୬ ମାସ ପାଇଁ ୫ଜି ଟେକ୍ନୋଲୋଜି ପରୀକ୍ଷାକୁ ଅନୁମତି ଦେଲା ଦୂରସଞ୍ଚାର ମନ୍ତ୍ରାଳୟ । ଜାଣନ୍ତୁ କେଉଁ କମ୍ପାନି ଗୁଡିକୁ ମିଳିଲା ଅନୁମତି?

336

କନକ ବ୍ୟୁରୋ : ଦେଶରେ ୫ଜି ଟେକ୍ନୋଲୋଜି ପରୀକ୍ଷା କରିବାକୁ ଦୂରସଂଚାର ମନ୍ତ୍ରାଳୟ ମଙ୍ଗଳବାର ଦିନ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀମାନଙ୍କୁ ଅନୁମତି ଦେଇଛି । ଏହି ପରୀକ୍ଷା ୬ ମାସ ପାଇଁ ହେବ। ୫ଜି ଟେକ୍ନୋଲୋଜି ପରୀକ୍ଷା ପାଇଁ ଅନୁମତି ପାଇଁ ଆବେଦନ କରିଥିବା କମ୍ପାନୀଗୁଡ଼ିକ ମଧ୍ୟରେ ଏୟାରଟେଲ, ଭୋଡାଫୋନ୍ ଆଇଡିଆ, ରିଲାଏନ୍ସ ଜିଓ ଇନଫୋକମ୍ ଏବଂ ଏମଟିଏନଏଲ ରହିଛନ୍ତି ।

ଛଅ ମାସର ପରୀକ୍ଷଣ ସମୟ ମଧ୍ୟରେ ଯନ୍ତ୍ରପାତି କ୍ରୟ ଏବଂ ସ୍ଥାପନ ପାଇଁ ଦୁଇମାସ ଅନ୍ତର୍ଭୁକ୍ତ ରହିଛି । ଦୂରସଂଚାର ମନ୍ତ୍ରାଳୟ କହିଛି ଯେ ଏହି ପରୀକ୍ଷା ଅଣ-ବ୍ୟବସାୟିକ ହେବ ଏବଂ ଟେଲିକମ୍ କମ୍ପାନୀଗୁଡିକ ଏହାକୁ ନିଜ ନେଟୱାର୍କରୁ ପୃଥକ କରିବାକୁ ପଡିବ। ଏହା ବ୍ୟତୀତ ଟେଲିକମ୍ କମ୍ପାନୀଗୁଡିକୁ ମଧ୍ୟ ସେମାନଙ୍କର ବର୍ତ୍ତମାନ ଥିବା ସ୍ପେକ୍ଟ୍ରମକୁ ପରୀକ୍ଷା ପାଇଁ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି ।

ଦୂରସଂଚାର ମନ୍ତ୍ରାଳୟ କହିଛି ଯେ ପ୍ରତ୍ୟେକ ଟେଲିକମ୍ କମ୍ପାନୀକୁ ସହର ତଥା ଗ୍ରାମରେ ପରୀକ୍ଷା କରିବାକୁ ପଡିବ, ଯାହା ଦ୍ୱାରା ସାରା ଦେଶରେ ୫ଜି ଟେକ୍ନୋଲୋଜିର ଲାଭ ମିଳିପାରିବ ଏବଂ ଏହା କେବଳ ସହରରେ ସୀମିତ ରହିବ ନାହିଁ।