କନକ ବ୍ୟୁରୋ : ଡ଼ହ ଡ଼ହ ଖରାରେ ଶିଝୁଛି ଓଡ଼ିଶା । ଆଜି ବି ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆଜିଠୁ ୪ ଦିନରେ ରାଜ୍ୟରେ ତାପମାତ୍ରା ଆହୁରି ବଢିବ । ପାଖାପାଖି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବଢିବ । ୧୩ରୁ ୧୫ ତାରିଖ ଯାଏଁ ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପାଇଁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲି ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Advertisment

ଏହା ସହ ୧୪ ତାରିଖ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ଦିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୧୫ ତାରିଖ ପାଇଁ ଦେବଗଡ଼, ଅନୁଗୁଳ, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଗତକାଲି ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪୧.୬ ଡିଗ୍ରୀ ବାରିପଦାଠାରେ ରେକର୍ଡ କରାଯାଇଛି । ଚଳିତ ବର୍ଷ ପ୍ରଥମ ଥର ଭୁବନେଶ୍ୱର ଓ କଟକ ତାପମାତ୍ରା ୪୦ ଡିଗ୍ରୀ ପାର କରିଥିଲା । ଭୁବନେଶ୍ୱରରେ ୪୦.୭ ଓ କଟକରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଏଣୁ ଏହି ସମୟ‌ରେ ଅତ୍ୟଧିକ ଖରାକୁ ନ ଯିବା, ଘରୁ ବାହାରିଲେ ପାଣିବୋତଲ, ଛତା ଓ ଓଦା କପଡ଼ା ନେଇ ଯିବା ଏବଂ ଅସୁସ୍ଥ, ବୃଦ୍ଧ ଓ ଶିଶୁଙ୍କୁ ଖରାଠାରୁ ଦୂରେଇ ରଖିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଏହାବ୍ୟତୀତ, ଶରୀରରୁ ଜଳୀୟ ଅଂଶ କମି ଯିବାର ସମ୍ଭାବନା ଥିବାରୁ ପ୍ରଚୁର ଲେମ୍ବୁ ପାଣି, ତୋରାଣି, ଘୋଳ ଦହି, ଆଖୁ ରସ, ପଇଡ଼, ବେଲପଣା, ଓଆର୍‌ଏସ୍‌ ଓ ଲସି ଇତ୍ୟାଦି ପିଇବାକୁ ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି ।