ବିଆରଏସ ଗଡ଼ରେ କଂଗ୍ରେସର ହେବ କି ଏଟ୍ରିଂ ? କେସିଆରଙ୍କ ହ୍ୟାଟ୍ରିକରେ ଲାଗିବ କି ବ୍ରେକ୍ ?

1,056

କନକ ବ୍ୟୁରୋ : ତେଲେଙ୍ଗାନାରେ କିଏ ଗଢ଼ିବ ସରକାର । ଚାଲିଛି ତର୍କ-ବିର୍ତକ ଓ ଆକଳନ । ଦଳମାନେ ବିଜୟ ନେଇ ନିଜ ନିଜର ଦାବି କରୁଥିବାବେଳେ ଏଗ୍ଜିଟ୍ ପୋଲ ରିପୋର୍ଟ କହୁଛି କିଛି ଭିନ୍ନ କଥା । ୧୦ବର୍ଷର ଲଗାତାର ଶାସନ ପରେ ଏଥରକ କୁଆଡେ କେସିଆରଙ୍କ ବାଜି ପଲଟିପାରେ । ବିଆରଏସ ଗଡ଼ରେ ହୋଇପାରେ କଂଗ୍ରେସର ଜବରଦସ୍ତ ଏଟ୍ରିଂ । କେ.ଚନ୍ଦ୍ରଶେଖର ରାଓ ହ୍ୟାଟ୍ରିକ୍ ମାରିବା ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ ସାବ୍ୟସ୍ତ ହୋଇପାରେ ଗେମଚେଂଜର । ପୋଲ ରିପୋର୍ଟ କହୁଛି….
ତେଲେଙ୍ଗାନାରେ ବଦଳିବ ସମୀକରଣ!
– ତେଲେଙ୍ଗାନାରେ ରହିଛି ମୋଟ ୧୧୯ ବିଧାନସଭା ଆସନ
– କଂଗ୍ରେସକୁ ମିଳିପାରେ ୪୯ରୁ ୫୬ଟି ଆସନ
– ବିଆରଏସକୁ ୪୮ରୁ ୫୮ଟି ଆସନ ମିଳିପାରେ
– ବିଜେପିକୁ ୫ରୁ ୧୦ଟି ଆସନ ମିଳିପାରେ ବୋଲି ଆକଳନ
– ଏଆଇଏମ୍ଆଇଏମକୁ ମିଳିପାରେ ୬ରୁ ୮ଟି ଆସନ

ଯଦିଓ ଦୁଇ ଦୁଇ ଥର ତେଲେଙ୍ଗାନାର ଶାସନ ଡୋରି ବିଆରଏସ ନିକଟରେ ରହିଛି ତଥାପି ଦୁର୍ନୀତି ଓ ପରିବାରବାଦ ବିବାଦରେ ଛନ୍ଦି ହୋଇ ଦଳର ଲୋକପ୍ରିୟତା କମିଥିବା କୁହାଯାଉଛି । ଅନ୍ୟପଟେ ଭାରତ ଯୋଡ ଯାତ୍ରା ପରେ ସାଉଥ ବେଲ୍ଟରେ କଂଗ୍ରେସକୁ ଅଧିକ ସକ୍ରିୟ କରିଛି । ଏହା ପଛରେ ରାଜ୍ୟ ସଭାପତି କେ. ରେବନ୍ତ ରେଡ୍ଡୀଙ୍କ ପଦଯାତ୍ରା ଓ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାକୁ ଶ୍ରେୟ ଦିଆଯାଉଛି । ଯାହାର ସିଧା ଫାଇଦା ଦଳକୁ ଏଥରକର ନିର୍ବାଚନରେ ମିଳିବା ସମ୍ଭାବନା ରହିଛି । ଏପଟେ ବିଜେପି ଓ ଏଆଇଏମଆଇଏମ ମଧ୍ୟ ଜୋରଦାର ପ୍ରଚାର କରି ଭୋଟ ହାତେଇବାକୁ ପ୍ରୟାସ କରିଥିଲେ ବି ତେଲେଙ୍ଗାନା ଜନତାଙ୍କ ଆସ୍ଥା ଓ ପ୍ରିୟଭାଜନ ହେବା ସହଜ ନୁହେଁ । ଯଦିଓ ଏଠାରେ ଏଆଇଏମଆଇଏମ ଭଳି ଦଳ ଅଳ୍ପ ସଂଖ୍ୟକ ଭୋଟରଙ୍କ ମୁଖପାତ୍ର କିନ୍ତୁ ହିନ୍ଦୁ ମାନଙ୍କ ମଧ୍ୟରେ ଥିବା ଓବିସି ଏବଂ ଅଳ୍ପ ସଂଖ୍ୟକ କଂଗ୍ରେସକୁ ଭରସା କରିଥିବା ଏକଜିଟ ପୋଲରୁ ଜଣାପଡିଛି ।

ନିର୍ବାଚନ ଫଳାଫଳ ବାହାରିପୂର୍ବରୁ ସରଗରମ ରହିଛି ତେଲେଙ୍ଗାନା ରାଜ୍ୟରାଜନୀତି । କଂଗ୍ରେସ ଶିବିରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଚର୍ଚ୍ଚା ହେଉଛି କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ କେ. ରେବନ୍ତା ରେଡ୍ଡୀଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଚେହେରାଭାବେ ଛିଡା କରିପାରେ । କଂଗ୍ରେସ ମୁଖ୍ୟାଳୟରେ ଆଜି ଘନଘନ ବୈଠକ ବସିବା ସହ ରେବନ୍ତାଙ୍କ ନାଁରେ କର୍ମୀ ବିଜୟସୂଚକ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଛି ।

ଫଳାଫଳ ବାହାରିବା ପୂର୍ବରୁ ଚାଲିଛି ଏଗ୍ଜିଟ୍ ପୋଲ ରିପୋର୍ଟ ବନାମ ଦଳମାନଙ୍କ ଦୃଢୋକ୍ତିର ଲଢେଇ । କାହା ଆକଳନ ସତ ହେଉଛି? କାହା ଦାବି ଠିକ୍ ହେଉଛି? ସେକଥା ଡିସେମ୍ବର ୩ରେ ଜଣାପଡିବ । କାହାକୁ ମିଳିବ ଗୁଡନ୍ୟୁଜ କିଏ କରିବ ଗୁଡବାୟ ରବିବାର ଫଳାଫଳରୁ ସ୍ପଷ୍ଟ ହେବ ।