ଶୀତରେ ଥରୁଛି ସାରା ରାଜ୍ୟ । ୧୦ ଡିଗ୍ରୀ ତଳେ ୧୫ଟି ସ୍ଥାନର ପାରଦ। ଜାଣନ୍ତୁ କେତେ ରହିଛି ଓଡିଶାର ବିଭିନ୍ନ ସହରର ଆଜିର ସର୍ବନିମ୍ନ ତାପମାତ୍ରା

557

କନକ ବ୍ୟୁରୋ: ସାରା ରାଜ୍ୟରେ ଜାରି ରହିଛି ଶୀତର ଥାର୍ଡଡିଗ୍ରୀ । ଅସହ୍ୟ ଜାଡରେ ଥରୁଛି ସାରା ଓଡିଶା । ମୟୂରଭଂଜଠୁ ମାଲକାନଗିରି, ସମ୍ବଲପୁରରୁ ଜଗତସିଂହପୁର ଯାଏଁ ସବୁଠି ଅନୁଭୂତ ହେଉଛି ପ୍ରବଳ ଥଣ୍ଡା । ତାପମାତ୍ରା ଗୋଟିଏ ଦିନରେ ୪ ରୁ ୫ ଡିଗ୍ରୀ ତଳକୁ ଖସି ଆସିଛି । ୧୫ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୩ ଦଶମିକ ୪ ଡିଗ୍ରୀ ରହିଛି । ସେପଟେ, ପ୍ରବଳ ଥଣ୍ଡା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା-ଦାରିଙ୍ଗିବାଡି ଓ ସିମନବାଡିରେ ତୁଷାରପାତ ହୋଇଛି । ତେବେ ଓଡିଶାର କାଶ୍ମୀର କୁହାଯାଉଥିବା ଏହି ଦାରିଙ୍ଗିବାଡିରେ ଚଳିତ ବର୍ଷ ଏହା ପ୍ରଥମ ତୁଷାରପାତ । ଦୁଇଦିନ ହେଲା କୋହଲା ପାଗ ସାଙ୍ଗକୁ ତୁଷାରପାତ ହେବା ଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ତାଜା ସୂଚନା ଅନୁଯାୟୀ, କେନ୍ଦୁଝରରେ ୬.୬ ଡିଗ୍ରି ସେଲସିଅସ୍, ଝାରସୁଗୁଡ଼ାରେ ୭.୩ ଡିଗ୍ରି ସେଲସିଅସ୍, ଦାରିଙ୍ଗିବାଡ଼ିରେ ୫.୫ ଡିଗ୍ରି ସେଲସିଅସ୍, ସମ୍ବଲପୁରରେ ୭.୪ ଡିଗ୍ରି ସେଲସିଅସ୍, ବାଲେଶ୍ୱରରେ ୮.୬ ଡିଗ୍ରି ସେଲସିଅସ୍, କଟକରେ ୧୦.୨ ଡିଗ୍ରି ସେଲସିଅସ୍, ହୀରାକୁଦରେ ୧୦.୧ଡିଗ୍ରି ସେଲସିଅସ୍ , ଟିଟଲାଗଡ଼ରେ ୬.୧ ଡିଗ୍ରି ସେଲସିଅସ୍ ,ଅନୁଗୁଳରେ ୪.୬ ଡିଗ୍ରି ସେଲସିଅସ୍ ,ବାରିପଦାରେ ୯ ଡିଗ୍ରି ସେଲସିଅସ୍ , ସୁନ୍ଦରଗଡ଼ରେ ୯ ଡିଗ୍ରି ସେଲସିଅସ୍ ,ପୁରୀରେ ୧୨ ଡିଗ୍ରି ସେଲସିଅସ୍ ,ଓ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୦.୨ ଡିଗ୍ରି ସେଲସିଅସ୍ ତାପମାତ୍ରା ରହିଛି।

ଏପଟେ, ଆସନ୍ତା ତିନି ଦିନ ଯାଏ ରାଜ୍ୟରେ ଶୀତ ଲହରୀ ଜାରି ରହିବା ନେଇ କହିଛି ପାଣିପାଗ ବିଭାଗ । ଏଥିପାଇଁ ୁ ୧୮ଟି ଜିଲ୍ଲା ତଥା ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଦା, ପୁରୀ,ନୟାଗଡ, ବୌଦ୍ଧ, ସୋନପୁର,ବଲାଙ୍ଗୀରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହେବ । ସେହିପରି ଉତରଓଡିଶାର ଆଭ୍ୟନ୍ତରୀଣ ଅଂଚଳ, ବାଲେଶ୍ୱର, କଟକ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ପ୍ରବ ଥଣ୍ଡା ଅନୁଭୂତ ହେବ । ଏହା ସହିତ କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ବଲାଙ୍ଗୀର ଜିଲ୍ଳାର କେତେକ ସ୍ଥାନରେ ଘନ କୁହୁଡି ପଡିବାର ଆଶଙ୍କା ରହିଛି । ସେଥିପାଇଁ ଏହିସବୁ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଅସହ୍ୟ ଥଣ୍ଡା ଯୋଗୁଁ ଦିଲ୍ଲୀ, ଉତରପ୍ରଦେଶ ସମେତ ୬ ରାଜ୍ୟରେ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।