କନକ ବ୍ୟୁରୋ: ତେଲକୋଇର ତାଜ୍ ପିନ୍ଧିବ କିଏ? ଏଭଳି କିଛି ପ୍ରଶ୍ନ ଏବେ ତେଲକୋଇବାସୀଙ୍କ ମଧ୍ୟରେ ଉଙ୍କି ମାରୁଛି । କାରଣ ବିଗତ ୪ଟି ଯାକ ବିଧାନସଭା ନିର୍ବାଚନରେ ତେଲକୋଇକୁ ଅକ୍ତିଆର କରି ରଖିଛି ବିଜେଡି । ୨୦୧୪ ବିଧାନସଭାରେ ବିଜେଡିର ବେଦବ୍ୟାସ ନାଏକ ବିଜୟୀ ହୋଇ ହୋଇଥିବା ବେଳେ ଏବେ ତାଙ୍କୁ ବିଜେଡି ପ୍ରାର୍ଥୀ କରିବ କି ନାହିଁ ସେନେଇ କୌଣସି ସ୍ପଷ୍ଟ ଚିତ୍ର ମିଳୁ ନାହିଁ । ସେପଟେ ଉଭୟ କଂଗ୍ରେସ ଓ ବିଜେପି କ୍ୟାମ୍ପରେ ମଧ୍ୟ ଏଯାଏ ପ୍ରାର୍ଥୀ ସ୍ଥିର ହୋଇପାରି ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ପ୍ରଥମ ଥର ପାଇଁ ଜନ ସମୃଦ୍ଧି ପାର୍ଟି ଏଠାରେ ପ୍ରାର୍ଥୀ ଦେଇ ଲଢ଼ିବାକୁ ପ୍ରସ୍ତୁତି ଚଳାଇଛି ।
ଆଗାମୀ ନିର୍ବାଚନ ନେଇ ସବୁଠି ତାତି ଉଠୁଥିବାବେଳେ ତେଲକୋଇରେ ଟିକେ ଭିନ୍ନ ଉଷ୍ମତା ଦେଖିବାକୁ ମିଳିଛି । କାରଣ କେନ୍ଦୁଝର ଜିଲ୍ଲାର ୬ଟି ନିର୍ବାଚନମଣ୍ତଳୀରୁ ତେଲକୋଇ ଅନ୍ୟତମ। ସାଧାରଣତଃ ଏହା ବିଜେଡିର ଗଡ଼ ଭାବେ ପରିଚିତ। ଗତ ୪ଟି ନିର୍ବାଚନରେ ଏଠାରେ ବିଜେଡିର ନିକଟତମ ପ୍ରତିଦ୍ବନ୍ଦ୍ବୀ ଭାବେ କ˚ଗ୍ରେସ ରହି ଆସିଛି। ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ଏଠାରୁ ବିଜେଡି ପ୍ରାର୍ଥୀ ନୀଳାଦ୍ରି ନାଏକ ବିଜୟୀ ହୋଇଥିଲେ। ୨୦୦୯ରେ ନୀଳାଦ୍ରିଙ୍କ ଟିକଟ କାଟି ନୂଆମୁହଁ ଭାବେ ପ୍ରେମାନନ୍ଦ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ସେ ମଧ୍ୟ ବିଜୟୀ ହୋଇଥିଲେ। ଏହି ସମୟ ଭିତରେ ନୀଳାଦ୍ରିଙ୍କ ପରଲୋକ ଘଟିଥିଲା। ୨୦୧୪ ରେ କୌଣସି କାରଣରୁ ପ୍ରେମାନନ୍ଦଙ୍କ ଟିକଟ କଟିଗଲା ଏବଂ ଦିବଂଗତ ନୀଳାଦ୍ରି ନାଏକଙ୍କ ପୁଅ ବେଦବ୍ୟାସ ନାଏକଙ୍କୁ ବିଜେଡି ଭରସା କରିଥିଲା। ବେଦବ୍ୟାସ ମଧ୍ୟ ବିଜୟୀ ହୋଇ ବିଧାୟକ ହୋଇଛନ୍ତି।
ବର୍ତ୍ତମାନର ବିଧାୟକ ବେଦବ୍ୟାସଙ୍କ ସହିତ ଜିଲ୍ଲା ବିଜେଡି ନେତୃବର୍ଗ ତଥା ବିଜେଡିର ଶୀର୍ଷ ନେତା କୁହାଯାଉଥିବା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କର ସମୀକରଣ ଭଲ ନାହିଁ। ୨୦୧୪ ରେ କେନ୍ଦୁଝର ବିଜେଡିର ହେଭିୱେଟମାନେ ପ୍ରେମାନନ୍ଦଙ୍କୁ ଟିକେଟ ଦେବାକୁ ଯେ ଉଦ୍ୟମ କରିଥିଲେ କିନ୍ତୁ କୌଣସି କାରଣରୁ ସେମାନଙ୍କ ରଣନୀତି ଫେଲ୍ ମାରିଥିଲା । ଏହା ପରଠାରୁ ହିଁ ବିଜେଡିର ଜିଲ୍ଲା ନେତୃବର୍ଗଙ୍କ ସହିତ ତେଲକୋଇ ବିଧାୟକଙ୍କର ସମୀକରଣ ଓଲଟିଯାଇଥିଲା। ଦୁଇ ବର୍ଷ ତଳେ ହରିଚନ୍ଦନପୁର ବ୍ଲକରେ ଏକ ଦଳୀୟ ବୈଠକରେ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ବିଧାୟକ ବେଦବ୍ୟାସଙ୍କୁ ବିଜେଡି କର୍ମୀ ମାଡ଼ ମାରିବା ଘଟଣା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଘଟଣା