କନକ ବ୍ୟୁରୋ : ଏସସିବିରେ ଆରମ୍ଭ ହେଲା ଟେଲି ମେଡିସିନ ସୁବିଧା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ଏହି ସୂଚନା ଦେଇଛି । ଟେଲି ମେଡିସିନ ସୁବିଧା ଆରମ୍ଭ ହୋଇଥିବାରୁ ଘରେ ବସି ଡାକ୍ତରଙ୍କ ଠାରୁ ପରାମର୍ଶ ନେଇପାରିବେ ରୋଗୀ । ଫୋନରେ ନିଜ ସ୍ୱାସ୍ଥ୍ୟ ସମସ୍ୟା ଜଣାଇବା ପରେ ଡାକ୍ତର ତାଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବେ । ସେହିପରି ହ୍ୱାଟସ ଆପରେ କିମ୍ବା ମୋବାଇଲରେ ଡାକ୍ତର ପ୍ରେସକ୍ରିପସନ ମେସେଜ ପଠାଇବେ ବୋଲି ସୂଚନା ମିଳିଛି । ଏବେ ତାଲାବନ୍ଦ ଚାଲିଥିବାରୁ ଟେଲିମେଡିସିନ ସୁବିଧା ବେଶ ଉପାଦେୟ ହେବ ବୋଲି କହିଛନ୍ତି ଏସିସିବି ଅଧିକ୍ଷକ । ଏଥିପାଇଁ ୨୪ଘଂଟିଆ ଟେଲିଫୋନ ନଂବର ଏସସିବି ପକ୍ଷରୁ ଜାରି କରାଯାଇଛି ।
୦୬୭୧-୨୪୨୮୨୧୬ ନଂବରରେ କଲ କରି ଡାକ୍ତଙ୍କ ସହ ସିଧା କଥା ହୋଇ ପରାମର୍ଶ ନେଇପାରିବେ ଲୋକେ । ଫୋନ କଲ ଗ୍ରହଣ କରିଥିବା କର୍ମଚାରୀ ସବୁ ବିଭାଗର ଡାକ୍ତରଙ୍କ ସୂଚନା ଦେବ ବୋଲି ଜଣାପଡିଛି । ଦେଶରେ ଏବେ ତାଲାବନ୍ଦ ଚାଲିଥିବାରୁ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି । ଲକଡାଉନ ଯୋଗୁଁ ଡାକ୍ତରଖାନା ଯିବା ପାଇଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତା ଛଡା ଡାକ୍ତରଖାନାରେ ଭିଡ କମାଇବାକୁ ମଧ୍ୟ ଟେଲି ମେଡିସିନ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଯାହା ଏବେ କଟକ ବଡ ମେଡିକାଲରେ ଆରମ୍ଭ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/SCB-Medical-college-and-Hospital.jpg)