଏଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା

119

କନକ ବ୍ୟୁରୋ : ରାତି ପାହୁପାହୁ ବଢୁଛି ତାତି । ଗତକାଲି ସାରା ବିଶ୍ୱରେ ଉତପ୍ତ ସହର ପାଲଟିଥିବା ବାରିପଦା ସହରରେ ସକାଳ ୮ଟାରୁ ପ୍ରକୋପ ଜାରି କରୁଛି ଖରା । ଗତକାଲି ବାରିପଦା ସହରରେ ୪୪ ଦଶମିକ ୬ ଡିଗ୍ରୀ ସେଲସିୟସରେ ପହଁଚିଥିଲା ତାପମାତ୍ରା । ପାଣିପାଗ ସଂସ୍ଥା ଓଜିଆଇମେଟ୍ ଡଟ କମ୍ ସୂଚନା ଆଧାରରେ ଏହି ତଥ୍ୟ ସାମନାକୁ ଆସିଥିଲା ।

ସେପଟେ ଆଜିଠୁ ରାଜ୍ୟର ୩ ଦିନ ଯାଏଁ ପ୍ରବଳ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି । ଗ୍ରୀଷ୍ମପ୍ରବାହକୁ ନଜରରେ ରଖି , ୨୦ଟି ଜିଲ୍ଲା ପାଇଁ ହିଟ୍ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ ସତର୍କ କରି କହିଛି, ସୁନ୍ଦରଗଡ, ଝାରୁସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, କଟକ , ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଭଳି ଜିଲ୍ଲାଗୁଡିକରେ ପ୍ରବଳ ଖରା ହେବ । ମୁଖ୍ୟତଃ ପଶ୍ଚିମ ଦିଗରୁ ବାୟୁମଣ୍ଡଳର ତଳଭାଗରେ ପ୍ରବାହିତ ହେଉଥିବା ଶୁଷ୍କ ବାୟୁ ଓ ସ୍ଥାନୀୟ ଗରମ ପ୍ରଭାବରୁ ତାତି ବଢିବ ।