ଦିଲ୍ଲୀରେ ହାଡଥରା ଶୀତ । ପାରଦ ୨ ଡିଗ୍ରୀ ତଳେ । ଉତର ଭାରତରେ ସବୁଠାରୁ ଶୀତଳ ସହର ପାଲଟିଛି ଜମ୍ମୁ- କାଶ୍ମୀର, ପୂର୍ବ କେତେ ବର୍ଷର ରେକର୍ଡ ଭାଙ୍ଗି ପାରଦ ବିଯୁକ୍ତ ୧୨ ଡିଗ୍ରୀରୁ କମ

99

କନକ ବ୍ୟୁରୋ : ଏବେ ଦିଲ୍ଲୀରେ ହାଡଭଙ୍ଗା ଶୀତ ସହିତ ପୁରା ଉତର ଭାରତରେ ଜାରି ରହିଛି ଶୀତ ଲହରୀ । ଦିଲ୍ଲୀରେ ଥଣ୍ଡା ଓ କୁହୁଡି ଯୋଗୁ ଦୃଶ୍ୟମାନ କମ୍ ରହିଛି । ସକାଳ ସମୟରେ ଦିଲ୍ଲୀର ବିଭିନ୍ନ ସହରରେ ତାପମାତ୍ରା ୨ ଡିଗ୍ରୀ ତଳେ ରହୁଛି । ପାଲମ ଅଞ୍ଚଳରେ ସକାଳେ ୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସଫଦରଗଂଜରେ ୨ ଡିଗ୍ରୀ ରହିଛି । ଜାନୁଆରୀ ପହିଲା ପରେ ପ୍ରଥମଥର ପାଇଁ ଦିଲ୍ଲୀରେ ତାପମାତ୍ରା ଏତେ ନିଚ୍ଚ ସ୍ଥରକୁ ଯାଇଛି । କହିରଖୁ କି ଜାନୁଆରୀ ପହିଲା ଦିନ ଦିଲ୍ଲୀର ତାପମାତ୍ରା ୧.୧ ଡିଗ୍ରୀ ରହିଥିଲା । ପାଣିପାଗ ବିଭାଗର ସୂଚନା ମୁତାବକ ଆଗାମୀ ୨ ରୁ ୩ ଦିନ ଯାଏ ଏଭଳି ଶୀତ ଲହରୀ ଲାଗି ରହିବ । ଏହାସହ ତାପମାତ୍ରା ଆହୁରି କମିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

ସେହିଭଳି ପୂର୍ବ ଉତର ଭାରତରେ ବି ଶୀତ ତା’ର ପ୍ରଭାବ ଜାରି ରଖିଛି । ଏନେଇ ଜମ୍ମୁ ଓ କାଶ୍ମୀରରେ ନ୍ୟୁନତମ ତାପମାତ୍ର ପୂର୍ବବର୍ଷ ମାନଙ୍କର ରେକର୍ଡ ଭାଙ୍ଗିଛି । ପହଲଗାମ ସହରରେ ପାରଦ ବିଯୁକ୍ତ ୧୨ ଡିଗ୍ରୀ ରହିଛି । ଏହାସହ ଗୁଲମର୍ଗ ସହରର ତାପମାତ୍ରା ବି ବିଯୁକ୍ତ ୧୦ ଡିଗ୍ରୀ ରହିଥିବା ରେକର୍ଡ କରାଯାଇଛି । ଶ୍ରୀନଗରରେ ବୁଧବାର ଦିନ ରେକର୍ଡ କରାଯାଇଥିବା ତାପମାତ୍ରା ବିଯୁକ୍ତ ୭.୮ ଡିଗ୍ରୀ ରହିଥିଲା । ଯାହାକି ପୂର୍ବ ୯ ବର୍ଷ ମଧ୍ୟରେ ସବୁଠାରୁ କମ ତାପମାତ୍ରା । ଫଳରେ ସହରର ସମସ୍ତ ରାସ୍ତାଘାଟ ଏବେ ବରଫ ଚାଦରରେ ଆଚ୍ଛାଦିତ ହୋଇଛି । ଗତକାଲି ଶ୍ରୀନଗର ବିମାନବନ୍ଦରରେ ବରଫ୍ ଭିତରେ ଫଶି ଯାଇ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଏନେଇ ରାଜ୍ୟପାଳ ମନୋଜ ସିହ୍ନା ସହରର ସମସ୍ତ ରାସ୍ତାରୁ ତୁରନ୍ତ ବରଫ ସଫା କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ରାଜସ୍ଥାନରେ ବି ଥଣ୍ଡାର ପ୍ରକୋପ ଜାରି ରହିଛି । ଏଠାରେ ତାପମାତ୍ରା ବିଯୁକ୍ତ ସ୍ତରରେ ପହଂଚିଛି । ବାରଣାସୀ ଓ ପ୍ରୟାଗରାଜରେ ଦିନର ସର୍ବୋଚ୍ଚ ତାପମାତ୍ରା ୨୦ ଡିଗ୍ରୀ ରେକର୍ଡ କରାଯାଇଛି ।