ବିଜେଡିରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ: ପ୍ରାଥମିକ ସଦସ୍ୟ ପଦ ଛାଡ଼ିଲେ ପ୍ରେମାନନ୍ଦ ନାୟକ

131

କନକ ବ୍ୟୁରୋ: ପ୍ରେମା ଛାଡିଦେଲେ ବିଜେଡି ଶିବିର । ଅଭିଯୋଗ ତାଙ୍କୁ ଦଳରେ କରାଯାଇଛି କୋଣଠେସା । ଷୋଡଶ ବିଧାନସଭା ଶେଷ ହେବାକୁ ଯାଉଛି । ଆଉ ଏହି ସମୟରେ ବିଜେଡିରୁ ଇସ୍ତଫା ଦେଇଛନ୍ତି କେନ୍ଦୁଝର ତେଲକୋଇ ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରେମାନନ୍ଦ ନାୟକ । ତେବେ ପ୍ରେମାଙ୍କ ଅଭିଯୋଗକୁ ଖାରଜ କରିଛି ବିଜେଡି ।

ନିର୍ବାଚନ ପାଖେଇ ଆସୁଥିବାବେଳେ ଆଗକୁ ଦଳବଦଳ ଜୋରଦାର ହେବ । କିନ୍ତୁ ଅତି ଆଶ୍ଚର୍ଯ୍ୟଜନକ ଭାବେ ଶାସକ ଦଳକୁ ବାଏବାଏ କରିଛନ୍ତି ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ । ଗତ ଅକ୍ଟୋବର ମାସରୁ ଦଳର ସଭାପତି ଓ ସଂଗଠନ ସଂପାଦକଙ୍କୁ ସେ ଇ-ମେଲରେ ଇସ୍ତଫା ପତ୍ର ପଠାଇ ଦେଇଥିଲେ । ହେଲେ କେହି ତାଙ୍କ ସହ ଆଲୋଚନା କରିନଥିବାରୁ ଦଳର ପ୍ରାଥମିକ ସଦସ୍ୟ ପଦ ଛାଡିଥିବା କହିଛନ୍ତି ପ୍ରେମାନନ୍ଦ ।

ପ୍ରେମାନନ୍ଦଙ୍କ ଅଭିଯୋଗ
– ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ତାଙ୍କୁ ସୁଯୋଗ ମିଳିଲା ନାହିଁ
– ନିଜର ଓ ଅଂଚଳର ଛୋଟବଡ଼ ସମସ୍ୟା ଜଣାଇ ପାରିଲେ ନାହିଁ
– ପଂଚାୟତ ନିର୍ବାଚନ ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଦଳରେ ମିଶାଗଲା
– ଯିଏ ପୂର୍ବରୁ କଂଗ୍ରେସ ଓ ବିଜେପିରୁ ଠିଆ ହୋଇ ତେଲକୋଇରୁ ହାରିଥିଲେ
– ତଥାପି ତାଙ୍କୁ ଦଳରେ ମିଶାଇ ସମାନ୍ତରାଳ ଗୋଷ୍ଠୀ ତିଆରି କରାଗଲା

୨୦୧୯ରେ ବିଜେପି ଟିକେଟରେ ପ୍ରେମାନନ୍ଦଙ୍କ ବିରୋଧରେ ଲଢି ହାରିଥିଲେ ଧନୁର୍ଜୟ ସିଦ୍ଧୁ । ହେଲେ ଏହାପରେ ତାଙ୍କୁ ବିଜେଡିରେ ମିଶାଯାଇଥିଲା । ଯାହାକୁ ନେଇ ଅସନ୍ତୁଷ୍ଟ ଥିଲେ ପ୍ରେମାନନ୍ଦ । ଅକ୍ଟୋବର ମାସରୁ ତାଙ୍କୁ ଆଉ ତେଲକୋଇ ନିର୍ବାଚନ ମଣ୍ଡଳୀରେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନଥିଲା । ବିଜେଡିର ବରିଷ୍ଠ ନେତାମାନେ କିନ୍ତୁ ପ୍ରେମାନନ୍ଦଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଓ ପୁଣି ୨୦୧୯ରେ ତେଲକୋଇରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପ୍ରେମାନନ୍ଦ ନାୟକ । ନବୀନଙ୍କ ପଂଚମ ପାଳିରେ ତାଙ୍କୁ ମନ୍ତ୍ରୀପଦ ମଧ୍ୟ ଦିଆଯାଇଥିଲା । ୨୦୨୨ରେ ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ବାଦ୍ ପଡିଥିଲେ ।