ତେଲେଙ୍ଗାନାରେ ଚାଲିଲା ନାହିଁ କେସିଆରଙ୍କ ଯାଦୁ । ବିଆରଏସକୁ ଚକମା ଦେଇ ପୂର୍ଣ୍ଣ ବହୁମତ ଅଭିମୁଖେ କଂଗ୍ରେସ

832

କନକ ବ୍ୟୁରୋ : ତେଲେଙ୍ଗାନା କଂଗ୍ରେସରେ ଉତ୍ସବ । ବାଜା ବଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ମନାଉଛନ୍ତି ତେଲେଙ୍ଗାନା କଂଗ୍ରେସର ଦଳୀୟ ନେତା ଓ କର୍ମୀ । ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ରାସ୍ତାକୁ ବାହାରି ଖୁସି ମନାଉଛନ୍ତି କଂଗ୍ରେସ କର୍ମୀ ।

ହାଇଦ୍ରାବାଦରୁ ଆସୁଥିବା ଦୃଶ୍ୟ କହୁଛି, ଦୀର୍ଘ ୧୦ବର୍ଷ ହେଲାଣି ଏହି ଦିନକୁ ଯେମିତି ଅପେକ୍ଷା କରି ରହିଥିଲେ ତେଲେଙ୍ଗାନାର କଂଗ୍ରେସ ନେତା ଓ କର୍ମୀ । ଆଉ ଯେତେବେଳେ ଜନାଦେଶ କଂଗ୍ରେସ ସପକ୍ଷରେ ଯାଇଛି, ବହୁମତ ପାଇ ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ ହୋଇଛି, ସେହି ସମୟକୁ କେହି ହାତ ଛଡା କରିନାହାନ୍ତି । ୨୦୧୩ରେ ତେଲେଙ୍ଗାନା ସ୍ୱତନ୍ତ୍ର ରାଜ୍ୟ ଗଠନ ହେବା ପରଠାରୁ ପ୍ରଥମ ଥର ପାଇଁ କଂଗ୍ରେସଦଳ ବିଜୟୀ ହୋଇଥିବାରୁ ସବୁଠି ଜୋଶ୍ ।

ତେଲେଙ୍ଗାନାରେ ସ୍ପଷ୍ଟ ବହୁମତ ମିଳିବା ପରେ ହାଇଦ୍ରାବାଦରେ ପହଁଚିଛନ୍ତି କଂଗ୍ରେସରେ ହେଭିୱେଟ୍ । ଆଉ ଆଗାମି ପଦକ୍ଷେପ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ନିର୍ବାଚିତ ବିଧାୟକମାନଙ୍କୁ ଏକାଠି ରଖିବାକୁ ଯୋଜନା କରାଯାଇଥିବା ସୂଚନା ମିଳିଛି ।

ଗୋଟିଏ ପଟେ କଂଗ୍ରେସ କାର୍ଯ୍ୟାଳୟରେ ଉତ୍ସବ ଲାଗି ରହିଥିବାବେଳେ ଆଉ ଗୋଟିଏ ପଟେ ଖାଁ ଖାଁ ହୋଇଯାଇଛି ବିଆରଏସ କାର୍ଯ୍ୟାଳୟ  । ସକାଳ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟାଳୟରେ ନେତା ଓ କର୍ମୀଙ୍କ ଭିଡ ଲାଗିଥିଲା, ଏବେ ସେଠି କାହାର ଦେଖା ନାହିଁ । ସବୁବେଳେ ଗହଳି ରହୁଥିବା ବିଆରଏସ କାର୍ଯ୍ୟାଳୟର ଏହି ଦୃଶ୍ୟ କହୁଛି, କେସିଆରଙ୍କ ଦଳ, ଦଳର ନେତା ଓ କର୍ମୀଙ୍କ କେତେ ବଡ ଝଟକା ଲାଗିଛି ।

ରାଜସ୍ଥାନ ଓ ଛତିଶଗଡ କଂଗ୍ରେସ ହାତରୁ ଖସି ଯାଇଥିଲେ ବି ତେଲେଙ୍ଗାନା କଂଗ୍ରେସ ପାଇଁ ନୂଆ ସମ୍ଭାବନା ଆଣିଛି । ଦଳ ପୁଣି ଥରେ ପ୍ରତ୍ୟାବର୍ତନ କରିପାରିବ ବୋଲି ସଂକେତ ଦେଇଛି ।