ସରିଲା ଶୀତ, ଆଜିଠୁ ବଢିବ ତାତି ! ଦିନ ସମେତ ବଢିବ ରାତିର ତାପମାତ୍ରା ।

271

କନକ ବ୍ୟୁରୋ : ରାଜ୍ୟରେ ଆଉ ଶୀତ ହେବନି । ଏଣିକି ଲୋକ ଦିନରେ ତାତି ଓ ରାତିରେ ଗରମ ଅନୁଭବ କରିବେ । ଏହିଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ । କେବଳ ରାତିର ନୁହେଁ ଦିନର ତାପମାତ୍ରା ମଧ୍ୟ ବଢ଼ିବ । ୪ରୁ ୫ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ । ଫଳରେ ଲୋକମାନେ ଖରା ଅନୁଭବ କରିବେ । ବର୍ତ୍ତମାନର ପାଣିପାଗ ସ୍ଥିତି ଯାହା ସେଥିରେ ଆଉ ଶୀତ ଫେରିବାର ସମ୍ଭାବନା ନାହିଁ ।

ଚଳିତବର୍ଷ ବିଳମ୍ବରେ ଶୀତ ଆସିଥିବା ବେଳେ ବିଳମ୍ବରେ ବି ଶୀତ ଛାଡ଼ିଛି । ଫେବ୍ରୁଆରି ଅଧାରେ ରାଜ୍ୟରୁ ଶୀତ ଛାଡ଼ିଛି । ପାଣିପାଗ ଚକ୍ର ବଦଳୁଥିବାରୁ ଏଥର ଜଲ୍‌ଦି ଗ୍ରୀଷ୍ମ ଋତୁ ଭଳି ଖରା ଅନୁଭବ ହେବ । ଫେବ୍ରୁଆରି ମାସରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନବେଳା ତାପମାତ୍ରା ୩୫ଡିଗ୍ରି ଉପରେ ରହିବ । ରାତିରେ ତାପମାତ୍ରା ୧୭ଡିଗ୍ରି ଉପରେ ରହିବ ।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ପାରଳାଖେମୁଣ୍ଡିରେ ସର୍ବାଧିକ ୩୪.୬ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ପାରାଦୀପ, ଗୋପାଳପୁର, ଫୁଲବାଣୀ ଓ ଦାରିଙ୍ଗବାଡ଼ିକୁ ଛାଡ଼ି ରାଜ୍ୟର ବାକି ସ୍ଥାନରେ ପାରଦ ୩୦ଡିଗ୍ରି ଉପରେ ଥିଲା । ସେହିପରି ଆଜି ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୧.୪ଡିଗ୍ରି ରେକର୍ଡ ହୋଇଛି । ପୁରୀରେ ସବୁଠୁ ଅଧିକ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଆଜି ରାତିରେ ଏହା ୧୯.୬ଡିଗ୍ରି ଥିବା ରେକର୍ଡ ହୋଇଛି । ସେହିପରି ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ କୌଣସି ସ୍ଥାନରେ ବି ବର୍ଷା ହେବାର ସମ୍ଭାବନା ନାହିଁ ।