ପରଠାରୁ ବିଧାୟକଙ୍କ ସହିତ ବିଜେଡିର କ୍ଷମତାଶାଳୀ ଗୋଷ୍ଠୀଙ୍କର ସ˚ପର୍କ ଛିଣ୍ତି ଯାଇଥିବା କାହାକୁ ଅଛପା ନୁହେଁ । ଏହାସତ୍ତ୍ବେ ଦ୍ବିତୀୟ ଥର ପାଇଁ ବେଦବ୍ୟାସ ନାଏକ ଟିକେଟ ପାଇବାକୁ ଆଶା ବାନ୍ଧିଛନ୍ତି। ତାଙ୍କ ବ୍ୟତୀତ ଶରତ ଚନ୍ଦ୍ର ନାଏକ, ପ୍ରେମାନନ୍ଦ ନାଏକ, ନିର୍ମଳ ନାୟକ, ସତ୍ୟଭାମା ସି˚, ମହେନ୍ଦ୍ର କୁମାର ନାଏକ, ଇନ୍ଦ୍ରମଣି ଦେହୁରୀଙ୍କ ଭଳି ଅଧଡଜନେ ବିଜେଡି ନେତା ଟିକେଟ ଆଶାୟୀ ରହିଛନ୍ତି।
ସେପଟେ ଏହାର ଫାଇଦା ନେବାକୁ ଅଣ୍ଟା ଭିଡ଼ିଛି ଶାସକ ବିଜେଡିର ପ୍ରମୂଖ ବିରୋଧୀ ବିଜେପି ଦଳ । ଗତ ନିର୍ବାଚନରେ ତେଲକୋଇରେ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ି ପରାସ୍ତ ହୋଇଥିବା ଧନୁର୍ଜୟ ସିଦ୍ଧୁ ଗତ ବର୍ଷ ବିଜେପିରେ ସାମିଲ ହୋଇଛନ୍ତି । ନିର୍ବାଚନମଣ୍ଡଳୀର ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ହିଁ କହୁଛି ସେ ବିଜେପି ଟିକେଟ ଆଶାୟୀ । ସିଦ୍ଧୁଙ୍କ ସମେତ ପ୍ରଶାନ୍ତ ଦଳେଇ, ମାନସ କୁମାର ନାଏକ, ସବିତା ହାଇବ୍ରୁ, କୈଳାସ ଚନ୍ଦ୍ର ନାଏକ ପ୍ରମୁଖ ଟିକେଟ ପାଇଁ ଲବି ଚଳାଇଛନ୍ତି ।
ଅପରପକ୍ଷେ କେଂଗ୍ରସ ଏବେ ଅଗାମୀ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପିକୁ ମାତ୍ ଦେବାକୁ ଭଲ ଚେହେରା ସନ୍ଧାନରେ ରହିଛନ୍ତି ରାଜ୍ୟ କଂଗ୍ରେସ ନେତୃବୃନ୍ଦ । ସେହି ମର୍ମରେ କଂଗ୍ରେସ ନେତା ମୋହନ ହେମ୍ବ୍ରମ, ଖଗେଶ୍ବର ନାଏକ, ବୃନ୍ଦାବନ ନାଏକ ଏବେ ଆଶାୟୀ ଦୌଡ଼ରେ ରହିଛନ୍ତି । କିନ୍ତୁ ଏହି ଆଶାୟୀଙ୍କ ମଧ୍ୟରେ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ କିଏ କେତେ ପରିମାଣରେ କଂଗ୍ରେସର ‘ହାତ’କୁ ମଜଭୁତ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ସେପଟେ ତେଲକୋଇ ପାଇଁ ଆଗାମୀ ନିର୍ବାଚନରେ ସନାଙ୍କ ଦ୍ୱାରା ଗଠିତ ଜନ ସମୃଦ୍ଧି ପାର୍ଟି ତେଲକୋଇରେ ସଂଗଠନକୁ ମଜଭୁତ କରିବାରେ ଲାଗିଥିବା ଦେଖିବାକୁ ମିଳୁଛି । ଏପରିକି ଦଳରୁ ସନାଙ୍କ ଇସ୍ତଫା ଦେଇଥିଲେ ମଧ୍ୟ ପଞ୍ଚାୟତ ସ୍ତରଠୁ ଆରମ୍ଭ କରି ତୃଣମୂଳସ୍ତରରେ ସନାତନଙ୍କ ଦ୍ବାରା ଗଠିତ ଜନସମୃଦ୍ଧି ପାର୍ଟି ଶକ୍ତି ଜୁଟାଇବାରେ ଲାଗି ପଡ଼ିଛି । ଏହାକୁ ପାଥେୟ କରି ଚଳିତ ନିର୍ବାଚନରେ ଜନ ସମୃଦ୍ଧି ପାର୍ଟି ବି ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି । ଏଥିପାଇଁ ଗଣେଶ୍ବର ଦେହୁରୀ, ମଣି ମୁଦି ପ୍ରମୁଖ ଆଶାୟୀ ଥିବା ସୂଚନା ମିଳିଛି । ତେବେ ଆଗାମୀ ନିର୍ବାଚନରେ କାହାର ପଲଡା ଏଠାରେ କାହା ଉପରେ ଭାରି ପଡ଼ିବ ତାହା ହିଁ ପ୍ରାର୍ଥୀ ଚୟନ ସମୟରେ ଜଣାପଡିବ ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।