ଶେଷ ଦିନରେ ତେଲେଙ୍ଗାନାରେ ୧୧୯ ବିଧାନସଭା ଆସନ ପାଇଁ ପଡିଲା ଭୋଟ । ଧାଡିରେ ଛିଡା ହୋଇ ଭୋଟ ଦେଲେ ନେତା, ଜନତା ଏବଂ ଅଭିନେତା

56

କନକ ବ୍ୟୁରୋ : ସରିଲା ୫ ରାଜ୍ୟର ବିଧାନସଭା ନିର୍ବାଚନ । ଗୁରୁବାର ଅନ୍ତିମ ପର୍ଯ୍ୟାୟରେ ତେଲେଙ୍ଗାନା ପାଇଁ ପଡିଛି ଭୋଟ୍ । ମୋଟ୍ ୧୧୯ ବିଧାନସଭା ଆସନ ପାଇଁ ମତଦାନ ସରିଛି । ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ କରିଛନ୍ତି ମତଦାତା । ତେବେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୫ଟା ଯାଏଁ ଚାଲିଥିଲା । ଏଥର ତେଲେଙ୍ଗାନାରେ ଆଶାଠୁ କମ୍ ଭୋଟିଂ ହୋଇଛି । ମୋଟ ୨୨୯୦ ଜଣ ପ୍ରାର୍ଥୀ ଏଥର ମଇଦାନକୁ ଓହ୍ଲାଇଥିବା ବେଳେ ବିଆରଏସ ଏବଂ କଂଗ୍ରେସ ମଧ୍ୟରେ ହେବ କଡା ଟକ୍କର ହେବ ବୋଲି କୁହାଯାଉଛି । ଗୁରୁବାର ଭୋଟ ଦେଇଛନ୍ତି ରାଜ୍ୟର ହେବିୱେଟ୍ ନେତା । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତାଙ୍କ ପୁଅ କେଟିଆର ଝିଅ ତଥା ବିଆରଏସ ନେତ୍ରୀ କବିତା ମତଦାନ କେନ୍ଦ୍ରକୁ ଆସି ଭୋଟ୍ ଦେଇଛନ୍ତି । ସେହିପରି ବିଜେପିର ଲୋକସଭା ସାଂସଦ ବାନ୍ଦି ସଞ୍ଜର କୁମାର, ଡି ଅରବିନ୍ଦ ସୋୟମ ବାପୁରାଓ ଏବଂ କଂଗ୍ରେସର ଏ. ରେବନ୍ତ ରେଡି, ଉତର କୁମାର ରେଡି, ଏଆଇଏମଆଇଏମ ନେତା ଅସଦୁଦ୍ଦିନ ୱୱେସୀଙ୍କ ପରି ହେବିୱେଟ୍ ନେତା ମଧ୍ୟ ଭୋଟ୍ ଦେଇଛନ୍ତି ।

କେବଳ ନେତା ନୁହଁନ୍ତି ଦକ୍ଷିଣ ଭାରତର ପ୍ରମୁଖ ଅଭିନେତା ବି ମତଦାନ କେନ୍ଦ୍ରକୁ ଆସି ଭୋଟ୍ ଦେଇଛନ୍ତି । ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଂଚିଥିଲେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ସେଲିବ୍ରିଟି । ମେଗାଷ୍ଟାର ଅଲୁ ଅର୍ଜୁନ, ଜୁନିଅର ଏନ୍ଟିଆର, ଚିରଞ୍ଜିବ ପ୍ରମୁଖଙ୍କୁ ମତଦାନ କେନ୍ଦ୍ର ଆଗରେ ଦେଖିବାକୁ ମିଳିଥିଲା । ସକାଳୁ ଜୁବଲି ହିଲ୍ସ ମତଦାନ କେନ୍ଦ୍ରରେ ପହଂଚି ଭୋଟ୍ ଦେଇଛନ୍ତି ପୁଷ୍ପା ଫ୍ରେମ୍ ଅଲୁ ଅର୍ଜୁନ । କଡ଼ା ସୁରକ୍ଷା ମଧ୍ୟରେ ସେ ଭୋଟ୍ଦାନ କେନ୍ଦ୍ରକୁ ଯାଇଥିଲେ । ଏହା ପରେ ଭୋଟ୍ ଦେବା ପାଇଁ ଲୋକଙ୍କ ସହ ଧାଡିରେ ଛିଡା ହୋଇଥିଲେ । ଏହି ସମୟରେ ଧାଡିରେ ଛିଡା ହୋଇଥିବା ଲୋକଙ୍କ ସହ କଥା ହୋଇଥିଲେ ଅଲୁ ଅର୍ଜୁନ । ସେହିପରି ଜୁନିଅର ଏନ୍ଟିଆର ମଧ୍ୟ ପରିବାର ସହ ଯାଇ ଭୋଟ୍ ଦେଇଛନ୍ତି । ଏହା ପରେ ମତଦାନ କେନ୍ଦ୍ରରେ ପହଂଚିଥିଲେ ଚିରଞ୍ଜିବ । ସେ ମଧ୍ୟ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ବିଜୟ ଦେବରକୋଣ୍ଡା, ରାମଚରଣ, ମହେଶ ବାବୁ, ନାଗାର୍ଜ୍ଜୁନଙ୍କ ଭଳି ଆଗଧାଡିର ସାଉଥ ସୁପରଷ୍ଟାରଙ୍କୁ ଭୋଟ୍ ଦେଇଥିବା ଦେଖିବାକୁ ମିଳିଛି ।