ପ୍ରଚଣ୍ଡ ଖରାରେ ସିଝୁଛି ଓଡ଼ିଶା : ଆଜି ବି ଟାଣ ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେବେ ରାଜ୍ୟବାସୀ; ସେପଟେ ୧୧ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

1,210

କନକ ବ୍ୟୁରୋ : ପ୍ରଚଣ୍ଡ ଖରାରେ ସିଝୁଛି ଓଡ଼ିଶା । ଆଜି ବି ଟାଣ ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେବେ ରାଜ୍ୟବାସୀ । ସକାଳ ୮ଟା ପରଠୁ ପ୍ରଚଣ୍ଡ ତାତି ଅନୁଭୂତ ହେଉଛି । ଦିନ ୪ଟା ପୂର୍ବରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି । ଅତି ଜରୁରୀ କାମ ନଥିଲେ ଲୋକେ ବାହାରକୁ ବାହାରୁ ନାହାନ୍ତି । ପଶ୍ଚିମ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହେଉଛି । ଗତକାଲି ୨୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ନୂଆପଡା । ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଥିଲା ।

ଝାରସୁଗୁଡ଼ାରେ ପାରଦ ରହିଥିଲା ୪୩ ଦଶମିକ ୪ । ତାଳଚେରରେ ୪୩ ଦଶମିକ ୨, ଅନୁଗୁଳରେ ୪୩ ଦଶମିକ ୧ ଡିଗ୍ରୀ ରହିଥିଲା ତାପମାତ୍ରା । ରାଜଧାନୀ ଭୁବନେଶ୍ୱରରେ ତାତି ରହିଥିଲା ୪୨ ଦଶମିକ ୮ । ଆଗକୁ ଏପରି ତାତି ସହ ଗୁଳୁଗୁଳି ଅନୁଭୂତ ହୋଇପାରେ । ତେବେ ଚଳିତ ସପ୍ତାହରେ କେରଳ ଓ କର୍ଣ୍ଣାଟକ ଉପକୂଳ ଅଞ୍ଚଳରେ ପ୍ରାକ୍‌ ମୌସୁମୀ ଯୋଗୁଁ ତାପମାତ୍ରା କମିବ। ତେବେ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟରେ ଜୁନ୍‌ ୧୦ ଆଗରୁ ତାତି କମିବାର ସମ୍ଭାବନା କମ୍‌ ରହିଛି। ମେ ୨୬ ତାରିଖରେ ପଶ୍ଚିମ ଓ ୨୭ରେ ଉତ୍ତର ଓଡ଼ିଶାରେ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ହ୍ରାସ ପାଇବ। ମାତ୍ର ୩ଦିନ ପରେ ପୁଣି ବଢ଼ିବ । ଭୁବନେଶ୍ବର ଓ ସଂଲଗ୍ନ ଅଞ୍ଚଳରେ ୨୬ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବ । ୨୭ରୁ ୨୯ ମଧ୍ୟରେ ୩୯ରୁ ୪୦ ଡିଗ୍ରି, ମେ’ ୩୦ ଓ ଜୁନ୍‌ ପହିଲାରେ ୩୮ ଡିଗ୍ରୀ ରହିବାର ସମ୍ଭାବନା ଅଧିକ ରହିଛି ।

ଜୁନ୍‌ ୨ରେ ତାପମାତ୍ରା ପୁଣି ୪୦ ଡିଗ୍ରି ଅତିକ୍ରମ କରିବ। ଅଭ୍ୟନ୍ତରୀଣ କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାରେ ଗରମରୁ ନିସ୍ତାର ମିଳିବ ନାହିଁ । ୨୭ ଓ ୨୮ ତାରିଖରେ ସାମାନ୍ୟ କମିବା ପରେ ପୁଣି ବଢ଼ିବ । ୨୬ରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । କେନ୍ଦ୍ରୀୟ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ସେହି ସମୟରେ କୁଆପଥର ବର୍ଷା ହୋଇପାରେ। ଏବେ ମୌସୁମୀ ଦୁର୍ବଳ ରହିଛି ।  ହେଲେ ସାମୟିକ ଆଶ୍ୱସ୍ତି ଆଣିବ କାଳବୈଶାଖୀ ବର୍ଷା । ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।