ପୁଣି ଚର୍ଚ୍ଚାରେ ଗୋଲଡେନ ବାବା ? ଗୋଲଡେନ ବାବାଙ୍କ ସମ୍ପର୍କରେ ଖବର ଦିଅନ୍ତୁ ପୁରସ୍କାର ଜିତନ୍ତୁ

189

କନକ ବ୍ୟୁରୋ: ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲଡନ ବାବାଙ୍କ ନାଁରେ ନୋଟିସ ବାହାର କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । କାହିଁକି ନା, ଦେହ ସାରା ସୁନାରେ ଛାଉଣୀ କରି ରାଜ୍ୟରେ ଦିନେ ଚର୍ଚ୍ଚାରେ ଥିଲେ ଗୋଲଡେନ୍ ବାବା । କିନ୍ତୁ ଭଦ୍ର ଚେହେରା ତଳେ ଲୁଚି ରହିଥିଲା ୪୨୦ର କଳା କାରନାମା, ଯାହାର ପୋଲ ଧିରେ ଧିରେ ଖୋଲିବାରେ ଲାଗିଥିଲା ।

  • ଋଣ ଦେବା ନାଁରେ ସେ ଲୋକଙ୍କୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ
  • ଏକ କମ୍ପାନୀ ସହ ୧୧୦ କୋଟିର ଡିଲକୁ ନେଇ ପୁଲିସ ହାତରେ ଧରା ପଡିଥିଲା
  • ବିଭିନ୍ନ ଥାନାରେ ଜ୍ୟୋତିିରଞ୍ଜନଙ୍କ ନାଁରେ ଥିଲା ଏକାଧିକ ଠକେଇ ମାମଲା
  • ଗିରଫ ପରେ ପାଖାପାଖି ୪ କୋଟି ଠକେଇ ଅଭିଯୋଗ ଆସିବା ପରେ କ୍ରାଇମବ୍ରାଂଚ ନେଇଥିଲା ତଦନ୍ତଭାର

ଖାଲି ଜ୍ୟୋତିରଞ୍ଜନ ନୁହେଁ, ଅନ୍ୟ ଦୁଇ ଫେରାର ଆଦିତ୍ୟ ଦାସ ଓ ତ୍ରିବେଣୀ ମହାନ୍ତିଙ୍କ ନାଁରେ ବି ରିୱାର୍ଡ ନୋଟିସ ବାହାର କରିଛି ଇଓଡବ୍ଲୁ । ଏହି ୩ ଠକ ଏବେ ଇଓଡବ୍ଲୁ ପାଇଁ ପାଲଟିଛନ୍ତି ମୋଷ୍ଟ ୱାଂଟେଡ । ଲୋକଙ୍କୁ କୋଟି କୋଟି ଟଙ୍କର ଚୂନ ଲଗାଇ ଫେରାର ହେଇଯାଇଛନ୍ତି ୩ ଅଭିଯୁକ୍ତ । ଆଦିତ୍ୟ ଦାସକୁ ମୋଷ୍ଟ ୱାଂଟେଡ ଦର୍ଶାଇ ନୋଟିସ ବାହାର କରିଛି କ୍ରାଇମଂବ୍ରାଂଚ । ସିଷ୍ଟମେଟିକ ଫାଇନାନ୍ସସିଆଲ ସର୍ଭିସ ପ୍ରାଇଭେଟ ଲିମିଟେଡ ନାଁରେ ଏକ କମ୍ପାନୀ ଖୋଲି ଲୋକଙ୍କଠୁ ୨୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି ଆଦିତ୍ୟ ଦାସଙ୍କ ନାଁରେ । ସେ ୨୦୧୩ ମସିହାରୁ ଫେରାର ଅଛନ୍ତି ।

ସେହିଭଳି ତ୍ରିବେଣୀ ମହାନ୍ତି ମଧ୍ୟ ଷ୍ଟାର କନଲାନଟନ୍ସି ସର୍ଭିସ ପ୍ରାଇଭେଟ ଲିମିଟେଡ ନାଁରେ କମ୍ପାନୀ ଖୋଲି ଲୋକଙ୍କୁ ପାଖାପାଖି ୧୩ କୋଟି ଟଙ୍କାର ଚୂନା ଲଗାଇଛନ୍ତି । ସେ ୨୦୧୨ରୁ ଫେରାର ଅଛନ୍ତି । ଏହି ୩ ଜଣ ମୋଷ୍ଟୱାଂଟେଡ ଠକଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁର ସମସ୍ତ ଉଦ୍ୟମ ବିଫଳ ହୋଇଛି । ଆଉ ଏବେ ସେମାନଙ୍କୁ ଧରାଇଦେଲେ ପୁରସ୍କାର ଜିତିବାର ଲୋଭ ଦେଖାଇଛି ଇଓଡବ୍ଲୁ । ୩ ଜଣଙ୍କ ସମ୍ପର୍କରେ ସୂଚନା ଦେବାକୁ ଚାହୁଁଥିଲେ ୩ ଟି ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି ।