ଆସନ୍ତା ୩ଦିନ ଯାଏଁ ଶୁଖିଲା ପାଗ ! ୧୧ରେ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା; ତାପମାତ୍ରାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ପାରଦ

143

କନକ ବ୍ୟୁରୋ : ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଦ୍ରୁତଗତିରେ ହ୍ରାସ ପାଉଛି । ଗତ କିଛି ଦିନ ମଧ୍ୟରେ ଏଠାକାର ତାପମାତ୍ରା ସ୍ୱାଭାବିକଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସି ଯାଇଛି । ଫଳରେ ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଆଗୁଆ ଜାଡ଼ ପଡ଼ିବା ଆରମ୍ଭ ହୋଇଗଲାଣି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା‌ରେ ସୋନପୁରଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରୀ ରେକର୍ଡ କରାଯାଇଛି । ଏହାବ୍ୟତୀତ ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ୧୦.୫, ଅନୁଗୁଳରେ ୧୧.୦, କୋରାପୁଟ‌‌‌ରେ ୧୧.୬, ଭବାନୀପାଟଣାରେ ୧୨.୨, ଝାରସୁଗୁଡ଼ାରେ ୧୩.୦, କେନ୍ଦୁଝରରେ ୧୩.୮, ବାରିପଦାରେ ୧୪.୨, ବଲାଙ୍ଗୀର‌ରେ ୧୪.୬ ଓ ସମ୍ବଲପୁରରେ ୧୪.୭ ଡିଗ୍ରୀ ରେକର୍ଡ କରାଯାଇଛି । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ଉପରେ ରହିଛି ।

ଭୁବନେଶ୍ୱରର ସର୍ବନିମ୍ନ ୧୮.୦ ଡିଗ୍ରୀ ଓ କଟକ‌ରେ ସର୍ବନିମ୍ନ ୧୬.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବାକି ଜିଲ୍ଲାଗୁଡ଼ିକର ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ କମ୍‌ ରହିଥିବା ଦେଖିବାକୁ ମିଳିଛି । ଫଳରେ ଏବେ ସାରା ରାଜ୍ୟରେ ଥଣ୍ଡା ଅନୁଭୂତ ହୋଇଗଲାଣି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ୱାସ କହିଛନ୍ତି, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ଓ ଖରାଟିଆ ରହିବ । ୧୧ ଓ ୧୨ ତାରିଖ ଦିନ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ । ଏଥିସହ ୧୨ତାରିଖ ଦିନ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ସୀମାନ୍ତ ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ ଓ ରାୟଗଡ଼ାର କିଛି କିଛି ଅଞ୍ଚଳରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଓଡ଼ିଶାକୁ ପୂର୍ବା ତରଙ୍ଗାୟିତ ପବନ ପ୍ରବାହିତ ହେବାର ସମ୍ଭାବନା ଥିବାରୁ ୧୧ ଓ ୧୨ତାରିଖରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ଓ ଏହିଭଳି ଭାବେ ହାଲ୍‌କା ବର୍ଷାର ସମ୍ଭାବନା ରହିଛି ବୋଲି ଶ୍ରୀ ବିଶ୍ୱାସ କହିଛନ୍ତି । ଏବେ ସର୍ବନିମ୍ନ ତାପମାତ୍ରାରେ ଆଉ ପରିବର୍ତ୍ତନ ଦେଖାଯିବ ନାହିଁ। ସେହିପରି ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ଆଉ ବିଶେଷ ହ୍ରାସ ପାଇବାର ସମ୍ଭାବନା ନଥିବା ବେଳେ ଉପକୂଳରେ ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ସ୍ତର ଖସିପାରେ । ୧୧ ତାରିଖରୁ ପୂର୍ବା ତରଙ୍ଗାୟିତ ପବନର ପ୍ରବାହ ତଥା ମେଘୁଆ ପାଗ ଯୋଗୁଁ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ଫଳରେ ଶୀତ କମିବ ଓ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ହୋଇଯିବ ।