ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବଢିବ ତାତି ! ରାଜଧାନୀରେ ପାରଦ ଛୁଇଁବ ୩୯ ଡିଗ୍ରି ।

93

ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ବଢ଼ିବ । ଅଧିକାଂଶ ସ୍ଥାନରେ ତାପମାତ୍ରା ଦୁଇରୁ ତିନି ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ । ଏହା ପ୍ରଭାବରେ ରାଜ୍ୟରେ ଗରମ ଅନୁଭବ ହେବ । ଦିନବେଳା ପାରଦ ୩୫ଡିଗ୍ରି ଉପରେ ଏବଂ ରାତିରେ ୧୮ଡିଗ୍ରି ତଳେ ରହିବ । ତେଣୁ ଦିନବେଳା ଗରମ, ରାତିରେ ଥଣ୍ଡା ଲାଗିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୫ଦିନ ପାଗ ଶୁଖିଲା ରହିବ । ଏବେ ଯେପରି ତାତି ଅନୁଭୂତ ହେଉଛି ସେହିପରି ହେବ । ମାର୍ଚ୍ଚ ୧୫ ପରେ ପାଗ ପରିବର୍ତ୍ତନ ହୋଇପାରେ ।

ସେହିପରି ଓୟୁଏଟିର ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ । ରବିବାର ଠାରୁ ରାଜ୍ୟର ସମସ୍ତ ଅଞ୍ଚଳରେ ସର୍ବାଧିକ ତାପମାତ୍ରା କ୍ରମଶଃ ବଢ଼ିବ । ଫଳରେ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ତାପମାତ୍ରା ପ୍ରାୟ ୫ରୁ ୬ ଡିଗ୍ରି ବୃଦ୍ଧି ପାଇବ । ତାପମାତ୍ରା ୩୯ ଡିଗ୍ରି ଛୁଇଁପାରେ। ସେହିପରି ଦକ୍ଷିଣ, ପଶ୍ଚିମ ଓଡ଼ିଶାରୁ ବଲାଙ୍ଗୀର ପର୍ଯ୍ୟନ୍ତ ତାପମାତ୍ରା ପ୍ରାୟ ୪ରୁ ୫ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି । ୧୩ ତାରିଖ ପର୍ଯ୍ୟନ୍ତ ରାତିର ତାପମାତ୍ରା ପରିବର୍ତ୍ତନ ହେବନି । ତେବେ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ  ରାଜ୍ୟର ଅଧିକା˚ଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ବଢ଼ିବ ।

ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ରାତିରେ ଶିଶିରପାତ ଲାଗିରହିବ। ଏହା ପରେ ଆଉ ଶିଶିରପାତ ହେବନି । ବର୍ତମାନ ବାୟୁ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ଆଡ଼କୁ ପ୍ରବାହିତ ହେଉଛି । ଏହା ପରେ ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବ । ଫଳରେ ବଙ୍ଗୋପସାଗରୀୟ ପବନ ଦକ୍ଷିଣରୁ ରାଜ୍ୟକୁ ପ୍ରବାହିତ ହେବ । ଆସନ୍ତା ୧୬ ଓ ୧୭ ତାରିଖରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅଦିନିଆ ତଥା କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଅପରପକ୍ଷେ ଆଜି ମାଲକାନଗିରିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୭ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ବରରେ ୩୩.୧, କଟକରେ ୩୨, ଅନୁଗୁଳରେ ୩୫, ସମ୍ବଲପୁର ଓ ସୁନ୍ଦରଗଡ଼ରେ ୩୩, ବଲାଙ୍ଗୀରରେ ୩୩.୮ଡିଗ୍ରି ରେକର୍ଡ ହୋଇଛି।